ବ୍ରାଉନ ସୁଗାର ସହ ୩ ଯୁବକ ଗିରଫ !

ଢେଙ୍କାନାଳ : ଢେଙ୍କାନାଳ ସହର ଏବେ ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳ ପାଲଟି ଯାଇଛି । ଏପରିକି ଏହି ବ୍ରାଉନ ସୁଗାର କବଳରେ ପଡି ବହୁ କୋମଳମତି ବାଳକ ପଥଭ୍ରଷ୍ଟ ହୋଇ ପଡୁଥିବା ବେଳେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏପରିକି ସହରରେ ମଟର ସାଇକେଲ ଲୁଟ ଘଟଣା ଏକ ନିତିଦିନିଆ ଘଟଣାରେ ପରିଗଣିତ ହୋଇଯାଇଛି ।

ବ୍ରାଉନ ସୁଗାର କାରବାର ଉପରେ ପୋଲିସ ନଜର ରଖିଥିଲେ ମଧ୍ୟ ବ୍ରାଉନ ସୁଗାର କାରବାରରେ ଲିପ୍ତ ଯୁବକମାନେ ପୋଲିସକୁ ଚକମା ଦେଖାଇ ବ୍ରାଉନ ସୁଗାର କାରବାର ଅବାଧରେ କରିବାରେ ଲାଗିପଡିଛନ୍ତି । ବାରମ୍ବାର ବାଜିଚୌକ ଅଞ୍ଚଳରୁ ପୋଲିସ ବ୍ରାଉନ ସୁଗାର କାରବାରରେ ଲିପ୍ତ ଯୁବକ ଓ ପରିବାରକୁ ଗିରଫ କରୁଥିଲେ ମଧ୍ୟ ବ୍ରାଉନ ସୁଗାର କାରବାର ଏହି ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ।

ଏପରିକି ଏହି ଅଞ୍ଚଳରେ ବ୍ରାଉନ ସୁଗାର ଗଚ୍ଛିତ ରଖାଯାଇ ସହରର ଆଖପାଖ ଅଞ୍ଚଳ ଓ ସହର ମଧ୍ୟରେ ଏହି କାରବାରରେ ଲିପ୍ତ ଯୁବକ ମାନଙ୍କୁ ଯୋଗାଇ ଦିଆଯାଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଜିଚୌକ ଅଞ୍ଚଳର ସୌଦାମିନୀ ସ୍କୁଲ ନିକଟସ୍ଥ ଓଭର ବ୍ରିଜ ତଳେ । ଏହି ବ୍ରାଉନ ସୁଗାର କାରବାର ଚାଲିଥିବା ବେଳେ ପୋଲିସ ଖବର ପାଇ ଚଢାଉ କରିବା ବେଳେ ହାଉସିଂ ବୋର୍ଡ ଅଞ୍ଚଳର ଅଭୟ ବେହେରାଙ୍କ ପୁଅ ଦିଲ୍ଲେଶ୍ୱର ବେହେରା (୨୫),ବୋରାପଦା ଅଞ୍ଚଳର ଜଗୁ ନାଏକଙ୍କ ପୁଅ ବାବୁଲ ନାଏକ ,ଶ୍ୟାମାଚରଣପୁର କଲେଜ ବାଇପାସର କ୍ରିଷ୍ଣାକୁମାର ଦାସଙ୍କ ପୁଅ ପିଣ୍ଟୁ କୁମାର ଦାସଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ଠାରୁ ଯଥାକ୍ରମେ ୫ହଜାର ୯ଶହ, ୧୨ ହଜାର ଏକଶହ, ଓ ୧୮ ହଜାର ଟଙ୍କା ସହିତ ୨୧ ଗ୍ରାମ ୮୭୦ ମିଲିଗ୍ରାମ ବ୍ରାଉନ ସୁଗାର, ଆଲୁମିନିୟମ ଫଏଲ ଗୋଟିଏ ରୋଲ ସହିତ ଅନ୍ୟାନ୍ୟ ସାମଗ୍ରୀ ଓ ଏହି କାରବାରରେ ବ୍ୟବହୃତ ବାଜାଜ ପଲସର ମୋଟର ସାଇକେଲ ନଂ.ଓଡି ୦୬ ଜି ୫୩୯୯ ଗାଡିକୁ ଜବତ କରିଛି ।

ଏହି ଚଢାଉ ସମୟରେ ସବ୍‌ଇନିସ୍ପେକ୍ଟର ସୁଧାକର ମହାନ୍ତିଙ୍କ ସହିତ ହାବିଲଦାର ଧୃବଚରଣ ବେହେରା, କନେଷ୍ଟବଳ ଗଗନ ପରିଡା, ନିରାକାର ନାଏକ ସାମିଲ ଥିଲେ ।

Leave A Reply

Your email address will not be published.

10 + nine =