**** ସ୍ମୃତି ଓ ଅନୁଭୂତି **** ନବୀନ ନନ୍ଦ, ପୂର୍ବତନ ବିଧାୟକ ଢ଼େଙ୍କାନାଳ

ଢେ଼ଙ୍କାନାଳ ରାଜନୀତି ର ବିଗତ ୨୦ବର୍ଷର ଇତିହାସ ର ଅବଲୋକନ ଓ ସମୀକ୍ଷା କରିବାର ସମୟ ଉପନୀତ !

ବିଚାର ଆପଣ ମାନଙ୍କ ର ….. ?
ଢ଼େଙ୍କାନାଳ: ଓଡ଼ିଶାରେ ବିଗତ ୨୦୦୦ ମସିହା ରୁ ଅଦ୍ୟାବଧି ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଭାବେ ନବିନ ପଟ୍ଟନାୟକ ଙ୍କ ଲମ୍ବା ଅବଧି ରେ ଗନ୍ଦିଆ ଓ ଢେ଼ଙ୍କାନାଳ ଙ୍କୁ ସରକାର ଙ୍କ ଅବଦାନ ବିଷୟରେ ମୋର ସମ୍ୟକ୍ ଉପସ୍ଥାପନା କେବଳ ଆପଣ ମାନଙ୍କୁ ମନେ ପକେଇ ଦେବା ପାଇଁ ଉଦ୍ଦିଷ୍ଟ ।
୧- ବିଗତ ୨୦୦୦ ମସିହାରେ କଂଗ୍ରେସ ଦଳ ର କୁ ଶାସନ ର ଅନ୍ତ ଘଟାଇ ରାଜ୍ୟରେ ବିଜେଡ଼ି ଓ ବିଜେପି ର ମେଣ୍ଟ ସରକାର ହୁଏ ଓ ତାହାର ନେତୃତ୍ଵ ନିଅନ୍ତି ଦିବଗନ୍ତ ନେତା ତଥା ଜନ ନାୟକ ବିଜୁ ପଟ୍ଟନାୟକ ଙ୍କ ସୁପୁତ୍ର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।
୨- ମୁଁ ପ୍ରଥମ କରି ବିଜେଡ଼ି ବିଜେପି ଦଳ ର ମେଣ୍ଟ ପ୍ରାର୍ଥୀ ରୂପେ ୧୧୯-ଗନ୍ଦିଆ ନିର୍ବାଚନ ମଣ୍ଡଳୀ ରୁ ବିଜୁ ଜନତା ଦଳ ର ପ୍ରାର୍ଥୀ ରୂପେ ନିର୍ବାଚିତ ହେଲି । ୧୯୯୯ ମହାବାତ୍ୟା ପର ର ଧ୍ବସ୍ତ ବିଧ୍ବସ୍ତ
“ଗନ୍ଦିଆ” ର ପୁନର୍ଗଠନ କାର୍ଯ୍ୟର ଆରମ୍ଭ ହେଲା ୨୦୦୦ ମସିହାରେ ।
୩- ମୋର ସେହି ୪ ବର୍ଷ ର ଅବଧି ଭିତରେ ୬୦୦୦ ରୁ ଅଧିକ ଆବାସ ଯୋଜନାରେ ଗୃହ ନିର୍ମାଣ ହେବାସହ ପ୍ରାୟ ୮୦ଟି ଗ୍ରାମରେ ପ୍ରଥମ କରି “କଂକ୍ରିଟ ରୋଡ” ର କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ବାଚନ ମଣ୍ଡଳୀ ର ପ୍ରଥମ କରି ପାନୀୟ ଜଳ ଯୋଗାଣ କାର୍ଯ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କର କମଳ ରେ ଉଦ୍ଘାଟନ କରାଯାଇଥିଲା। ପ୍ରଥମ କରି ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ଅନେକ ଗ୍ରାମ କୁ ରାସ୍ତା ନିର୍ମାଣ ହୋଇଥିଲା । ପାଖା ପାଖି ୫୦ଟି ଉଠା ଜଳସେଚନ ପ୍ରକଳ୍ପ କୁ ମରାମତି କରାଯାଇ ଥିଲା । ଅନେକ ସ୍କୁଲ ଘର ର ମରାମତି ଓ ନୂତନ ସ୍କୁଲ ଗୃହ ର ନିର୍ମାଣ ହୋଇଥିଲା ।ମୋର ସେହି ସ୍ୱଳ୍ପ ଅବଧି ଭିତରେ ଗନ୍ଦିଆ ନିର୍ବାଚନ ମଣ୍ଡଳୀ କୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନିଜେ ପ୍ରାୟ ୭ଥର ନିଜେ ଆସି ପାଖାପାଖି ୫୦ଟି ପ୍ରକଳ୍ପ କୁ ଉଦ୍ଘାଟନ କରିଥିଲେ । ଉନ୍ନୟନ କାର୍ଯ୍ୟ କିପରି ହୁଏ ତାହା ଗନ୍ଦିଆ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ପ୍ରଥମ କରି ହୃଦୟଙ୍ଗମ କରି ପାରିଥିଲେ ।
କିନ୍ତୁ ଦୁର୍ଭାଗ୍ୟ ବଶତଃ ଏକ ରାଜନୈତିକ ଚକ୍ରାନ୍ତ ର ଶିକାର ହୋଇ ୨୦୦୪ରେ ମୋର ଟିକେଟ କଟିଗଲା ଓ ମୁଁ ସ୍ବାଧିନ ଭାବରେ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରି ହାରି ଯାଇଥିଲି ।
୪- ୨୦୦୪ ମସିହାରେ ଗନ୍ଦିଆ ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ରୁ ଟିକେଟ ପାଇ ସରୋଜ ସାମଲ ନିର୍ବାଚିତ ହେଲେ । ନବୀନ ପଟ୍ଟନାୟକ ପୁଣି ସେହି ମେଣ୍ଟ ସରକାର ର ମୁଖ୍ୟମନ୍ତ୍ରୀ ହେଲେ । ତାଙ୍କ ସମୟରେ କଣ କାମ ହେଲା କି ନହେଲା ମୁଁ କହିବା ସମିଚୀନ ନୁହେଁ। ମୋର ଗୋଟିଏ କଥା ମନେପଡେ ସେତେବେଳେ ଶ୍ରୀ ସାମଲ ଜଣେ ଶିଳ୍ପପତି ର ପରିଚୟ ନେଇ
ଗନ୍ଦିଆ ଆସିଥିଲେ ଓ ଗନ୍ଦିଆ ରେ ଶିଳ୍ପ କାରଖାନା କରିବାର ରଙ୍ଗୀନ ସ୍ବପ୍ନ ଗନ୍ଦିଆ ବାସି ଙ୍କୁ ଦେଖାଇ ଥିଲେ ।ସେହି ୫ବର୍ଷ ରେ କେତେ ଶିଳ୍ପ ହେଲା କି ନହେଲା ତାହା ଆପଣ ମାନେ ଭଲ ଭାବରେ ଜାଣିଛନ୍ତି ।ମୋର ଜାଣିବାରେ ୨/୩ ଟି ମଦ କାରଖାନା ଲାଉଲଇ,ଦିଗମ୍ବର ପୁର ଓ ସୋ ରି ସି ଆ ପ ଦା ଠାରେ ହୋଇଥିଲା । ସେହି ୫ ବର୍ଷ ଭିତରେ ମୁଖ୍ୟ ମନ୍ତ୍ରୀ ଥରୁଟିଏ ବି
