ଢେଙ୍କାନାଳ :ଢେଙ୍କାନାଳ ସଚତେନ ନାଗରିକ ଫୋରମ୍ ପକ୍ଷରୁ ଢେଙ୍କାନାଳର ବହୁ ପ୍ରତିକ୍ଷିତ ୫ଗୋଟି ପ୍ରକଳ୍ପ ପାଇଁ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପ୍ରକଲ୍ପଗୁଡିକର ସ୍ଥିତି ବାବଦରେ ଆଲୋଚନା କରିଥିଲେ ।
ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ ଆଲୋଚନା ଆରମ୍ଭ କରି ୫ଟି ଯାକ ପ୍ରକଳ୍ପଗୁଡିକର ସ୍ଥିତି ବିଷୟରେ ପଚାରିବାରୁ ଜିଲ୍ଲାପାଳ ଶ୍ରୀ ସେଠୀ ଏହି ପ୍ରକଳ୍ପଗୁଡିକ ବାବଦରେ କୌଣସି ନଥିପତ୍ର ନଥିବା ଏବଂ ପ୍ରକଳ୍ପଗୁଡିକ ପାଇଁ ସ୍ପଷ୍ଟ ନାହିଁ ବୋଲି କହିଥିଲେ ।
ପ୍ରାୟ ୫ ବର୍ଷ ପୂର୍ବରୁ ରାଜନେତାମାନେ ଢେଙ୍କାନାଳ ସହରକୁ ମହାନଦୀରୁ ପାଣି ଆସି ମହିଷାପାଟ ବାଟ ଦେଇ ଏକ ପ୍ରକଳ୍ପ ମାଧ୍ୟମରେ ଯୋଗାଇ ଦେବା ପାଇଁ ଯୋଜନା ହୋଇଅଛି ବୋଲି କହି ଆସୁଥିବାବେଳେ ପ୍ରାୟ ୩ବର୍ଷ ତଳେ ଢେଙ୍କାନାଳରେ ଏକ ମେଡିକାଲ୍ କଲେଜ୍ କରିବା ପାଇଁ କେନ୍ଦ୍ରରୁ ଆସିଥିବା ସର୍ବେକ୍ଷଣ ଅନୁସାରେ ସେତେବେଳର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଦ୍ୱାରା ଜାଗା ମଧ୍ୟ ଚିହ୍ନଟ କରାଯାଇଥିଲା । ପ୍ରାୟ ୨ ବର୍ଷ ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ କପିଳାସ ଠାରେ “ରୋପ୍ ୱେ ” କରିବା ପାଇଁ ଘୋଷଣା କରାଯାଇଥିଲା ।
ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଢେଙ୍କାନାଳରେ “ମେଡିକାଲ୍ ହବ୍ ” ପାଇଁ ଘୋଷଣା କରାଯାଇଥିଲା । ସେହିପରି କିଛିଦିନ ପୂର୍ବରୁ “ସିଟି ହସ୍ପିଟାଲ୍ ” ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମତି ପ୍ରଦାନ କରିଛନ୍ତି ବୋଲି ଜିଲ୍ଲା ଉନ୍ନୟନ ପରିଷଦ ବୈଠକରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଘୋଷଣା କରା ଯାଇଥିଲା ।
ତେଣୁ ଯାଇଥିବା ପ୍ରତିନିଧିମଣ୍ଡଳୀକୁ ଜିଲ୍ଲାପାଳ ସ୍ପଷ୍ଟ ଶବ୍ଦରେ ନାହିଁ କଲାପରେ ଢେଙ୍କାନାଳବାସୀଙ୍କ ମନରେ ଉଦ୍ବେଗ ପ୍ରକାଶ ହେବା ସ୍ୱାଭାବିକ ଅଟେ । ଢେଙ୍କାନାଳବାସୀଙ୍କ ହିତ ପାଇଁ ଉଦ୍ଦିଷ୍ଟ ୫ ଗୋଟି ପ୍ରକଳ୍ପ ବାବଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯେପରି କୌଣସି ପ୍ରଶାସନିକ କାଗଜପତ୍ର ନଥାଇ, ସରକାର ଓ ନେତାଗଣ ଭୋଟ୍ ରାଜନୀତି ପାଇଁ ଢେଙ୍କାନାଳବାସୀଙ୍କୁ ଘୋଷଣାମାନ କରିପାରୁଛନ୍ତି ସେ ବାବଦରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଫୋରମ୍ ପକ୍ଷରୁ ପ୍ରକାଶ କରି ବ୍ୟାପକ କାର୍ଯ୍ୟକ୍ରମ ନେବା ସହ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇବା ପାଇଁ ନିଷ୍ପତି ନିଆଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଫୋରମ୍ର ବହୁ କାର୍ଯ୍ୟକର୍ତ୍ତା ଙ୍କ ସହ ସାମ୍ବାଦିକ ସଂଘର ବହୁ ସାମ୍ବାଦିକ ମଧ୍ୟ ଯୋଗ ଦେଇଥିଲେ ଏବଂ ଫୋରମ୍ର ସମ୍ପାଦକ ଭରତ କୁମାର ଦାସ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।