ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ-ଗୁଡିଆକାଟେଣୀ ରୁ ହିନ୍ଦୋଳକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାଟି ଏକ ବ୍ୟସ୍ତ ବହୁଳ ରାସ୍ତା । ପ୍ରତିଦିନ ଶହଶହ ଗାଡି ମୋଟର ଏବଂ ହଜାର ହଜାର ଲୋକ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି । ଏହି ପୂର୍ତ୍ତ ବିଭାଗ ରାସ୍ତାଟି ଗୁଡିଆକାଟେଣୀରୁ ବାହାରି ନରସିଂହପୁର ପର୍ଯ୍ୟନ୍ତ ଯାଇଛି। ହିନ୍ଦୋଳ ସଦରମହକୁମାର ଏହା ମୂଖ୍ୟ ରାସ୍ତା ।
ମାତ୍ର ଦୀର୍ଘଦିନ ହେବ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଦୁଇଟି ଗଛ ରାସ୍ତା ଉପରେ ରହିଥିବା ବେଳେ କିପରି କାହାର ଦୃଷ୍ଟି ପଡୁନି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ର ବିଷୟ । ଚରଣପୁର ନିକଟରେ ଗୋଟିଏ ଗଛର ଏକ ବିରାଟ ଶାଖା ରାସ୍ତା ଉପରକୁ ଅର୍ଦ୍ଧ ନମିତ ଅବସ୍ଥାରେ ଅଛି ଏହି ଶାଖାର ଅଧା କଟି ଅତ୍ୟନ୍ତ ବିବାଦପୂର୍ଣ୍ଣ ଭାବରେ ରହିଛି । ଯାହାକି ଯେକୌଣସି ସମୟରେ ରାସ୍ତା ଉପରେ ପଡି ଅଘଟଣ ଘଟାଇ ପାରେ । ପୁଣି ଏହି ରାସ୍ତାର ରାଜମୋହନପୁର ଠାରେ ରାସ୍ତା ଉପରେ ଏକ ଏହି ବିରାଟ କାୟ ଶୁଖିଲା ଗଛ ରହିଛି । ଏହି ଗଛରୁ ବିଭିନ୍ନ ସମୟରେ ଶୁଖିଲା ଡାଳ ପଡି ସାଧାରଣ ଲୋକ ଆହତ ହେଉଛନ୍ତି । ନିକଟରେ ହିନ୍ଦୋଳରୁ ଫେରିବା ବେଳେ ଆଡଭୋକେଟ ଦେବାନନ୍ଦ ପଟ୍ଟନାୟକ ମଧ୍ୟ ଏ ଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲେ । ଏହି ଗଛରୁ ବାରମ୍ବାର ଶୁଖିଲା ଡାଳ ପଡି ବହୁ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି । ଗଛଟି ଏଭଳି ଅବସ୍ଥାରେ ଅଛି , ଯେକୌଣସି ମୂହୁର୍ତ୍ତରେ ଏହା ରାସ୍ତା ଉପରେ ଉପୁଡି ପଡିପାରେ ଏବଂ ଏକ ବଡ ଧରଣର ଦୁର୍ଘଟଣାର ଘଟିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଏକ ବଡ ଦୁର୍ଘଟଣା ଘଟିବା ପୂର୍ବରୁ ଜଙ୍ଗଲ ବିଭାଗ ଏବଂ ପୂର୍ତ୍ତ ବିଭାଗ ତ୍ବରିତ ପଦକ୍ଷେପ ନିଅନ୍ତୁ ।