ଢେଙ୍କାନାଳ : ସଦର ବ୍ଲକ ଗେଙ୍ଗୁଟିଆ ରଣପସି ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲର ୨୪ ଜଣ ଛାତ୍ରଛାତ୍ରୀ ପଶ୍ଚିମବଙ୍ଗ ରାଜ୍ୟର ବାଲୁରଘାଟର ଟେକ୍ନୋ ଇଣ୍ଡିଆ ପବ୍ଲିକ ସ୍କୁଲରେ ଆୟୋଜିତ
ସିବିଏସଇ ଜୋନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଭାଗ ନେଇ ୧ ସ୍ୱର୍ଣ୍ଣ, ୧ରୌପ୍ୟ ଏବଂ ୭ କାଂସ୍ୟ ପଦକ ସଫଳତାର ସହ ହାସଲ କରି ବିଦ୍ୟାଳୟ, ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି, ଏହି ପ୍ରତିଯୋଗିତାରେ ୧୦ଟି ରାଜ୍ୟର ୧୨୦ ବିଦ୍ୟାଳୟ ଭାଗ ନେଇଥିଲେ । ଏଥିରେ ପି. ଶ୍ରୀନିବାସ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆୟୁଷ କୁମାର ପ୍ରଧାନ ରୌପ୍ୟ ପଦକ ହାସଲ କରିଛନ୍ତି । ଶୁଭଶ୍ରୀ ସୌମ୍ୟାଲକ୍ଷ୍ମୀ, ଆଦ୍ୟାଶ ମିଶ୍ର, ୟସୀତା ବାରିହା, ଜୀବନଜ୍ୟୋତି ନାୟକ, ସାହିଲ ପୃଷ୍ଟି, ଶୋଭନ୍ ପ୍ରସନ୍ନ ପାଢ଼ୀ, ସାଇ ପ୍ରିୟାଶୁଂ ସାହୁ ପ୍ରମୁଖ କାଂସ୍ୟ ପଦକ ହାସଲ କରିଥିବା ବେଳେ ସର୍ବ ମୋଟ ବିଦ୍ୟାଳୟ ପାଇଁ ୯ ଟି ପଦକ ହାସଲ କରି ଓଡ଼ିଶାରେ ସର୍ବୋଚ୍ଚ ପଦକ ଧାରୀ ପଦ ହାସଲ କରିପାରିଛି ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ । ଏହି ପ୍ରତିଯୋଗିତାରେ କୋଚ ଭାବରେ ସ୍କୁଲର ତାଇକୋଣ୍ଡୋ ପ୍ରଶିକ୍ଷକ, ଗୁରୁଦେବଜୀ ଗୁରୁକୁଳର ପ୍ରତିଷ୍ଠାତା ତଥା ନ୍ୟାସନାଲ କୋଚ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ମ୍ୟାନେଜର ଭାବେ କ୍ରୀଡ଼ା ଶିକ୍ଷୟିତ୍ରୀ ନର୍ମଦା ମହାପାତ୍ର ଟିମ ସହ ଯାତ୍ରା କରିଥିଲେ । ଏହି ସଫଳତା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ରମେଶ ଚନ୍ଦ୍ର ସେଠୀ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ କୋଚ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଏହି ସଫଳତା ହାସଲ ନିମନ୍ତେ ଧନ୍ୟବାଦ ଦେବା ସହ ସମ୍ବର୍ଦ୍ଧିତ କରିଥିଲେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ଓ ସ୍କୁଲର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ସଫଳତା ପାଇଁ ସ୍କୁଲର ମ୍ୟାନେଜିଙ୍ଗ କମିଟି, ଅଭିଭାବକ ଏବଂ ଢେଙ୍କାନାଳବାସୀ କ୍ରୀଡ଼ାବିତ ମାନଙ୍କୁ ପ୍ରସଂଶା କରିଛନ୍ତି ।