୮୧ତମ ଭାରତ ଛାଡ଼ ଆନ୍ଦୋଳନ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ ଉଫୁନା, ସୈାନ୍ଦର୍ଯ୍ୟା ସଂଗଠନ ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହଯୋଗରେ ସ୍ଥାନୀୟ ଗାନ୍ଧୀ ପାର୍କରେ “ଭାରତ ଛାଡ଼ ଆନ୍ଦୋଳନ” ଓ “ଅଗଷ୍ଟ କ୍ରାନ୍ତି ଦିବସ” ପାଳନ କରାଯାଇଛି ।
ସ୍ୱାଧୀନତା ଇତିହାସର ଏହି ସ୍ୱର୍ଣ୍ଣିମ ଅଧ୍ୟାୟ ପାଳନ ଅବସରରେ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ
ସ୍ୱାଧୀନତା ସଂଗ୍ରାମର ନେତୃବୃନ୍ଦ, ସଂଗ୍ରାମୀ ଏବଂ ଶହୀଦ ମାନଙ୍କୁ ସ୍ମରଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ଏବଂ ଜାତୀୟ
ସଙ୍ଗୀତ ଗାନ କରାଯାଇଥିଲା । ଏହି ମହାନ ଆନ୍ଦୋଳନର ପୃଷ୍ଠଭୂମି ଏବଂ ରୂପରେଖ ତଥା ପରିଣାମ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । ୧୯୩୯ ମସିହାରେ ୨ୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ ଲକ୍ଷାଧିକ ଭାରତୀୟ ସେନାଙ୍କୁ ୟୁରୋପ, ପଶ୍ଚିମ ଏସିଆ ଓଆଫ୍ରିକାରେ ଯୁଦ୍ଧରେ ନିୟୋଜିତ କରିଥିଲା , ଯାହାକୁ ଭାରତୀୟ ଜାତୀୟ କଂଗ୍ରେସ ବିରୋଧ କରି ଦେଶବ୍ୟାପୀ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲା । ୧୯୪୨ ମାର୍ଚ୍ଚରେ ବ୍ରିଟିଶ ସରକାର “ଷ୍ଟାଫୋର୍ଡ଼ କ୍ରିପ୍ସ କମିଶନ ” ଗଠନ କରି କଂଗ୍ରେସର ସହଯୋଗ ଆଶାରେ ଆଲୋଚନା କରିଥିଲା । ମାତ୍ର ମହାତ୍ମାଗାନ୍ଧୀ ଏବଂ କଂଗ୍ରେସର “ସମ୍ପୁର୍ଣ୍ଣ ସ୍ୱାଧୀନତା” ଦାବିକୁ ବ୍ରିଟେନ ପ୍ରତ୍ୟାଖ୍ୟାନ କରିଦେଇଥିଲା । ପରେ ଜୁଲାଇରେ ୱାର୍ଦ୍ଧା ଅଧିବେଶନରେ କଂଗ୍ରେସ ଆଗାମୀ ଆନ୍ଦୋଳନ ବିଷୟରେ ଆଲୋଚନା କରିଥିଲେ । ଜାତୀୟ କଂଗ୍ରେସର ବମ୍ବେ ଅଧିବେଶନରେ ୮ ଅଗଷ୍ଟ ୧୯୪୨ ମସିହାରେ ବ୍ରିଟିଶ ଶାସନର ଅନ୍ତ ଘଟାଇବା ନିମିତ ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ “କର ବା ମର ” ଡାକରା ଦେଇଥିଲେ । ପରଦିନ ଅଗଷ୍ଟ ୯ରେ ବମ୍ବେର “ଗୋଆଲିଆ ଟ୍ୟାଙ୍କ’ ମଇଦାନରେ ଗାନ୍ଧୀଜୀଙ୍କର ଏହି ଆହ୍ୱାନ ଦ୍ୱୋର ଭାଷଣ ପରେ କିଛି ଘଂଟା ମଧ୍ୟରେ ପ୍ରାୟ ସମସ୍ତ ଜାତୀୟ କଂଗ୍ରେସ କର୍ମୀଙ୍କୁ ବ୍ରିଟିଶ ଶାସନ ବନ୍ଦୀ କରିଥିଲେ । କିନ୍ତୁ ଆନ୍ଦୋଳନ ଆରମ୍ଭ ହୋଇ ଦେଶ ସାରା ବ୍ୟାପୀ ଯାଇଥିଲା । