ଢେଙ୍କାନାଳ : ଢେଙ୍କାନାଳର ବିଶିଷ୍ଟ ସମାଜସେବୀ ଓ କୃଷକ ନେତା ରାମଚନ୍ଦ୍ର ପାତ୍ର ଗଁଦିଆ ବ୍ଳକ ନିହଲପ୍ରସାଦ ଅଞ୍ଚଳର ଢେଙ୍କାନାଳ ଓ ଯାଜପୁର ସୀମାନ୍ତରେ ଥିବା ନିହଲପ୍ରସାଦ ଗ୍ରାମ ପଞ୍ଚାୟତର ନୂଆ କଷ୍ଟିପାଳ ଓ ବେଗା ଗ୍ରାମ ପଞ୍ଚାୟତର ଶ୍ରୀମନ୍ତପୁର ମୁଣ୍ଡା ସାହିରେ ପ୍ରତିଷ୍ଠା ହେବାକୁ ଯାଉଥିବା ବେଆଇନ କ୍ରସର ସ୍ଥାପନା ଅଞ୍ଚଳ ପରିଦର୍ଶନ କରି ବେଆଇନ କ୍ରସର ୟୁନିଟ ପ୍ରତିଷ୍ଠାରେ ଜମି ହରାଇଥିବା ଆଦିବାସୀ ପ୍ରଜାମାନଙ୍କ ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।
ଆଲୋଚନା ସମୟରେ କୌଣସି ପ୍ରକରେ ଆଦିବାସୀମାନଙ୍କ ହକ୍ ତଥା ଆଦିବାସୀଙ୍କ ଜମିରେ ବେଆଇନ କମ୍ପା୍ନୀକୁ ଠିଆକରାଇ ଦିଆଯିବ ନାହିଁ ବୋଲି ପ୍ରତିଶୃତି ଦେବା ସହ ଜୀବନ ଥିବା ଯାଏ ଆଦିବାସୀମାନଙ୍କ ହକ୍ ପାଇଁ ସଂଗ୍ରାମ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ।
ଗଁଦିଆ ବ୍ଳକ ନିହଲପ୍ରସାଦ ଅଞ୍ଚଳର ଢେଙ୍କାନାଳ ଓ ଯାଜପୁର ସୀମାନ୍ତରେ ଥିବା ନିହଲପ୍ରସାଦ ଗ୍ରାମ ପଞ୍ଚାୟତର ନୂଆ କଷ୍ଟିପାଳ ଓ ବେଗା ଗ୍ରାମ ପଞ୍ଚାୟତର ଶ୍ରୀମନ୍ତପୁର ମୁଣ୍ଡା ସାହିରେ ୭୦ରୁ ଉର୍ଦ୍ଧ୍ୱ ଆଦିବାସୀଙ୍କୁ ୧୯୯୯ ମସିହାରେ ଘର ଡିହ ନିର୍ମାଣ ପାଇଁ ଗୁଣ୍ଠିକିଆ ପଟ୍ଟା ମିଳିଥିଲା । ସେମାନେ ସ୍ଥାନୀୟ ତହସିଲଦାର ଓ ପ୍ରଶାସନ ପାଖରେ ଜମି ଚିହ୍ନଟ ପାଇଁ ବାରମ୍ବାର ଦାବି କରି ଆସୁଥିଲେ । ନିକଟରେ ସେମାନଙ୍କ ଜମିକୁ ଚିହ୍ନଟ କରାଯାଇଥିଲା । କେତେକ ସେଠାରେ ଘର ମଧ୍ୟ ଆରମ୍ଭ କରିଥିଲେ ।
ମାତ୍ର ସେମାନଙ୍କର ଏହି ଜମି ଉପରେ ଗୋଟିଏ ବିଦ୍ୟୁତ କମ୍ପାନୀ ପାଇଁ ଟାୱାର ନିର୍ମାଣ ନିମନ୍ତେ ଏକ କ୍ରସର ୟୁନିଟକୁ ପୂର୍ବତନ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ସମୟରେ ୩ମାସ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଏଥିପାଇଁ ଉକ୍ତ କମ୍ପାନୀ ୫୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ପରେ ଏହି କ୍ରସର ୟୁନିଟ ପକ୍ଷରୁ ଆଉ ୫୦ଲକ୍ଷ ଟଙ୍କା ଦିଆଯାଇ ଅଧିକ ୩ମାସ ପାଇଁ ଅନୁମତି ପାଇଛନ୍ତି । ସେହି କ୍ରସର ୟୁନିଟ ତରଫରୁ ଆଦିବାସୀଙ୍କ ଗୁଣ୍ଠିକିଆ ଜମିରୁ କିଛି ଦଖଲ କରିବାସହ ସେମାନଙ୍କର ଘର ଭାଙ୍ଗି ଏଠାରୁ ଚାଲିଯିବାପାଇଁ ଧମକ ଦେଇଥିବା କଥା ଆଦିବାସୀମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏହାକୁ ନେଇ ସେମାନେ ଏହାକୁ ତୀବ୍ର ବିରୋଧ କରିଥିଲେ ।
