ଢେଙ୍କାନାଳ : ରାଜ୍ୟ ତଥା ଦେଶର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଅଲ୍ଟର୍ନେଟିଭ୍ ରିଦମ୍ ଥିଏଟର୍ ଦ୍ୱାରା ପ୍ରସ୍ତୁତ ବହୁ ଚର୍ଚ୍ଚିତ ଚରିତ ନାଟକ “ମୁଁ ଚକରା କହୁଛି” ଏବଂ “ମୁକ୍ତି ସଳିତା” କାତାର ଦେଶର ରାଜଧାନୀ ଦୋହାରେ ପ୍ରଦର୍ଶିତ ହେବ ।
ଉଭୟ ନାଟକ ଓଡିଆ ଭାଷାରେ ହୋଇଥିବା ବେଳେ ସେଥିରେ ଅଲଟରନେଟିଭ ରିଦମ ଥିଏଟରର ନାଟ୍ୟଶିଳ୍ପୀ ମାନେ ଅଭିନୟ କରୁଛନ୍ତି । ବିଶିଷ୍ଟ ବିପ୍ଳବୀ ଚକରା ବିଶୋଇଙ୍କ ଜୀବନୀ ଏବଂ ବୀରତ୍ୱର କାହାଣୀ “ମୁଁ ଚକରା କହୁଛି” ନାଟକରେ ରହିଥିବା ବେଳେ, ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କର ଜୀବନ ସଂଗ୍ରାମ ଏବଂ ବଳିଦାନର କଥା କହିବ “ମୁକ୍ତି ସଳିତା” ନାଟକ ।
ବିଶିଷ୍ଟ ନାଟ୍ୟକାର ମନ୍ମଥ କୁମାର ଶତପଥୀ “ମୁଁ ଚକରା କହୁଛି” ନାଟକ ରଚନା କରିଥିବା ବେଳେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଯୁବ ନାଟ୍ୟକାର ତଥା ନିର୍ଦ୍ଦେଶକ ଦିନେଶ ଦାସ “ମୁକ୍ତି ସଳିତା” ନାଟକ ରଚନା କରିବା ସହିତ ଉଭୟ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ।
କାତାରର ରାଜଧାନୀ ଦୋହାରେ ଥିବା ଭାରତୀୟ ଦୂତାବାସ ଦ୍ୱାରା ସ୍ୱିକୃତୀପ୍ରାପ୍ତ ଉତ୍କଳିକା ଅନୁଷ୍ଠାନ ଦ୍ୱାରା ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ଏବଂ ୮୭ତମ ଉତ୍କଳ ଦିବସ ପାଳନ ଅବସରରେ ଏହି ଦୁଇ ନାଟକ ପ୍ରଦର୍ଶିତ ହେବ । ତେବେ ବିଦେଶରେ ବୀର ଓଡିଆଙ୍କ ଜୀବନ ସଂଗ୍ରାମର କଥା ପ୍ରଦର୍ଶିତ ହେବା ନିଶ୍ଚିତ ଭାବରେ ଓଡିଆ ଜାତି ଏବଂ ଆମ ଦେଶ ପାଇଁ ଗୌରବର କଥା ।