ଗନ୍ଦିଆ ଆସି ନାହାନ୍ତି ।
୫- ସବୁଠାରୁ ଦୁଃଖର ବିଷୟ ଏହିକି ଯେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ରେ ଗନ୍ଦୀଆ ନିର୍ବାଚନ ମଣ୍ଡଳୀ ଶ୍ରୀ ସାମଲ ଙ୍କ ସମୟରେ ସବୁଦିନ ପାଇଁ ବିଲୋପ ହୋଇ ଗଲା । ସେଥିରେ ଶ୍ରୀ ସାମଲ ଯେଉଁ ସାହାଯ୍ୟ କଲେ ସେଥିପାଇଁ ସେ “ଶ୍ରେଷ୍ଠ ବିଧାୟକ”ର ଆୱାର୍ଡ଼ ମଧ୍ୟ ପାଇଥିଲେ । ଆମେ ଯେତେ ବିରୋଧ କଲେ ବି ତାହା କିଛି କମରେ ଆସିଲା ନାହିଁ। ଓଡ଼ିଶାର ର ରାଜନୈତିକ ମାନଚିତ୍ର ରୁ ଗନ୍ଦୀଆ ନିର୍ବାଚନ ମଣ୍ଡଳୀ ର ସବୁଦିନ ପାଇଁ ବିଲୁପ୍ତ ହୋଇ ଢେ଼ଙ୍କାନାଳ ରେ ” ସ୍ବର୍ଗତ ପ୍ୟାରୀ ମହାପାତ୍ର”ଙ୍କ ଦୟାରେ ଏକ ନୂତନ” ପରଜଙ୍ଗ” ନିର୍ବାଚନ ମଣ୍ଡଳୀ ର ଅଭୁଦୟ ୨୦୦୭ ମସିହା ରେ ସୃଷ୍ଟି ହେଲା । ସେହି ୨୦୦୭ ବର୍ଷ ଟି” ଗନ୍ଦୀଆ ବାସି” ଙ୍କ ପାଇଁ କଳା ଦିନ ହୋଇ ଆଜି ପର୍ଯ୍ୟନ୍ତ ରହିଗଲା ଓ ରହିଥିବ ମଧ୍ୟ । ଗନ୍ଦିଆ ନିର୍ବାଚନ ମଣ୍ଡଳୀ ର ଏକ ବୃହତ୍ ଅଂଶ କୁ ଭୌଗଳିକ ପ୍ରତିବନ୍ଧକ ଥିଲେବି ତାକୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ରେ ମିଶେଇ ଦିଆ ଗଲା । କୁ
୬- ୨୦୦୯ ମସିହାରେ ନୂତନ କରି ୫୫- ଢେ଼ଙ୍କାନାଳ ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ହେଲା ।ବିଜେଡ଼ି ରୁ ମୁଁ ବହିଷ୍କୃତ ହେବାପରେ ରାଜ୍ୟରେ ଏକ ନୂତନ ରାଜନୈତିକ ଦଳ “ଏନ୍ ସି ପି” ର ଅଭୂଦୟ ହେଲା ।ମୁଁ ସେହି ଦଳ ରୁ ନୂତନ ଭାବେ ପୁନର୍ଗଠିତ” ଢେ଼ଙ୍କାନାଳ” ରୁ ପ୍ରାର୍ଥୀ ହେଲି ଓ ବିଜୁ ଜନତା ଦଳ ମୋ ବିରୁଦ୍ଧରେ ପ୍ରାର୍ଥୀ ଦେଲା ନାହିଁ ।ରାଜନୈତିକ ବାଧ୍ୟ ବାଧକତା ଯୋଗୁ ମୁଖ୍ୟମନ୍ତ୍ରୀ ଏନ୍ ସି ପି ଦଳ ସହ ବୁଝାମଣା କରିବାକୁ ବାଧ୍ୟ ହେଲେ ! ମୁଁ ସେହି ନିର୍ବାଚନ ରେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ଓ କଂଗ୍ରେସ ପ୍ରାର୍ଥୀ ସୁଧୀର ସାମଲ ଙ୍କୁ ୭୦୦୦ରୁ ଅଧିକ ଭୋଟ ରେ ହରାଇ ରାଜ୍ୟ ବିଧାନ ସଭା କୁ ନିର୍ବାଚିତ ହେଲି । ରାଜ୍ୟରେ ବିଜେପି ଓ ବିଜେଡି ର ମେଣ୍ଟ ଭାଙ୍ଗିଗଲା ।