ବାଇଁଶିଆ ଶ୍ରୀଜଗନ୍ନାଥପୀଠକୁ ଏକ ଆଦର୍ଶ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ପ୍ରଚେଷ୍ଟା କରାଯିବ-ସାଂସଦ ଶ୍ରୀ ସାହୁ

ଢେଙ୍କାନାଳ : ଗଁଦିଆ ବ୍ଲକ୍ ଯୋରନ୍ଦା ମହିମାଗାଦି ଠାରୁ କରମୂଳ ରାସ୍ତାରେ ପ୍ରାୟ ୫କି.ମି. ଦୂର ଗ୍ରାମର ରୁଗୁଡି ପାହାଡରେ ୧୮୫୩ ଖ୍ରୀ. ରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଚତୁର୍ଦ୍ଧାମୂର୍ତୀ ରୂପେ ଆଜକୁ ୧୭୦ବର୍ଷ ହେବ ପୂଜା ପାଇ ଆସୁଛନ୍ତି ।

ଜିଲ୍ଲା ଜଗନ୍ନାଥ ଚେତନା ସମିତିର ଆମନ୍ତ୍ରଣ କ୍ରମେ ଢେଙ୍କାନାଳ ସାଂସଦ ମହେଶ ସାହୁ ବୁଧବାର ମଧ୍ୟାହ୍ନରେ ଏହି ପୀଠକୁ ପରିଦର୍ଶନରେ ଆସି ଗ୍ରାମବାସୀ, ପରିଚାଳନା କମିଟିର ସଦସ୍ୟବୃନ୍ଦ ଓ ସଭାପତି ଶ୍ରୀକାନ୍ତ ପଣ୍ଡାଙ୍କ ସହ ପୀଠର ଉନ୍ନତି ଉପରେ ଆଲୋଚନା କରିଥିଲେ । ଜିଲ୍ଲାରେ ଏହା ଏକମାତ୍ର ଜଗନ୍ନାଥ ପୀଠ ଯାହା ଏକ ପାହାଡ ଉପରେ ଅବସ୍ଥିତ । ସରକାରଙ୍କ ଗ୍ରାମ୍ୟ ଉଦ୍ୟାନକୁ ଏହି ପୀଠ ନିକଟରେ ନିର୍ମାଣ କରାଯିବା ଏବଂ ଏହାକୁ ଏକ ଆଦର୍ଶ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢି ତୋଳିବାକୁ ସେ ସମସ୍ତ ଉଦ୍ୟମ କରିବେ ବୋଲି ଗ୍ରାମବାସୀଙ୍କୁ ସାଂସଦ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ ।

ଏଥିସହ ନିଜର ସ୍ୱର୍ଗତ ପିତାମାତା ଓ ଏକମାତ୍ର ପୁତ୍ର ନାମରେ ସାଂସଦ ଶ୍ରୀ ସାହୁ ଏହି ମନ୍ଦିରର ସ୍ଥାୟୀ ସଭ୍ୟ ଭାବେ ୩ ହଜାର ଟଙ୍କା ଦାନ କରିଥିଲେ । ସୂଚନା ଥାଉକି ଗ୍ରାମର କିଛି ଉତ୍ସାହୀ ବ୍ୟକ୍ତି ସେ ସମୟରେ ୧୦ପଇସା ମୂଲ୍ୟରେ ଶ୍ରୀକ୍ଷେତ୍ର ପୁରୀରୁ ମହାପ୍ରଭୁଙ୍କ ପ୍ରତିକୃତିଙ୍କୁ ରତ୍ନସିଂହାସନରେ ଛୁଆଁଇ ଏହି ପାହାଡର ପ୍ରାକୃତିକ ପଥରଗୁମ୍ଫାରେ ରଖି ପୂଜାର୍ଚ୍ଚନା କରୁଥିଲେ । ସପ୍ତାହରେ ଥରେ ପ୍ରଭୁଙ୍କ ପାଖରେ ୭ଥାଳି ଭୋଗ ଏକସଙ୍ଗେ ଲାଗି କରାଯାଉଥିଲା ।

ଜନସହଯୋଗ କ୍ରମେ ୧୯୮୦ ରୁ ଗ୍ରାମର ଅଚ୍ୟୁତାନନ୍ଦ ପତିଙ୍କ ଉଦ୍ୟମରେ ପାହାଡ ଶୀର୍ଷ ଦେଶରେ ସ୍ଥାୟୀ ପକ୍କା ଛାତ ଘରେ ଶ୍ରୀ ଜୀଉଙ୍କ ବିଗ୍ରହ ପୂଜାପାଇ ଆସୁଛନ୍ତି । ୨୦୧୫ରୁ ଏଯାବତ୍ ୭୦୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ମନ୍ଦିରକୁ ୫୧୦ଟଙ୍କାରୁ ଉର୍ଦ୍ଧ୍ୱ ଦାନ କରି ଏହାର ସ୍ଥାୟୀ ସଭ୍ୟ ହୋଇଛନ୍ତି ଏବଂ ବ୍ୟାଙ୍କରେ ଗଚ୍ଛିତ ପ୍ରାୟ ୪ଲକ୍ଷ ଟଙ୍କା ସୁଧରେ ମନ୍ଦିର ପରିଚାଳିତ ହେଉଛି । ଜିଲ୍ଲା ଦେବୋତର ବିଭାଗ ପକ୍ଷରୁ ଏଠାକୁ ଟଙ୍କାଟିଏ ବି ଅନୁଦାନ କେବେ ମିଳିନାହିଁ ।

୨୦୧୫ରେ ଶ୍ରୀଜୀଉଙ୍କ ନବକଳେବର ପରେ ୨୦୧୭ ଠାରୁ ଗତ ୫ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ଏହି ପାହାଡର ବିଭିନ୍ନ ସ୍ଥାନରେ ଦେବାଦେବୀଙ୍କୁ ପ୍ରତିଷ୍ଠା କରାଯାଇ ଏହାର ସୌନ୍ଦର୍ଯ୍ୟକରଣ କରାଯାଉଛି । ନୈଶର୍ଗୀକ ପରିବେଶରେ ଗୁମ୍ଫା ତଳେ ଶ୍ରୀକୃଷ୍ଣଙ୍କ ଗିରିଗୋବର୍ଦ୍ଧନ ଧାରଣ, ଯୋଗାଋଢ ଶିବଙ୍କର ୯ଫୁଟ ଉଚ୍ଚ ଓ ୫ଫୁଟ ଓସାରର ଧ୍ୟାନସ୍ଥ ମୂର୍ତ୍ତୀ, ନିକଟରେ ହରିଣପଲଙ୍କ ପ୍ରତିକୃତି, ଗୁମ୍ଫାତଳେ ଶ୍ରୀ ହନୁମାନଜୀଉ, ଗୋମାତା ସହ ବାଳଗୋପାଳ ଓ ଶ୍ରୀଚୈତନ୍ୟ ଦେବଙ୍କ ମୂର୍ତୀ ଆଦି ପାହାଡର ବିଭିନ୍ନ ସ୍ଥାନରେ ଶୋଭା ପାଉଛନ୍ତି ।

Leave A Reply

Your email address will not be published.

two + fifteen =