ନବ ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ ସଭ୍ୟାମାନଙ୍କୁ ନେଇ ସଦର ବ୍ଳକରେ ପ୍ରଥମ ସମିତି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ :ସଦର ବ୍ଲକର ସଭାଗୃହ ଠାରେ ନବ ନିର୍ବାଚିତ ସରପଂଚ, ସମିତି ସଭ୍ୟ/ସଭ୍ୟାମାନଙ୍କୁ ନେଇ ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସମିତି ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଖଣି ଇସ୍ପାତ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ବାଚିତ ମହିଳା ପ୍ରତିନିଧିମାନେ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ସଫଳ ରୂପାୟନ କରାଇବା ଆବଶ୍ୟକ ବୋଲି ପରାମର୍ଶ ଦେବା ସହିତ ସମସ୍ତ ମହିଳା ପ୍ରତିନିଧି ମାନଙ୍କ ପଦବୀର ମର୍ଯ୍ୟାଦା ରକ୍ଷା କରିବା ସହ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ । ନିର୍ବାଚନର ମତଭେଦକୁ ଭୁଲି ଯାଇ ପ୍ରତିନିଧିମାନେ ବିଭିନ୍ନ ପଞ୍ଚାୟତ ବାସୀଙ୍କର କାର୍ଯ୍ୟକରି ମୁଖ୍ୟମନ୍ତ୍ରୀଙ୍କର ବିକାଶର ଧାରାକୁ ଆଗେଇ ନେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ ।

ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଅତିଥି ଭାବେ ଯୋଗଦେଇ ପଞ୍ଚାୟତବାସୀଙ୍କ ମୁଳ ସମସ୍ୟା ପାନୀୟ ଜଳ, ଆବାସ ବଣ୍ଟନ, ଭତା ପ୍ରଦାନ ଓ ବିଭିନ୍ନ ଉନ୍ନୟନମୁଳକ ଯୋଜନା ଗୁଡିକ ଦଳମତ ନିର୍ବିଶେଷରେ କାର୍ଯ୍ୟକରିବା ଜରୁରୀ ବୋଲି ମତପ୍ରକାଶ କରିଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ସରକାରୀ ଅଧିକାରୀମାନଙ୍କ ସହିତ ନିର୍ବଚିତ ପ୍ରତିନିଧିମାନେ ସମନ୍ୱୟ ରକ୍ଷା କରି ପଞ୍ଚାୟତବାସୀଙ୍କ ଥିବା ସମସ୍ୟାକୁ ଦୁର କରିବା ଆବଶ୍ୟକ ବୋଲି କହିବା ସହିତ ସରକାରୀ ଅଧିକାରୀମାନେ ମଧ୍ୟ ପଞ୍ଚାୟତରେ ହେଉଥିବା ବିଭିନ୍ନ ବୈଠକରେ ଉପସ୍ଥିତ ରହି ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାରେ ସହାୟକ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧୀର କୁମାର ନାୟକ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଚାଲିଥିବା ଓ ଆଗକୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଇଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଉପାଧ୍ୟକ୍ଷ କାଳନ୍ଦି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ବୈଠକରେ ଅନ୍ୟତମ ଅତିଥି ଭାବେ ଏବିଡିଓ ଝାଡେଶ୍ୱର ଦାସ, ସରକାରୀ ଯନ୍ତ୍ରୀ ଶ୍ରୀମନ୍ତ ଆଚାର୍ଯ୍ୟ, ସଦର ବ୍ଳକ ଜିଲ୍ଲା ପରିଷଦ ଜୋନ ୩ ସଭ୍ୟ ଅଶୋକ ପରିଡା, ଜୋନ ୪ ସଭ୍ୟା ଦିପ୍ତିମୟୀ ଜେନା, ଜୋନ ୧ ସଭ୍ୟା ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ ସମସ୍ତ ୩୦ ଗୋଟି ପଂଚାୟତର ସମିତି ସଭ୍ୟ ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × three =