ବିଚିତ୍ର ଶିକ୍ଷାନୀତି:ଆଦିବାସୀ ବହୁଳ କାଳିପୋଇ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଖୋଲିବା ପାଇଁ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ !
ଢ଼େଙ୍କାନାଳ : ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ନବକିଶୋରପୁର ଗ୍ରାମପଞ୍ଚାୟତର କାଳୀପୋଇ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟିକୁ ସରକାର ବନ୍ଦ କରିଦେଇଥିବାରୁ ବିଦ୍ୟାଳୟଟିକୁ ପୁନଃ ଖୋଲିବା ପାଇଁ ହିନ୍ଦୋଳ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁଁନ୍ତ ଓ ସରପଞ୍ଚ ରୋଜାଲିନ୍ ସାମଲଙ୍କ ନେତୃତ୍ୱରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ସକାଳ ସାଢେ ୮ ଟାରେ ସାକ୍ଷାତ କରି ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି ।
ପୂର୍ବରୁ ଗ୍ରାମବାସୀମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସିଆର୍ସିଙ୍କୁ ବିଦ୍ୟାଳୟ ସମ୍ବନ୍ଧରେ ଅବଗତ କରି କୌଣସି ସୁଫଳ ପାଇନାହଁନ୍ତି । ଉକ୍ତ ବିଦ୍ୟାଳୟଟି ୧୯୯୯ ମସିହାରୁ ଖୋଲାଯାଇ ୨୦୨୧ରେ ବନ୍ଦ କରିବାରୁ ବିଦ୍ୟାଳୟରେ ପଢୁଥିବା ୩୧ଜଣ ଛାତ୍ରଛାତ୍ରୀ ପାଠପଢାରୁ ବଞ୍ଚିତ ଅଛନ୍ତି । ଉକ୍ତ ୩୧ଜଣ ଛାତ୍ରଛାତ୍ରୀ ଆଦିବାସୀ ସଂପ୍ରଦାୟର ଅଟନ୍ତି । ଆଦିବାସୀ ବହୁଳ ମହ୍ଲାର ଓ କନ୍ଧ ସଂପ୍ରଦାୟର କାଳୀପୋଇ ଗ୍ରାମଟି ସଂପୂର୍ଣ୍ଣ ଜଙ୍ଗଲ ଘେରା ମଧ୍ୟରେ ଅବସ୍ଥିତ ।
ଉକ୍ତ ବିଦ୍ୟାଳୟଟି ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ ହୋଇଯାଇଥିବାରୁ ଛୋଟ ଛୋଟ ଛାତ୍ରଛାତ୍ରୀମାନେ ଜଙ୍ଗଲିଆ ରାସ୍ତାରେ ୩ କି.ମି. ଯିବା ପାଇଁ ଭୟ କରୁଛନ୍ତି । କାରଣ ଉକ୍ତ ରାସ୍ତାରେ ହାତୀ, ବାର୍ହା ଓ ଭାଲୁ ଆଦି ଜଙ୍ଗଲ ଜନ୍ତୁମାନଙ୍କର ଚଳପ୍ରଚଳ ରହିଛି ।
କାରଣ ଉକ୍ତ ରାସ୍ତାରେ ହାତୀ, ବାର୍ହା ଓ ଭାଲୁ ଆଦି ଜଙ୍ଗଲ ଜନ୍ତୁମାନଙ୍କର ଚଳପ୍ରଚଳ ରହିଛି । ନିକଟରେ ସେହି ଅଂଚଳରେ ହାତୀ ତିନିଜଣ ବ୍ୟକ୍ତିଙ୍କୁ ମାରିଥିବାବେଳେ ଏବେ ମଧ୍ୟ ଦୁଇଜଣବ୍ୟକ୍ତିଙ୍କୁ ବାର୍ହା ଆକ୍ରମଣର ଶିକାର ହୋଇ ଢେଙ୍କାନାଳ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ଏପରି ଭୟଭିତ ରାସ୍ତାରେ ଅଭିଭାବକମାନେ ଛୋଟଛୋଟ ପିଲାମାନଙ୍କୁ ମିଶ୍ରଣ ହୋଇଥିବା ବିଦ୍ୟାଳୟକୁ ଛାଡିବା ପାଇଁ ରାଜି ନହୋଇ ପୁନଃ ଗ୍ରାମରେ ଥିବା ବିଦ୍ୟାଳୟଟି ଖୋଲାଗଲେ ପିଲାମାନଙ୍କର ପାଠପଢା ହୋଇପାରିବ । ଜିଲ୍ଲାପାଳ ଶ୍ରୀ ସେଠୀ ଜିଲ୍ଲା ଶିକ୍ଷା ଅଧିକାରିଣୀ ନିବେଦିତା ପାଣିଙ୍କୁ ଡକାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ସଂପୃକ୍ତ ଅଞ୍ଚଳ ଯେହେତୁ ଆଦିବାସୀ ବହୁଳ ଏବଂ ହାତୀ ପ୍ରବଣ, ଏହାକୁ ଉପଲବ୍ଧି କରି ଜିଲ୍ଲାପାଳ ଶ୍ରୀ ସେଠୀ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ପୁନଃ ବିଦ୍ୟାଳୟ ଖୋଲିବା ପାଇଁ ଚେଷ୍ଟା କରିବା ସହିତ ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଗ୍ରାମବାସୀମାନଙ୍କୁ କହିଥିଲେ ଯେ, ପିଲାମାନଙ୍କୁ ଅନ୍ୟ କୌଣସି କାମରେ ନଲଗାଇ ବିଦ୍ୟାଳୟକୁ ପାଠପଢାଇବା ପାଇଁ ଛାଡିଲେ ଆଗକୁ ଏଭଳି ଅସୁବିଧା ହେବନାହିଁ ବୋଲି କହିଥିଲେ । ନାଏବ ସରଂପଚ ପ୍ରେମାନନ୍ଦ ନାୟକ, ୱାର୍ଡ ମେମ୍ବର ତିଳୋତମା ଭୋଇ ଓ କଇରି ଭୋଇ, ଗ୍ରାମସଭାପତି ଲମ୍ବୋଦର ସାହୁ, ଦଳ ସଭାପତି ବସନ୍ତ ସାମଲ, ପ୍ରଦୀପ କୁମାର ବେହେରାଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଗ୍ରାମବସୀ ଉପସ୍ଥିତ ଥିଲେ ।