ଆବାସ ତାଲିକାରୁ ବାଦ ପଡିଲେ ଯୋଗ୍ୟ ହିତାଧିକାରୀ , ଲଗାଣ ବର୍ଷା ରେ ଭାଙ୍ଗିଲା ଘର ପର ଘରେ ନେଉଛନ୍ତି ଆଶ୍ରୟ ……
ଢ଼େଙ୍କାନାଳ : ପ୍ରତିଟି ଗରିବ ଅସହାୟ ପରିବାର କୁ ସରକାର ଆବାସ ଯୋଜନା ରେ ସାମିଲ୍ କରି ଘର ଖଣ୍ଡିଏ ଯୋଗାଇ ଦେଉଛନ୍ତି I କିନ୍ତୁ ରାଜନୀତିର ପଶାପାଲିରେ ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ। ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ଦୌଡି ଦୌଡି ହତାସ ହୋଇପଡୁଛନ୍ତି ହିତାଧିକାରୀ। ଫଳରେ ଘର ଖଣ୍ଡିକ ସତେଯେପରି ଏମାନଙ୍କ ପାଇଁ ସାତସପନ ପାଲଟିଛି।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମପଞ୍ଚାୟତ ୧୨ ନମ୍ଵର ୱାର୍ଡ ର ନିରଞ୍ଜନ ସାହୁ। ଦିନ ମଜୁରୀଆ ଭାବେ ନିରଞ୍ଜନ ପରିବାର ପ୍ରତିପୋଷଣ କରୁଛନ୍ତି I ନିରଞ୍ଜନ ଙ୍କ ପରିବାର କହିଲେ ପାଞ୍ଚପ୍ରାଣୀ କୁଟୁମ୍ବକୁ ନେଇ ତେଲଲୁଣର ସଂସାର। ସରକାରୀ ସହାୟତା କହିଲେ ମାତ୍ର ୨୫ କେଜି ଚାଉଳ। ହେଲେ ୧୬ ବର୍ଷତଳେ ବଡପୁଅ ଲିଭର ଜନିତ ରୋଗରେ ପଡିବାରୁ ତାର ଚିକିତ୍ସା ପାଇଁ ଯାଗାବାଡି ବିକ୍ରି କରିଥିଲେ ମଧ୍ୟ ପୁଅକୁ ବଞ୍ଚାଇବାରେ ଅସମର୍ଥ ହୋଇଛନ୍ତି। ଏହାକୁନେଇ ସ୍ବାମୀସ୍ତ୍ରୀ ଭାଙ୍ଗି ପଡିବା ସହ ପୁଅର ଚିକିତ୍ସାରେ ହୋଇଥିବା ଧାରକରଜ କେମିତି ସୁଝିବେ ଚିନ୍ତାରେ ଅଛନ୍ତି। ଏପଟେ ଅଭାବ ଅସୁବିଧାରେ ଥିବାରୁ ଘର ଖଣ୍ଡିକ ଛପର ମଧ୍ୟ କରିପାରିନାହାନ୍ତି। ଫଳରେ ଦିନରେ ଖରା ଓ ରାତିରେ ତାରା ଦିଶୁଛି। ଲଗାଣ ବର୍ଷାରେ ଦୁଇଦିନ ତଳେ ଘରର କାନ୍ଥ ପଡିଯିବାରୁ ନିରଞ୍ଜନ ପରିବାରର ଦୁଃଖ ବୋଝ ଉପରେ ଲଳିତା ବିଡା ସଦୃଶ ପାଲଟିଛି। ସେହିପରି ଶୋଇବା ଘରର କାନ୍ଥ ଫାଟି ଆଁ କରିଥିବାରୁ ସମସ୍ତେ ଭୟଭିତ ଅବସ୍ଥାରେ ପରଘରେ ଆଶ୍ରୟ ନେଇଛନ୍ତି। ଏପଟେ ନିରଞ୍ଜନର ପଡୋଶୀ ମାନେ, ଏପରିକି ନିଜ ସାନଭାଇ ଆବାସ ଯୋଜନାରେ ଘର ପାଇଥିବା ବେଳେ କାହିଁକି ଯେ ତାଙ୍କୁ ଘର ମିଳୁନି ଏକଥା ସବୁବେଳେ ଭାବିଭାବି ରାତିରେ ନିଦ ହେଉନି। ପୂର୍ବରୁ ପଞ୍ଚାୟତ ସିରିଆଲରେ ୯୨୪ରେ ଘର ପାଇବା ପାଇଁ ଯୋଗ୍ୟ ଥିବାବେଳେ ଘର ଖଣ୍ଡିକ ପାଇ ପାରୁନାହାନ୍ତି। ପିଲାଛୁଆ ସୁରକ୍ଷିତରେ ରହିବା ପାଇଁ ନିରଞ୍ଜନର ପରିବାର ସରକାରଙ୍କୁ ଘର ଖଣ୍ଡିକ ପାଇଁ ଦୁଖଃଭରା କଣ୍ଠରେ ନିବେଦନ କରିଛନ୍ତି। ଲଗାଣ ବର୍ଷାରେ ନିରଞ୍ଜନର ଘର ଫାଟି ଆଁ କରିବା ଓ ଭାଙ୍ଗି ଯିବାପରେ ପଡୋଶୀ ମାନେ ତାର ପିଲାଛୁଆଙ୍କୁ ଦୁଇଦିନ ହେଲା ସାହା ହୋଇଛନ୍ତି। ନିରଞ୍ଜନ ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ ହୋଇଥିବା ବେଳେ ତୁରନ୍ତ ନିରଞ୍ଜନର ସ୍ଥାୟୀ ପ୍ରତିକାର ସହ ଆବାସ ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।