ଭାରତୀୟ ଜନ ସଞ୍ଚାର ସଂସ୍ଥାନ: ବିଶ୍ୱ କବି ରବୀନ୍ଦ୍ରନାଥ ଠାକୁର ଓ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଜୟନ୍ତୀ :ଦର୍ଶକଙ୍କୁ ବାନ୍ଧି ରଖିଲା ବର୍ଷାଭିଜା କବିତା ଆସର ସନ୍ଧ୍ୟା !

ଢେଙ୍କାନାଳ: କେଉଁ କବିତାରେ ଦେଶ ପ୍ରେମ ତ କେଉଁ କବିତା କହୁଥିଲା ସ୍ୱାଧୀନତାର କଥା । ପୁଣି କେଉଁ କବିତାରେ ଜାତୀୟତାବୋଧର ପ୍ରତିଫଳନ ଉପସ୍ଥିତ ଦର୍ଶକଙ୍କୁ ନେଇ ଯାଉଥିଲା ଚେତନାର ଭିନ୍ନ ସ୍ତର ଆଡ଼କୁ । ଏମିତି ଏକ ଅବସର ଆଣିଦେଇଥିଲା କଥା ଓ କବିତା ଆସର ‘ଶ୍ରବ୍ଦାଞ୍ଜଳି’ ।

ବିଶ୍ୱ କବି ରବୀନ୍ଦ୍ରନାଥ ଠାକୁରଙ୍କ ୧୬୧ତମ ଜୟନ୍ତୀ ଓ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ଓ ଢେଙ୍କାନାଳ ଲେଖକ ସଂସଦର ମିଳିତ ଆନୁକୂଲ୍ୟରେ କବିତା ଆସର ଅନୁଷ୍ଠିତ ହୋଇଛି ।

ଏଥିରେ ଆଇଆଇଏମସିର ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସମେତ ଲେଖକ ସଂସଦର ସଦସ୍ୟମାନେ ଗୋଟିଏ ପରେ ଗୋଟିଏ କବିତା ଭେଟି ଦେଇଥିଲେ । କିଛି କବିତା ପ୍ରେମ ଉପରେ ଆଧାରିତ ଥିଲା । ପୁଣି କିଛି କବିତାରେ ପ୍ରକୃତିର ଗୁଣଗାନ, ଜୀବନ ଓ ଜୀବିକାର କଥା ବାରି ହୋଇପଡୁଥିଲା । ସବୁ କବିତାର ସ୍ୱାଦ ଥିଲା ଅନନ୍ୟ । ଝିପିଝିପି ବର୍ଷାଭିଜା ଏହି ସନ୍ଧ୍ୟାରେ ଉପସ୍ଥିତ ଦର୍ଶକଙ୍କୁ କବିତାଗୁଡ଼ିକ ବେଶ ଛୁଇଁଥିଲା । ଆଉ ସମସ୍ତଙ୍କୁ ଶେଷ ପର୍ଯ୍ୟନ୍ତ ମଞ୍ଚ ନିକଟରେ ବାନ୍ଧି ରଖିଥିଲା ।

ରବୀନ୍ଦ୍ରନାଥ ଠାକୁର ଓ ବାଞ୍ଛାନିଧି ମହାନ୍ତି ନିଜ କବିତାରେ କିପରି ଜାତୀୟତାବୋଧ ସୃଷ୍ଟି କରିପାରିଥିଲେ, ସେ ସମ୍ପର୍କରେ ଆଇଆଇଏମସି, ଢେଙ୍କାନାଳର ଆଂଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଢେଙ୍କାନାଳ ଲେଖକ ସଂସଦର ଦିପ୍ତୀମୟୀ ଲେଙ୍କା, ଆଇଆଇଏମସିର ଶିକ୍ଷାର୍ଥୀ ଶୁଭଶ୍ରୀ ପ୍ରଧାନ ଓ ଲଳିତ କୁମାର ।

Leave A Reply

Your email address will not be published.

three × two =