ଢ଼େଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ବାଉଁଶ ପୋଖରୀ ପଂଚାୟତ ଅନ୍ତର୍ଗତ କର୍ଣ୍ଣପୁର ଗ୍ରାମର ଜନୈକ ଯୁବକ ବାଙ୍ଗାଲୋର କୁ ଦାଦନ ଖଟିବାକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି । ଯାହା ଫଳରେ ସ୍ଥାନୀୟ ଅଂଚଳରେ ଶୋକର ଲହରୀ ଖେଳିଯାଇଛି। ସୂଚନା ଅନୁଯାୟୀ କର୍ଣ୍ଣପୁର ଗ୍ରାମର ପ୍ରହ୍ଲାଦ ସାହୁଙ୍କ କନିଷ୍ଠ ପୁତ୍ର ପଙ୍କଜ ଲୋଚନ ସାହୁ କନ୍ତାମିଲା ପଂଚାୟତ ଖଜୁରିଆମୁଣ୍ଡା ଗ୍ରାମର ମହି ନାମକ ଏକ ବ୍ୟକ୍ତିଙ୍କ ସହ ବାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇ ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ। ପ୍ରାୟ ୬ ମାସ ହେବ ଘରୁ ପଙ୍କଜ ଯାଇଥିବା ବେଳେ ମହି ଏବଂ ପଙ୍କଜ ଏକାଠି ଗୋଟିଏ ରୁମ୍ ରେ ରହୁଥିଲେ। ବୁଧବାର ଏକାଠି ଦୁଇଜଣ ମିଶି ଖାଇସାରିବା ପରେ ମହି ରାତି ପ୍ରାୟ ୯:୩୦ ମିନିଟ୍ ସମୟରେ ଘରୁ ବାହାରକୁ କୌଣସି କାମରେ ଚାଲିଯାଇଥିଲେ। ସେଠାରୁ ଫେରି ଘର କବାଟ ଖୋଲିବାକୁ କବାଟ ବାଡ଼େଇ ଥିବାବେଳେ ପଙ୍କଜ ଆଉ କବାଟ ଖୋଲିନଥିଲେ। ଯାହା ଫଳରେ ରାତି ତମାମ ବାହାରେ ଅପେକ୍ଷା କରି ରହିଥିବା ବେଳେ ସକାଳ ସମୟରେ ଘର ମାଲିକଙ୍କୁ କହିବା ପରେ କବାଟ ଖୋଲାଯାଇଥିଲା। ଘର ଖୋଲିବା ପରେ ପଙ୍କଜ ଙ୍କ ମୃତ ଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଘର ମାଲିକ ଏ ସଂପର୍କରେ ପୋଲିସ୍ କୁ ଜଣାଇବା ପରେ ପୋଲିସ୍ ଶବକୁ ଜବତ କରି ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ଜଣାପଡ଼ିଛି। ଏ ଘଟଣା ପରିବାରବର୍ଗ ଜାଣିବା ପରେ ପଙ୍କଜ ଙ୍କ ମାଆ କସ୍ତୁରୀ ସାହୁ ଉପଜିଲ୍ଲାପାଳ ହିନ୍ଦୋଳ ଙ୍କୁ ନିବେଦନ କରିବାରୁ ବାଙ୍ଗାଲୋରରୁ ଶବ ଆଣିବାକୁ ବ୍ୟବସ୍ଥା କରିବାକୁ ଶ୍ରମ ଅଧିକାରୀଙ୍କୁ ଉପଜିଲ୍ଲାପାଳ କହିଥିଲେ। ଏହାକୁ ନେଇ ହିନ୍ଦୋଳ ଥାନାରେ ଏକ ମାମଲା ରୁଜ୍ଜୁ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ପଙ୍କଜ ଙ୍କ ବଡ଼ ଭାଇ ଗୋପବନ୍ଧୁ ବାଙ୍ଗାଲୋରରେ ଥିବାବେଳେ ସେଠାରେ ଶବ ବ୍ୟବଚ୍ଛେଦ ପରେ ଶବ ଆସିବ ବୋଲି ଜଣାପଡ଼ିଛି। ତେବେ ପଙ୍କଜ କିପରି ଆଉ କେଉଁ ପରିସ୍ଥିତିରେ ମୃତ୍ୟୁବରଣ କଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପଙ୍କଜ ଙ୍କ ମୃତ୍ୟୁ ରହସ୍ୟ ର ପର୍ଦ୍ଦାଫାଶ କେବେ ହବ ତାହା ଦେଖିବାକୁ ବାକି ରହିଲା।