ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ମଦ୍ୟପମାନଙ୍କୁ ଯୋଗୁ ଅଧିକ ସଡକ ଦୁର୍ଘଟଣା ଘଟୁଥିବାରୁ ଯାନବାହାନ ଚାଳକମାନଙ୍କ ଉପରେ ଦୃଷ୍ଟିରଖି ଯାଞ୍ଚ କରିବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ପୋଲିସ, ଏମଭିଆଇ ଏବଂ ପରିବହନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ହେଲମେଟ ଯାଞ୍ଚ କରିବା ସହିତ ଦୃତ ଗତିରେ ଯାନ ଚଳାଉଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଦୁର୍ଘଟଣା ପ୍ରବଣ ସ୍ଥାନରେ ଅଧିକ ସାଇନେଜ ବୋର୍ଡ ଲଗାଇ ଲୋକମାନଙ୍କୁ ସଚେତନ କରିବା ପାଇଁ କହିଛନ୍ତି । ଜନସାଧାରଣ ସଡକ ସୁରକ୍ଷା ପ୍ରତି ଅଧିକ ସଚେତନ ହୋଇପାରିଲେ ଦୁର୍ଘଟଣାକୁ ଏଡାଇ ଦେଇ ଧନଜୀବନ ହାନୀକୁ ରୋକାଯାଇପାରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଅତ୍ୟଧିକ ଲୋଡିଙ୍ଗ କରିପରିବହନ କରୁଥିବା ଗାଡି ଓ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଯାନବାହାନ ଗୁଡିକୁ ନିୟମିତ ଯାଂଚ ନିମନ୍ତେ ଉପଜିଲ୍ଲାପାଳ, ତହସିଲଦାର ଓ ବିଡିଓ ମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ।
ଜିଲ୍ଲାରେ ରକ୍ଷକ ଯୋଜନାରେ ଦୁର୍ଘଟଣା ଗ୍ରସ୍ତକୁ କିପରି ତତ୍କାଳ ସାହାଯ୍ୟକରାଯାଇପାରିବ ସେଥିପାଇଁ ସଂଲଗ୍ନ ରାସ୍ତା ପାଶ୍ୱର୍ସ୍ଥ ଦୋକାନୀ ଓ ବାସୀନ୍ଦାଙ୍କୁ ପ୍ରଶିକ୍ଷଣ ଦିଆଯି ବୋଲି ସେ ପ୍ରକାଶ କରିଛନ୍ତି । ଦୁର୍ଘଟଣାକୁ ରୋକିବା ନିମନ୍ତେ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ଜନଗହଳି ସ୍ଥାନରେ ଯାଞ୍ଚ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି ପ୍ରକାଶ କରିଛନ୍ତି । ଦୁର୍ଘଟଣାକୁ ରୋକିବା ନିମନ୍ତେ ଅଧିକ ଜନସଚେତନତାର ଆବଶ୍ୟକ ବୋଲି ସେ କହିଥିଲେ ।ଜିଲ୍ଲାରେ ମିଳିତ ଭାବେ ପୋଲିସ ଓ ପରିବହନ ବିଭାଗ ଦ୍ୱାରା ଯାନବାହାନ ଚଳାଚଳ ଓ ନିୟନ୍ତ୍ରଣ ଉପରେ ଅଧିକ ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲେ ।
ବୈଠକରେ ଆଂଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମାଝୀ ଦୁର୍ଘଟଣାକୁ ରୋକିବା ନିମନ୍ତେ ଜିଲ୍ଲାର ସମସ୍ତ ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ସାଇନେଜ ବୋର୍ଡ ଲଗାଯାଉଛି ବୋଲି ପ୍ରକାଶ କରିଛନ୍ତି । ଦୁର୍ଘଟଣାକୁ ରୋକିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ସହିତ ପହିବହନ ବିଭାଗ ଓ ପୋଲିସ ବିଭାଗ ମିଳିତ ଭାବେ ଯାଂଚ କରୁଥିବା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ଦୁର୍ଘଟଣାରେ ମୃତ୍ୟୁ ହାର କମିଥିବା ସେ ପ୍ରକାଶ କରିଛନ୍ତି ।
ସଡକ ଦୁର୍ଘଟଣରେ ମୃତ୍ୟୁ ବରଣ କରିଥିବା ୨ଟି ପରିବାରର ସଦସ୍ୟ ଅଭାଗିନୀ ନାଏକ ଏବଂ ମନ୍ଦୋଦରୀ ନାଏକଙ୍କୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ୨ ଲକ୍ଷ ଲେଖାଏଁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା୍ର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପରୁଷୋତମ ସେଠୀ, ହିନ୍ଦୋଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରୀ ଡା.ଅଶୋକ କୁମାର ଦାଶ,ସଡକ ସୁରକ୍ଷା କମିଟିର ସଦସ୍ୟ ପ୍ରଦ୍ୟୁମ୍ନ ରଥ, ରତନ କୁମାର ନାୟର, ଜିଲ୍ଲା ରେଡକ୍ରସ ଶାଖାର ଭାଇସ ଚେୟାରମ୍ୟାନ ବିରଞ୍ଚି ନାରାୟଣ ପାଣି, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବିଡିଓ ମାନେ ଉପସ୍ଥିତ ଥିଲେ ।