***ମା*** ଅନସାର ଅଲୀ ଖାଁ ଢେଙ୍କାନାଳ

ଧନ୍ୟ ତୁମେ ମାତା ଧନ୍ୟ ତୁମେ ପିତାତୁମ ସମ କେହି ନାହିଁ,ଜନମ ଦେଇଛ ଯତନେ ପାଳିଛଆମେତ ଭୁଲିବୁ ନାହିଁ।ଦୁନିଆର ଯେତେ ଶ୍ରଦ୍ଧା, ସେ ସବୁ ମା’ ଠାରୁ ଆରମ୍ଭ ତଥା ମା’ ଠାରେ ଶେଷ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ମା’ ଆଗରେ ସବୁ ତୁଚ୍ଛ ବୋଲି ମନେହୁଏ। ମା’ ର ଦୁଆରେ (ପ୍ରାର୍ଥନାରେ) ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ମଧ୍ୟ ଆସିବାକୁ ଭୟ କରେ, ମା’ ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ ।କହନ୍ତି ଦୁନିଆରେ ସଭିଙ୍କ ଋଣ ସୁଝି ହେବ କିନ୍ତୁ ମା’ ର ଋଣ କେବେ କେବେହେଲେ ଶୁଝି ହେବ ନାହିଁ। ମା’ ର ଭଲ ପାଇବା, ତ୍ୟାଗ, ତପସ୍ୟା ଓ ତା’ର ବଳିଦାନ ଆଗରେ ଆମେ କିଛି ବି କଲେ ମଧ୍ୟ ତାହା ବହୁତ କମ୍ ପଡ଼ିଯିବ।ହଠାତ୍ ଇତିହାସରେ ପଢିଥିବା ଗୋଟିଏ ଘଟଣା ମନେ ପଡ଼ିଲା , ଇତିହାସରେ ଲେଖା ଅଛି ଜଣେ ନିଜ ମା’ କୁ ନିଜ କାନ୍ଧରେ ବସାଇ “ହଜ୍” ପାଇଁ ଗଲେ। (ହଜ୍ , ଇସଲାମୀୟ ପଦ୍ଧତି ଅନୁସାରେ ତୀର୍ଥ କୁ ବୁଝାଏ) ସେ ନିଜ ମା’ କୁ ସଙ୍ଗରେ ନେଇ ୫ଥର ହଜ୍ କରିଥିଲେ , ୫ଥର ହଜ୍ କରି ସାରିବା ପରେ ବ୍ୟକ୍ତି ଜଣଙ୍କ ଖୁସିରେ ଅଧୀର ହୋଇ ପଡିଲେ। ମନରେ ଭାବିଲେ ଯାହା ହଉ ବହୁତ ବଡ଼ କାମ ହେଇ ଗଲା , ମୁଁ ମୋ ମା’ ର ୠଣ ସୁଝି ପାରିଲି। ନିଶ୍ଚିନ୍ତ ହୋଇ ଘରକୁ ଆସିଲେ। ରାତିରେ ନିଜ ଶଯ୍ୟାରେ ଶୋଇବା ପରେ, ସ୍ୱପ୍ନରେ ଜଣେ ଫରିଶ୍ତା (ଦେବଦୁତ) ଆବିର୍ଭାବ ହୋଇ କହିଲେ , ହେ ମାନବ, ଉଠ୍ ! ତୋ ବାଲ୍ୟାବସ୍ଥା ର କିଛି ଘଟଣା ମନେ ପକେଇବା ପାଇଁ ପରମ ପ୍ରତାପି ଅଲ୍ଲାହ ଙ୍କ ଆଦେଶ ଅନୁସାରେ ମୁଁ ଆସିଛି। ମାଘ ମାସର ଶୀତରେ ଦେହ ଥରି ଉଠୁଥାଏ, ସାରା ସଂସାର ବାସୀ ଗନ୍ଥା କମ୍ମଳ ଘୋଡେ଼ଇ ହୋଇ ଶୀତରୁ ବଞ୍ଚିବା ପାଇଁ ବୃଥା ଚେଷ୍ଟା କରୁଥାନ୍ତି। ସେତିକି ବେଳେ ତୁ ନିଜ ବିଛଣାରେ ପରିସ୍ରା କରିଦେଲୁ, ନିଜ ଛୁଆର ଦେହ ଅସୁସ୍ଥ ହୋଇଯିବ ଜାଣି ତୋର ପ୍ରିୟତମା ମା’ ଯଥାଶୀଘ୍ର ବିଛଣା ବଦଳାଇ ଦେଲେ, କିଛି ସମୟପରେ ତୁ ପୁଣି ପରିସ୍ରା କରିଦେଲୁ, ସ୍ନେହମୟୀ ମା’ ତୋ ଉପରେ ରାଗିଲେ ନାହିଁ ବରଂ ଆଉ ଥରେ ବିଛଣା ବଦଳାଇ ଦେଲେ, ହେଲେ ୟେ କ’ଣ ଯେ, ତୁ ତ ପୁଣି ସେ ବିଛଣାକୁ ମଧ୍ୟ ଅସନା କରି ଦେଲୁ, ଏମିତି ବାରମ୍ବାର ବିଛଣା ବଦଳାଇ ବଦଳାଇ ଘରର ସମସ୍ତ ବିଛଣା ସରିଗଲା, ହେଲେ ତୋ ମା’ ତୋତେ ସେ ଭିଜି ଯାଇଥିବା କିମ୍ବା ଅସନା ବିଛଣାରେ କେମିତି ଶୋଇବାକୁ ଦେଇଥାନ୍ତେ ? ଶେଷରେ ସେ ନିଜେ ସେହି ଭିଜି ଯାଇଥିବା ବିଛଣାରେ ଶୋଇ ତୋତେ ତାଙ୍କର ଶୁଖିଲା ବିଛଣାରେ ଶୁଆଇ ଦେଲେ ,ଏମିତି ଅଧା ରାତି କଟିଗଲା । ହେ ପ୍ରଭୁ ୟେ କ’ଣ ହେଲା ? ତୁ ଦୁଷ୍ଟ ,ପୁଣି ତୋ ମା’ର ବିଛଣାରେ ପରିସ୍ରା କରି କାନ୍ଦିବାକୁ ଲାଗିଲୁ। ତୋ ମା’ ବିଚାରି, ତା’ର ତ ଏବେ ହିଁ ଆଖି ଲାଗି ଥିଲା, ନିଜ କୁନି ଛୁଆର କାନ୍ଦଣା ଶୁଣି ଛାନିଆ ହୋଇ ଉଠି ଦେଖୁଛନ୍ତି କ’ଣ ନା, ତୁ ତ ସେଇ ଶେଷ ବିଛଣା ଟିକୁ ମଧ୍ୟ ଭିଜେଇ ସାରିଲୁଣି। ଏହା ଦେଖି ତୋ ସ୍ନେହମୟୀ ମା’, ତୋର ଜନନୀ ତୋ ଉପରେ ରାଗ ହେଲେନି, ବିରକ୍ତ ହେଲେନି, ବରଂ ସନ୍ତାନର କାନ୍ଦିବା ଶୁଣି ତାଙ୍କ ଛାତି ଥରି ଉଠିଲା, ସେ ତିଳେ ମାତ୍ର ବିଳମ୍ବ ନକରି ଶିଘ୍ର ତୋତେ ନିଜ ଛାତିରେ ଲଗେଇ ନିଜ ଗେଲ୍ହା ସନ୍ତାନକୁ ରାତି ଅଧରେ ଗେଲ କରିବାକୁ ଲାଗିଲେ। ରାତି ପାଇବାକୁ ଆହୁରି ବହୁତ ସମୟ ଥାଏ। ତୋର ମା’ ତୋତେ ନିଜ ଛାତିରେ ଶୁଆଇ ସୂର୍ଯ୍ୟୋଦୟ ର ଅପେକ୍ଷା କଲେ , ଆଉ ଏମିତି ଏତେବଡ଼ ଶୀତ ରାତିଟା ତୋ ମା କାଟିଦେଲେ, ଇଏ ତ ମୁଁ ତୋତେ ଗୋଟିଏ ରାତିର ଘଟଣା ଶୁଣାଇଲି। ତୋ ମା’ ତୋ ପାଇଁ ଏମିତି କେତେ ରାତି କାଟି ଛନ୍ତି ତା’ର ହିସାବ ନାହିଁ।ଏତିକି କହି ଦେବଦୁତ ଜଣଙ୍କ କ୍ରୋଧାନ୍ୱିତ ହୋଇ କହିଲେ, ରେ ହତଭାଗ୍ୟ ! ତୁ, ତୋ ମା’ ର ଗୋଟିଏ ରାତିର ୠଣ ମଧ୍ୟ ଶୁଝିପାରି ନାହୁଁ ଆଉ ତୁ କହୁଛୁ, ତୁ ତୋ ମା’ ର ୠଣ ଶୁଝିଲୁ ?ମା’ ସହନଶୀଳତା,ଦୟା, କ୍ଷମା ଗୁଣରେ ମାଟି ଏବଂ ଆବ କାଶ ତୁଲ୍ୟା। ଏକାଧାରରେ ଜନ୍ମଦାତ୍ରୀ, ପାଳନକର୍ତ୍ତୀ, ଶିକ୍ଷାଦାତ୍ରୀ ତଥା ନିଃସ୍ୱାର୍ଥ ବାତ୍ସଲ୍ୟ ଓ ଶୁଶ୍ରୂଷାର ମୂର୍ତ୍ତୀମନ୍ତ ଅନନ୍ୟ ଅତୁଳନୀୟ ଉଦାହରଣ । ତା’ର କୌଣସି ପଟାନ୍ତର ନାହିଁ। ଦୁନିଆରେ ମା’ ଶବ୍ଦର ବିକଳ୍ପ ନାହିଁ,ଦଶ ମାସ ଗର୍ଭରେ ଧାରଣ କରିଥାନ୍ତି, ଶୋହଳ ଶିର ଫଟେଇ ନିଜ ଜୀବନକୁ ବାଜି ରେ ଲଗେଇ ଜନ୍ମ ଦେଇଥିବା ମା’ ସତରେ ସର୍ବ ସହଣୀ । ସନ୍ତାନର ଯେତେ ସବୁ ଅଳି ଅଝଟ କୁ ମା’ ର ହୃଦୟ ହିଁ ବୁଝି ଥାଏ । ବର୍ତ୍ତମାନର ସ୍ବାର୍ଥ ସର୍ବସ୍ବ ଦୁନିଆରେ ମଧ୍ଯ ମା’ ନିଜର ସନ୍ତାନକୁ ପ୍ରତିଷ୍ଠିତ ମଣିଷ କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି । ମା’ ମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ପୁଅ-ଝିଅ ମାନେ ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହେବାର ଗୌରବ ଅର୍ଜନ କରିବାରେ ସକ୍ଷମ ହୋଇଛନ୍ତି। ବାସ୍ତବରେ ମା’ ହିଁ ଆମ ସଫଳତାର ଚାବିକାଠି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନାବିଳ ସ୍ନେହ, ମମତା ସହ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହେବାର ପ୍ରେରଣା କେବଳ ମା’ ହିଁ ସବୁବେଳେ ଦେଇ ଆସିଛନ୍ତି।

Leave A Reply

Your email address will not be published.

six + five =