ଢେ଼ଙ୍କାନାଳ : ପରଜଙ୍ଗ ଥାନା ବସୋଇ ଗାଁ ପୋଖରୀରୁ ମାଛ ଧରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ଧୀବରଙ୍କର ମୃତ୍ୟୁ ହୋଇଛି ।
ମୃତ ଧୀବର ଜଣଙ୍କ ପରଜଙ୍ଗ ଥାନା ଡ଼ମୋଳ ଗାଁର ନେଉଳ ଓରଫ ସଞ୍ଜୟ ସାମଲ ବୟସ ୨୩ବର୍ଷ । ସଞ୍ଜୟ ନିଜ ସାଥି ମାନଙ୍କ ସହିତ ବସୋଇ ଗାଁ ପୋଖରୀରେ ମାଛ ଧରୁଥିବା ବେଳେ ଗଭୀର ଜଳରେ ବୁଡି ଯାଇଥିଲେ । ସାଥି ସହଯୋଗୀ ମାନେ ତାଙ୍କୁ ପୋଖରୀ ଭିତରେ ବହୁ ଖୋଜା ଖୋଜି କରି ଉଦ୍ଧାର କରିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।
ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସଞ୍ଜୟଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।