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ ରୁଜଭେଲ୍ଟ ସେବେକାର ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲଙ୍କୁ ଭାରତୀୟମାନଙ୍କୁ ତାଙ୍କର ଦାବି ପୂରଣ କରିବାକୁ ଚାପ ପକାଇଥିଲେ । ଏହି ଆନ୍ଦୋଳନ ପାଇଁ ମହାତ୍ମା ଗାନ୍ଧୀଙ୍କ ସମେତ ଜବାହରଲାଲ ନେହେରୁ, ସର୍ଦ୍ଦାର ପଟେଲ, ଅବୁଦୁଲ କଲାମ ଆଜାଦ ଏବଂ ବହୁ କଂଗ୍ରେସ ନେତା ଦେଶଦ୍ରୋହ ମାମଲାରେ ଜେଲ ଯାଇଥିଲେ । ଅଗଷ୍ଟ କ୍ରାନ୍ତି ଦିବସର ଆନ୍ଦୋଳନ ଦୀର୍ଘ ତିନି ବର୍ଷ ଧରି ଚାଲିଥିଲା । ଏଥିରେ ଏକଲକ୍ଷ ସ୍ୱାଧୀନତା ସଂଗ୍ରାମୀ ଜେଲ୍ ଯାଇଥିଲେ , ଦଶ ହଜାର ଶହିଦ ହୋଇଥିଲେ ଏବଂ ଅନେକ ବ୍ରିଟିଶ ଅଧିକାରୀ ମୃତାହତ ହୋଇଥିଲେ । ଅନେକ ସ୍ଥାନରେ ଲୋକେ ନିଜ ଅଂଚଳକୁ ସ୍ୱାଧୀନ ଘୋଷଣା କରିଥିଲେ । ତତ୍କାଳୀନ ଭାଇସରାଏ ଲର୍ଡ ଲିନଲିଥଗୋ ବ୍ରିଟେନ ସରକାରଙ୍କୁ ଲେଖିଥିଲେ ଯେ ଏହି ଆନ୍ଦୋଳନ ୧୮୫୭ ପାଇକ ବିଦ୍ରୋହ ଅପେକ୍ଷା ଅତି ଭୟାବହ ଏବଂ ଆଗକୁ ଭାରତକୁ ଶାସନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ । ବିଶ୍ୱ ମହାଯୁଦ୍ଧର ଅବସାନ ପରେ ବ୍ରିଟେନର “ଲେବର ପାର୍ଟି’ ଶାସନ କୁ ଆସିଲେ ଭାରତକୁ ସ୍ୱାଧିନତା ଦେବା ନିମନ୍ତେ ଘୋଷଣା କରିଥିଲା । ଅତଏବ ଆନ୍ଦୋଳନର ଫଳ ସ୍ୱରୂପ ବ୍ରିଟିଶ ଶାସନ ଭାରତ ଛାଡ଼ି ଚାଲିଯିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆଜିର ଯୁବପିଢି ଏହି ମହାନ ସଂଗ୍ରାମରୁ ଅନେକ କିଛି ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି
ବୋଲି ଉପସ୍ଥିତ ସଦସ୍ୟମାନେ ଆହ୍ୱାନ ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଡାକ୍ତର ତୁଷାର କାନ୍ତି ନାୟକ, ରୁଦ୍ର ପ୍ରକାଶ ଶରଣ ,
ପ୍ରଫୁଲ୍ଲ ମହାନ୍ତି , ଉଫୁନା ରାଷ୍ଟ୍ରୀୟ ଉପସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ, ଜିଲ୍ଲା ବାର ଆସୋସିଏସନ୍ ସଭାପତି
ଆଡଭୋକେଟ୍ ଗୋପାଳ ଚନ୍ଦ୍ର ପାତ୍ର , ଆଡଭୋକେଟ୍ ନିର୍ମଳ ମିଶ୍ର , ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଶ୍ୱନାଥ ମହାପାତ୍ର , “ସୈାନ୍ଦର୍ଯ୍ୟା”
ସଭାନେତ୍ରୀ ସସ୍ମିତା ସାମଲ , ରୁବିନା ବେଗମ୍ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

4 × three =