ବିଜେଡ଼ି ରାଜ୍ୟରେ ଆମ୍ଭ ନୂଆ ଦଳ ଏନ୍ ସି ପି ସହ ବୁଝାମଣା କରି ସରକାର କଲା ।ନବୀନ ପଟ୍ଟନାୟକ ପୁଣି ବହୁମତ ରେ ମୁଖ୍ୟମନ୍ତ୍ରୀ ହେଲେ ।
୭- ମୁଁ ନୂତନ ଭାବେ ଗଠିତ ଢେ଼ଙ୍କାନାଳ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହେଲା ପରେ ୨୦୦୪ରୁ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକ ପୁଣି ଆରମ୍ଭ କରିଥିଲି । ମୋର ସେହି ୫ବର୍ଷ ର ଅବଧି ଭିତରେ ଢେ଼ଙ୍କାନାଳ ରେ ଅନେକ ବଡ ବଡ କାମ ହୋଇଥିଲା ।ମାନ୍ୟବର ମୁଖ୍ୟ ମନ୍ତ୍ରୀ ଏହି ସମୟ ଭିତରେ ଢେ଼ଙ୍କାନାଳ କୁ ପ୍ରାୟ ୭ଥର ଗସ୍ତ କରି ଅନେକ ପ୍ରକଳ୍ପ ର କାର୍ଯ୍ୟ ଆରମ୍ଭ କରିଥିଲେ । ତା ଭିତରୁ ଢେ଼ଙ୍କାନାଳ ର ନୂଆ ମେଡିକାଲ,
ସିମିଲିଆ ଫ୍ଲାଇ ଓଭର, ଟାଉନ ରାସ୍ତା ର ସମ୍ପ୍ରସାରଣ, ଗୋବିନ୍ଦପୁର ମ୍ୟଙ୍ଗୋ ହବ୍,ପୀଙ୍ଗୁଆ ନୂଆ ଗ୍ରିଡ ସବ ଷ୍ଟେସନ,କପିଳାସ ଟାଙ୍ଗୀ ରାସ୍ତା,ଢେ଼ଙ୍କାନାଳ ମନ୍ଦାର ରାସ୍ତା , କାଇମାଟି – ଯୋରନ୍ଦା ରାସ୍ତା, କପିଳାସ ଓ ସପ୍ତଶଯ୍ୟା ର ଉନ୍ନୟନ କାର୍ଯ୍ୟ, ଢେ଼ଙ୍କାନାଳ ମଡେଲ ବସ ଷ୍ଟାଣ୍ଡ ପାଇଁ ମହିଷପାଟ ଠାରେ ଜାଗା ନିରୂପଣ , ଢେ଼ଙ୍କାନାଳ ଭାପୁର ରୋଡ ,ଢେ଼ଙ୍କାନାଳ ଶଙ୍କର ପୁର ରାସ୍ତା ,ଢେ଼ଙ୍କାନାଳ ଦକ୍ଷିଣକାଳୀ ରେ ନୂତନ ଗ୍ରିଡ
ଷ୍ଟେସନ,ଅନେକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପ୍ରଭୁତି ଅନ୍ୟତମ ।
୮- ୨୦୧୪ ମସିହା ପରେ ଆଜି ପର୍ଯ୍ୟନ୍ତ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଏହି ୧୦ବର୍ଷ ଭିତରେ କେତେଥର ଢେ଼ଙ୍କାନାଳ ଗସ୍ତରେ ଆସିଅଛନ୍ତି ମୋର ପରବର୍ତ୍ତୀ ବିଧାୟକ ମାନେ ଆପଣଙ୍କୁ ନିଶ୍ଚୟ କହିବେ ? ମୋର କହିବା କଥା ସେହି ଜଣେ ମୁଖ୍ୟମନ୍ତ୍ରୀ ଙ୍କ ସମୟରେ ଯଦି ମୋ ସମୟରେ ଏତେ କାମ ହୋଇ ପାରିଲା ତେବେ ଏବେ କାମ ନ ହୋଇ ପରିବାର କାରଣ କଣ ? “ସରକାର ତ ସମାନ” “ମୁଖ୍ୟମନ୍ତ୍ରୀ ବି ସମାନ” ତେବେ ଅସୁବିଧା କେଉଁଠି ? ମୂଳ କଥା ହେଉଛି ଏଠି ଆମର ବିଧାୟକ ମାନଙ୍କୁ ସମୟ ନାହିଁ “ଲୋକ ଙ୍କ କଥା ବୁଝିବାକୁ” ? ଏ କଥା ହୁଏତ କାହାକୁ କଷ୍ଟ ଦେଇ ପାରେ କିନ୍ତୁ ଏହା ବିଲକୁଲ ସତ୍ୟ ।
୯- ୨୦୦୯ ରେ ମୁଁ ଏନ୍ ସି ପି ଦଳ ରୁ ବିଧାୟକ ହୋଇଥିଲେ ବି ୨୦୧୨ମସିହାରେ” ପ୍ୟାରୀ ମହାପାତ୍ର ଙ୍କ “ମିଡ ନାଇଟ ଅପରେସନ” ପରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଅନୁରୋଧ ରକ୍ଷା କରି ଆମ୍ଭ ଦଳ କୁ ୨୦୧୨ ଜୁନ ମାସ ୫ ତାରିଖରେ ବିଜେଡ଼ି ରେ ଏନ୍ ସି ପି ର ବିଲୟ ଘଟିଲା ଓ ଆମେ ୪ଜଣ ଏନ୍ ସି ପି ର ବିଧାୟକ ବି ଜେ ଡି ରେ ମିଶିଗଲୁ । କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୪ରେ ଅନ୍ୟ ୩ ଜଣ ଙ୍କୁ ଛାଡି ମୋତେ ବିଶ୍ୱାସ ଘାତକତା କରି ଟିକେଟ ଦେଲେ ନାହିଁ । ମୋର ଏନ୍ ସି ପି ରୁ ଯାଇ ବିଜେଡ଼ି ରେ ମିଶିବା ଓ ନବୀନ ପଟ୍ଟନାୟକ ଙ୍କୁ ବିଶ୍ୱାସ କରିବା ସେତେବେଳ ର ଭୁଲ ନିଷ୍ପତି ଥିଲା । ମୁଁ ମଧ୍ୟ ୨୦୧୪ମସିହା ରେ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରିଲି ନାହିଁ।
୧୦- ବିଗତ ୨୦୧୪ମସିହାରୁ ୨୦୨୩ମସିହା ଭିତରେ ଦୁଇଜଣ ବିଧାୟକ ଢେ଼ଙ୍କାନାଳ କୁ ପ୍ରତିନିଧିତ୍ଵ କରିଛନ୍ତି । ମୋର ସେହି ବିଧାୟକ ବନ୍ଧୁ ମାନଙ୍କୁ ଓ ଢେ଼ଙ୍କାନାଳ ର ସଚେତନ ଜନସାଧାରଣ ଙ୍କୁ ଗୋଟିଏ ପ୍ରଶ୍ନ ବିଗତ ୯ ବର୍ଷ ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଢେ଼ଙ୍କାନାଳ କେତେଥର ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ଓ ଉଦ୍ଘାଟନ କରିଛନ୍ତି ?
