ଢ଼େଙ୍କାନାଳ : ଜିଲ୍ଲାରେ ଲଘୁ ଖଣିଜ ପଦାର୍ଥ ଚୋରା କାରବାର ବ୍ୟାପକ ଭାବେ ହେଉଥିବା ବେଳେ ସଦର ଥାନା ଅଞ୍ଚଳରେ ଏହା ବହୁଳ ଭାବେ ହେଉଥିବାର ଦେଖିବାକୁ ମିଳୁଛି ।
କିଛି ଦିନ ପୂର୍ବେ ଚାଲୁଥିବା ପଥର ଖଣିରେ ଆଇଏଏସ ପ୍ରୋବେସନରଙ୍କୁ ମାଡ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିଭଳି କୋଇଲା ଡିପୋରେ ଖଣିବିଭାଗ ଚଢାଉ କରି ଏହି ଚୋରା କାରବାରର ପର୍ଦାଫାଶ କରିଛି ।
ସୂଚନା ଅନୁଯାୟୀ ସଦର ଥାନା ଅନ୍ତର୍ଗତ ମୁଳିସିଂହ ଠାରେ ବେନିୟମ ଭାବେ ଦୁଇ ଗୋଟି କୋଇଲା ଡିପୋକୁ ତାଳଚେର କୋଇଲା ଖଣି ବିଭାଗ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ପରିମାଣରେ ଡିପୋରୁ ଚୋରା କୋଇଲା ଜବତ କରାଯାଇଛି । ଏହି ଚଢାଉ ସମୟରେ ଡିପୋ ମାଲିକ ଓ କର୍ମଚାରୀମାନେ ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଥିବା ସୂଚନା ହସ୍ତଗତ ହୋଇଛି ।
ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଥିବା ସହ ସର୍ବାଧିକ ପରିମାଣରେ କୋଇଲା ଯୋଗାଇବା ଦିଗରେ ରାଜ୍ୟର ଅନୁଗୁଳ ଜିଲ୍ଲା ତାଳଚେର ଅଗ୍ରଣୀ ସ୍ଥାନ ଅଧିଗ୍ରହଣ କରିଛି । ଯୋଗାଣ ଦିଗରେ ରାଜ୍ୟର କୋଇଲା ପରିବହନ ପାଇଁ ରେଳ ରାସ୍ତା ସହ ରାଜପଥ ମାଧ୍ୟମରେ ଯୋଗାଉଛି । ସାଧାରଣ ଭାବେ ତାଳଚେର କୋଇଲା ଖଣି ବିଭାଗ ଅଧିନରେ ଥିବା କୋଇଲା ଖଣି ଠାରୁ ଗୁପ୍ତ ଭାବେ କିଛି ଅସାଧୁ କୋଇଲା ମାଫିଆ ଟ୍ରକରେ କୋଇଲା ଲଦି ଅନ୍ୟତ୍ର ବିକ୍ରିକରି ଥାଆନ୍ତି ।
ସେହି ଅସାଧୁ ମାନଙ୍କ ସାହାଯ୍ୟରେ ସ୍ଥାନୀୟ ଅଞ୍ଚଳରେ ଦୁଇ ଗୋଟି ଚୋରା କୋଇଲା ଡିପୋ କରାଯାଇ ଚୋରା କୋଇଲା ଗୁଡିକୁ ଭାରିମାତ୍ରାରେ ବେନିୟମ ଭାବେ ଗଚ୍ଛିତ ରଖାଯାଇ ବକ୍ରି ହେଉଥିଲା । ଖଣି ବାଭାଗ ଅଧିକାରୀ ମାନେ ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳ ଚଢାଉ କରିଥିଲେ । କୌଣସି ସୂତ୍ରରୁ ଏହି ଚୋରା କାରବାରରେ ଲିପ୍ତ ବେପାରୀ ଓ କର୍ମଚାରୀମାନେ ଚଢାଉ ସମ୍ପର୍କରେ ଖବର ପାଇ ସ୍ଥାନ ଛାଡି ପଳାଇଥିଲେ । ଘଟଣା ସ୍ଥଳରୁ ବହୁଳ ମାତ୍ରାରେ କୋଇଲା ଜବତ ହୋଇଥିବାର ଜଣାପଡିଛି ।