ସ୍ୱାଧୀନତାର ଅମୃତ ମହୋତ୍ସବରେ କୃଷକ ମେଳା ଆୟୋଜିତ !

ଢେଙ୍କାନାଳ : ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ଏବଂ ‘ଆତ୍ମା’ର ସହଭାଗିତାରେ ମହିଷାପାଟସ୍ଥିତ ଆଞ୍ଚଳିକ ସମ୍ପ୍ରସାରଣ ତାଲିମ ଅନୁଷ୍ଠାନ (ରାଇଟ)ର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି ।

ଏଥିରେ ଭାରତ ସରକାରଙ୍କ ‘କିଷାନ ଭାଗିଦାରୀ ପ୍ରାଥମିକତା ହମାରୀ’ ଅଭିଯାନର ଶୁଭାରମ୍ଭ ସର୍ବଭାରତୀୟ ସ୍ତରରେ କୃଷି ମନ୍ତ୍ରୀ, କୃଷି ରାଷ୍ଟ୍ର ମନ୍ତ୍ରୀ ଏବଂ କୃଷି ସଚିବ ଆଦି ଆଭାସୀ ମାଧ୍ୟମରେ କହିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡଃ ବିମଳେନ୍ଦୁ ମହାନ୍ତି ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ପୁଷ୍ଠଭୂମି ବିଷୟରେ ଆଲୋକପାତ କରିଥିଲେ ।

ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦାନ କରି ‘ପ୍ରାକୃତିକ କୃଷି’ ଏବଂ ‘ମିଲେଟ ଓ ତୈଳବୀଜ’ ଚାଷ ଉପରେ ଆଲୋଚନା କରିଥିଲେ । ଉଦ୍ୟାନ କୃଷି ଉପନିର୍ଦ୍ଦେଶିକା ଗୀତାଶ୍ରୀ ପାଢ଼ୀ, ଜିଲା ମତ୍ସ୍ୟ ଅଧିକାରୀ ପ୍ରଦୀପ୍ତ କୁମାର ଭୂୟାଁ, ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ତୁଷାର ରଞ୍ଜନ ସାହୁ ଓ ଜୀବିକା ମିଶନର ଜିଲା ପ୍ରକଳ୍ପ ପରିଚାଳକ ନିରୋଦ ଚନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରି ସେମାନଙ୍କ ବିଭାଗରେ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଠ ଯୋଜନା ଗୁଡ଼ିକ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ ।

ଉତ୍ସବରେ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ଆସିଥିବା ଓୟୁଏଟିର ଅବସରପ୍ରାପ୍ତ ଉଦ୍ୟାନ କୃଷି ବିଭାଗର ପ୍ରଫେସର ଏବଂ ମୁଖ୍ୟ ଡଃ ପ୍ରଭୁ ଚରଣ ଲେଙ୍କା ଢେଙ୍କାନାଳ ଜିଲା ପରିପ୍ରେକ୍ଷୀରେ ଫଳଚାଷରେ ନୂତନ ଜ୍ଞାନ କୌଶଳ କରି କିପରି ଆୟକୁ ବହୁଗୁଣିତ କରିହେବ ସେ ବିଷୟରେ ଆଲୋକପାତ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ବିମଳେନ୍ଦୁ ମହାନ୍ତି ବିଭିନ୍ନ ଫସଲରେ ପୁଷ୍ଟିଯୁକ୍ତ ବିହନ ବ୍ୟବହାର କରି କିପରି ପୁଷ୍ଟି ସାଧନ କରିହେବ ସେ ବିଷୟରେ ଅବତାରଣା କରିଥିଲେ । ଢେଙ୍କାନାଳସ୍ଥିତ ଆଞ୍ଚଳିକ ଗବେଷଣା କେନ୍ଦ୍ରର ମୁଖ୍ୟ ଡ଼ଃ ଦେବାଶିଷ ସ୍ୱାଇଁ କୃଷକମାନଙ୍କ ଉଦ୍ଦେଶ୍ୟରେ ନୂତନ ଜ୍ଞାନ କୌଶଳର ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । 

ଏହି ମେଳାରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ କୃଷକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୃଷକ, ବୈଜ୍ଞାନିକ ଆଲୋଚନା ଚକ୍ର ଏବଂ କୃଷି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଆଭାସୀ ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମସ୍ତ ଚାଷୀଭାଇ ମାନେ ଦେଖିଥିଲେ । ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ବିମଳେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, କର୍ମଚାରୀ ଯଥା ଉଦ୍ୟାନ କୃଷି ବୈଜ୍ଞାନିକ ଦିବ୍ୟ ସୁନ୍ଦର କର, ଗୃହ ବିଜ୍ଞାନ ସସ୍ମିତା ପାଳ, ପ୍ରାଣୀ ବିଜ୍ଞାନୀ ଡଃ ରୋସନୀବାଳା ନାୟକ, ବନ ବିଜ୍ଞାନୀ ସେଫାଳୀ ରାଉତ, କମ୍ପ୍ୟୁଟର ପ୍ରୋଗ୍ରାମର ନିହାର ରଞ୍ଜନ ବରାଳ, ଫାର୍ମ ମ୍ୟାନେଜର ମନୋଜ କୁମାର ପ୍ରଧାନ, ବିରଜା ପ୍ରସାଦ ଜେନା, ପୁନମ୍‍ ମହାନ୍ତି, ମୋନାଲିସା ଦାସ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

1 × 1 =