ନିର୍ବାଚନ ସମୟରେ ରେ ଢେ଼ଙ୍କାନାଳ ଆସିଛନ୍ତି । ଯଦି ମୋର ୯ ବର୍ଷ ର ଅବଧି ଭିତରେ ୧୪ଥର ଢେ଼ଙ୍କାନାଳ ମୁଖ୍ୟମନ୍ତ୍ରୀ ଆସି ପାରିଲେ ତେବେ ବିଗତ ୧୫ ବର୍ଷ ଭିତରେ କଣ ଥରୁଟିଏ ଆସି ପାରିଲେ ନାହିଁ ? ତା ଭିତରୁ ସରୋଜ ସାମଲ ନକର ୧୦ ବର୍ଷ ଓ ସୁଧୀର ସାମଲ ଙ୍କ ର ୫ ବର୍ଷ ଅଛି ।
୧୧- ମୁଁ ଗନ୍ଦିଆ ଲୋକ ଙ୍କୁ ଧନ୍ୟବାଦ୍ ନିଶ୍ଚୟ ଦେବି ସେମାନେ ସୁଧୀର ସାମଲ ମାନ୍ୟବର ଢେ଼ଙ୍କାନାଳ ର ବିଧାୟକ ଙ୍କୁ ୪୦ହଜାର ରୁ ଅଧିକ ଭୋଟ ଦେଇଥିଲେ ଓ ମୋର କଂଗ୍ରେସ ଦଳ ର ପ୍ରାର୍ଥୀତ୍ବ କୁ ୨୦୧୯ ରେ ପ୍ରତ୍ୟାଖାନ କରିଥିଲେ । ସେମାନେ ଭାବିଥିଲେ ବିଧାୟକ ସୁଧୀର ବାବୁ ଜଣେ ବିଶିଷ୍ଟ ଶିଳ୍ପ ପତି ।ତାଙ୍କ ଘର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ରେ ହେଲେ ବି ଢେ଼ଙ୍କାନାଳ ନିର୍ବାଚନ ମଣ୍ଡଳୀ ରେ ତାଙ୍କ ପ୍ରଚେଷ୍ଟା ରେ ଶିଳ୍ପ କାରଖାନା ହେବ ଓ ଢେ଼ଙ୍କାନାଳ ର ଶିକ୍ଷିତ ବେକାର ଯୁବକ ନିଯୁକ୍ତି ପାଇବେ । କିନ୍ତୁ ସେମାନଙ୍କ ଆଶା ଆଶାରେ ରହିଗଲା । ଗନ୍ଦିଆ କି ଢେ଼ଙ୍କାନାଳ ସଦର ରେ ଛୁଞ୍ଚି କାରଖାନା ଟିଏ ବି ହୋଇ ପାରିଲା ନାହିଁ ! ଆଜି ଢେ଼ଙ୍କାନାଳ ରେ କଳିଙ୍ଗ ସୂତାକଳ ଅଚଳ । ସେ ଗୋବିନ୍ଦ ପୁର ଲୋକ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତାକୁ ଚଳାଇବା ପାଇଁ ।ସେ ପ୍ରତିଶ୍ରୁତି ମନେ ଅଛିତ? ଗୋବିନ୍ଦପୁର ରେ ମ୍ୟଙ୍ଗୋ ହବ୍ ଟି ଏବେ ଖତ ଖାଉଛି । ଢେ଼ଙ୍କାନାଳ ମେଡିକାଲ ଟି ୩୦୦ବେଡ ର ହୋଇଥିଲେ ବି ୫୦ରୁ ଅଧିକ ଡାକ୍ତର ପଦବୀ ଖାଲି ।ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ଘରୋଇ ମେଡିକାଲ ମାନଙ୍କ ଦ୍ଵାରା କୋଟି କୋଟି ଟଙ୍କା ହରିଲୁଟ ହେଉଛି ।