ତେବେ ଏହି ଖବର ପାଇ ଏହି ଅବସରରେ ନିରୀହ ଆଦିବାସୀ ନୂଆ କଷ୍ଟିପାଳର କଇଁତା ଦେହୁରୀ, ବିଳାସୀ ଦେହୁରୀ, ସୁରେନ୍ଦ୍ର ଦେହୁରୀ, ପାନ ସୋରେନ, କାଳନ୍ଦି ଦେହୁରୀ, କୁସୁମ ଦେହୁରୀ, ବସନ୍ତ ଦେହୁରୀ, କୋକିଲ ଦେହୁରୀ, ହୃଷ୍ିକେଶ ଦେହୁରୀ, ସୁରୁଜମଣି ଦେହୁରୀ, ଚନ୍ଦ୍ରମଣି ଦେହୁରୀ, ଅଜିତ ଦେହୁରୀ, ଏକନ ସାମଲ,ଶ୍ରୀମନ୍ତ ପୁରର ଦାଶ ସିଦ୍ଧୁ, ମଙ୍ଗୁଳୁ ସୋରେନ, ବାବାଜି ସିଦ୍ଧୁ, ବିଷ୍ଣୁ ସିଦ୍ଧୁ ପ୍ରମୁଖ ଆଦିମାସୀମାନେ ସେମାନଙ୍କୁ ସରକାର ଦେଇଥିବା ସମସ୍ତ କାଗଜାତ୍ ଦେଖାଇବା ସହ କମ୍ପାନୀ ଦ୍ୱାରା ଭୟଭୀତ କରା ଯାଗା ଛାଡିବା ପାଇଁ ଧମକ ଦେଉଥିବା ବିଷୟ ଜଣାଇଥିଲେ ।
ସୂଚନା ଥାଉକି ଏହି କମ୍ପାନୀ ବିରୁଦ୍ଧରେ ଆଦିବାସୀମନେ ମେଳିହୋଇ ନିଜ ଜମିକୁ ସୁରକ୍ଷା ଦେବାପାଇଁ ପାରମ୍ପରିକ ଧନୁ-ତୀର ଧରି ଜଗି ରହିଛନ୍ତି । ଆଦିବାସୀମାନେ ପାଇଥିବା ଗୁଣ୍ଠିକିଆ ଜମି ଠାରୁ ମାତ୍ର ୮୦ ମିଟର ଦୂରରେ ଏହି କ୍ରସର ୟୁନିଟ ଗଢ଼ିଉଠିଛି । ଏହି କ୍ରସର ନିମନ୍ତେ ୧ଏକର ୧୭ ଡେସିମିଲ ଜମି ପ୍ରଦାନ କରଯାଇଥିବାବେଳେ ଖଣି ଖନନ ପାଇଁ ୫ଏକର ୨୫ଗୁଣ୍ଠ ଜମିର ଅନୁମତି ଦିଆଯାଇଛି । କିନ୍ତୁ ଉକ୍ତ କ୍ରସର ୟୁନିଟ ପକ୍ଷରୁ ନିକଟରେ ଥିବା ଏକ ପାହାଡ଼କୁ କାଟି ବେଆଇନ ଭାବେ ପଥର ଉତୋଳନ କରାଯାଉଛି । ଫଳରେ ଆଦିବାସୀମାନେ ସେମାନଙ୍କର ଗାଈଗୋରୁ ଓ ଛେଳିମେଣ୍ଢା ଚରାଇବାକୁ ଜାଗା ପାଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ।ଏପରି କି କ୍ରସର ପ୍ରତିଷ୍ଠା ପୂର୍ବରୁ ଉକ୍ତ ବ୍ୟକ୍ତି ଗ୍ରାମରେ ଗୋଶାଳା ଓ ବୃଦ୍ଧାଶ୍ରମ କରିବାକୁ ମିଥ୍ୟା ବାହାନା ଦେଖାଇ ସେମାନଙ୍କ ଜମିକୁ ନେଇ କ୍ରସର କାର୍ଯ୍ୟ ଆରମ୍ଭ କରିଥିଲେ ।
ଆଦିବାସୀମାନେ ଏଠାରେ କଳିଙ୍ଗନଗର ଭଳି ଦ୍ୱିତୀୟ ବୃହତ ଆଦିବାସୀମେଳି କରିବାକୁ ଚେତାବନୀ ଦେଇଛନ୍ତି । ତେବେ ପ୍ରଶ୍ନ ଉଠେ ଯେ ଗୋଟିଏ ପ୍ରାଇଭେଟ କମ୍ପାନୀ ପାଇଁ ପ୍ରଶାସନ ନିରବଦ୍ରଷ୍ଟା ସାଜୁଛି କାହିଁକି ।ସରକାରଙ୍କ ଦ୍ୱାରା ଆଦିବାସୀଙ୍କୁ ପ୍ରଦତ ଜମିରେ କ୍ରସର ୟୁନିଟ ପାଇଁ ଆଇନ ଅନୁଯାୟୀ କାଗଜପତ୍ର କିଏ ଦେଲା, କେଉଁ ଉଦେଶ୍ୟରେ ଦେଲା ତା ପଛରେ ବିରାଟ ଅର୍ଥ କାରବାର ହୋଇଥିବାକୁ ନେଇ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।
ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନନେଲେ ଆଗକୁ କଳିଙ୍ଗନଗର ଘଟଣା ଭଳି ଆଉ ଏକ ଆଦିବାସୀ ମେଳି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।