ଅବଶ୍ୟ ବିଧାୟକ ଙ୍କ ର ଏକ ନିଜସ୍ଵ ଘରୋଇ ମେଡିକାଲ ଅଛି ! ଢେ଼ଙ୍କାନାଳ ର ୯୦ଭାଗ ଉଠା ଜଳ ସେଚନ ପ୍ରକଳ୍ପ ଅଚଳ ! ରେଙ୍ଗାଲି ଜଳ ସେଚନ ପ୍ରକଳ୍ପ ଲୋକ ଙ୍କ କାମରେ ଆସୁନାହିଁ ! ଧାନ ମଣ୍ଡିରେ ଦଲାଲ ଙ୍କ ରାଜ ଚାଲିଛି ! ଗନ୍ଦିଆ,ଯୋରନ୍ଦା, ପୀଙ୍ଗୁଆ,ଭାପୁର ଓ ବେଲିଟିକିରି ମେଡିକାଲ ରେ ଡାକ୍ତର ନାହାନ୍ତି । ସଦର ବ୍ଲକ ଓ ଗନ୍ଦିଆ ବ୍ଲକ ରେ ଦିନ ଦ୍ୱିପ୍ରହର ରେ ହରିଲୁଟ ଚାଲିଛି ।ଗନ୍ଦିଆ ବ୍ଲକ ର ଏକ ମାତ୍ର ରାସ୍ତା ପିଙ୍ଗୁଆ ଠାରୁ ମଞ୍ଜୁରିପଡ଼ା ରାସ୍ତା ଟି ୫ ବର୍ଷ ଭିତରେ ହୋଇ ପାରିଲା ନାହିଁ ! ନିର୍ବାଚନ ମଣ୍ଡଳୀ ର ଉନ୍ନୟନ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ସମୀକ୍ଷା ବୈଠକ ହୋଇ ପାରୁନାହିଁ ! ପଞ୍ଚାୟତ ସ୍ତର ରେ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ କ୍ଷମତା କୁ ବିଧାୟକ ନିଜେ ନେଇଯାଇଛନ୍ତି ବୋଲି ଅଭିଯୋଗ ହୁଏ ! ବିଧାୟକ ଙ୍କ ର ଦୁଇ ଜଣ ମୁଣ୍ଡିଆଳ ଓଡ଼ପଡ଼ା ରୁ ଆମଦାନୀ ହୋଇ ଆସି ଏଠି ମାମଲତି କରି ବିଭିନ୍ନ ଦୁର୍ନୀତି ଓ ପ୍ରିୟା ପ୍ରୀତି ରେ ଲିପ୍ତ ଅଛନ୍ତି ବୋଲି ଅଭିଯୋଗ ହେଉଛି । ବିଧାୟକ ଙ୍କ ଲୋକମାନେ ଜିଲ୍ଲାରେ ଖଣି ଖଦାନ ଲୁଟ କରିବାରେ ବ୍ୟସ୍ତ । ମାନ୍ୟବର ବିଧାୟକ ତାଙ୍କ ବ୍ୟବସାୟ ରେ ବ୍ୟସ୍ତ । ତାଙ୍କ ପାଖରେ ସମୟ ନାହିଁ ସାଧାରଣ ଲୋକ ଙ୍କ ସୁଖ ଦୁଃଖ ବୁଝିବାକୁ ? ଲୋକ ଭୋଟ ଦେଇଛନ୍ତି ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭରସା କରି !
ତେଣୁ ଏବେ ମୋର ଢେ଼ଙ୍କାନାଳ ର ସଚେତନ ଜନ ସାଧାରଣ ଙ୍କୁ ଅନୁରୋଧ ସେମାନେ ବିଗତ ୧୦ବର୍ଷ ର ଢେଙ୍କାନାଳ ର ଉନ୍ନୟନ ର ଏକ ସାମାଜିକ ସମୀକ୍ଷା କରନ୍ତୁ । ଗଣତନ୍ତ୍ର ରେ ଲୋକେ ହେଉଛନ୍ତି ପ୍ରକୃତ” ମାଲିକ ” ।ଲୋକ ମାନେ ତାଙ୍କର ପ୍ରତିନିଧି ଙ୍କୁ ନିର୍ବାଚିତ କରି ତାଙ୍କର ଉତ୍ତରଦାୟିତ୍ୱ ପ୍ରତି ପ୍ରଶ୍ନ ପଚାରନ୍ତୁ ଓ ଆଗାମୀ ସମୟ ପାଇଁ ଯତ୍ନବାନ ହୁଅନ୍ତୁ ।

Leave A Reply

Your email address will not be published.

thirteen − 6 =