***ସୃତି ଓ ଅନୁଭୂତି*** ନବୀନ ନନ୍ଦ, ଢେଙ୍କାନାଳ ପୂର୍ବତନ ବିଧାୟକ

ଏବେ ଢେ଼ଙ୍କାନାଳ ମେଡିକାଲ ପରିସର ରେ ଟ୍ରୌମା କେୟାର ୟୁନିଟ ତିଆରି ହେବ ।କେନ୍ଦ୍ର ସରକାର ଦେଇଛନ୍ତି ୨୦କୋଟି ଟଙ୍କା । କାମ ର ଟେଣ୍ଡର ବି ପୂର୍ତ୍ତ ବିଭାଗ କରି ସାରିଛି।କିନ୍ତୁ ସେ ବିଲଡିଂ ଟି କେଉଁଠି ନିର୍ମାଣ ହେବ ସେଥିପାଇଁ ବିବାଦ ଉପୁଜିଛି ବୋଲି ଶୁଣାଯାଉଛି । ଢେ଼ଙ୍କାନାଳ ର ନୂଆ ମେଡିକାଲ ଟି”। ଦକ୍ଷିଣ କାଳି ମନ୍ଦିର ନିକଟସ୍ଥ “ବଡଶାଠିଏବାଟିଆ” ର ୧୦ ଏକର ୩୭ ଡେସିମିଲି ଜାଗାରେ ଅବସ୍ଥିତ । ଏହି ଜାଗା ଟି ନନ୍ଦିନୀ ଦେବୀ ଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ମଞ୍ଜୁର ହୋଇଥିଲା ଓ ତାହା ପରିତ୍ୟକ୍ତ ଅବସ୍ଥା ରେ ବହୁଦିନ ଧରି ପଡ଼ି ରହିଥିଲା ।
ମୁଁ ଧନ୍ୟବାଦ୍ ଦେବୀ ନନ୍ଦିନୀ ଦେବୀ ଙ୍କ ଦୂର ଦୃଷ୍ଟି କୁ ।ସେ ୫୦ବର୍ଷ ଆଗକୁ ଦୃଷ୍ଟିରେ ରଖି ଏହି ଜାଗା ଟି ସ୍ବାସ୍ଥ୍ୟ ବିଭାଗ ନାଁ ରେ ରଖିଥିଲେ ।ନହେଲେ ଆଜି ଢେ଼ଙ୍କାନାଳ ଲୋକ ଙ୍କ ଦୁର୍ଦ୍ଦଶା ଅତି ସାଙ୍ଘାତିକ ଅବସ୍ଥା ହୋଇଥାନ୍ତା ।
୨୦୦୯ ମସିହା ରେ ମୁଁ ନୂତନ ପୁନର୍ଗଠିତ ଢେ଼ଙ୍କାନାଳ ର ବିଧାୟକ ଭାବେ ନିର୍ବାଚିତ ହୋଇଥାଏ । ଢେ଼ଙ୍କାନାଳ ମେଡିକାଲ ରେ ସମୁଦାୟ ୬୦ଟି ବେଡ ର ମାତ୍ର ସୁବିଧା ଉପଲବ୍ଧ ଥିଲା । ମୋର ମନେ ଅଛି ସେତେବେଳେ ପ୍ରସୂତି ବିଭାଗ ର ମାତ୍ର ୧୬ଟି ବେଡ ଥାଏ ଓ ପ୍ରତିଦିନ ୧୫୦ରୁ ଅଧିକ ପ୍ରସୂତି ପାଇଁ ପେସେଣ୍ଟ ଆସୁଥାନ୍ତି। ଦିନେ ୨୦୧୨ ମସିହା ରେ ମୁଁ ମେଡିକାଲ ପରିଦର୍ଶନ ରେ ଯାଇ କିପରି ଗର୍ଭବତୀ ମହିଳା ମାନେ ବେଡ ନପାଇ ତଳେ ଚଟାଣ ରେ ସୋଇ କଲବଲ ହେଉଥାନ୍ତି ଦେଖି ମର୍ମାହତ ହୋଇଥିଲି । ମୁଁ ସେଠାରୁ ଫେରି ଆସି ସେତେବେଳ ର ସି ଡି ଏମ ଓ ବିଷ୍ଣୁ ପ୍ରସାଦ ବେହେରା ଙ୍କୁ ମୋ ଅଫିସ୍ କୁ ଡାକି କିପରି ଏହି ସମସ୍ୟା ର ସମାଧାନ ହୋଇ ପାରିବ ସେ ବିଷୟରେ ତାଙ୍କର ମତା ମତ ନେଇଥିଲି ।ତୁରନ୍ତ ଆଉ ଗୋଟିଏ ରୁମ୍ ଯୋଗାଡ କରି ଆଉ ୫୦ଟି ବେଡ ଯୋଗାଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲି। କିଛି ଦିନ ଭିତରେ ସି ଡି ଏମ ଓ ଆଉ ଗୋଟିଏ ରୁମ୍ ଯୋଗାଡ କରି ୫୦ଟି ନୂଆ ବେଡ ପକାଇ ଅନ୍ତତଃ ପ୍ରସୂତି ମାନଙ୍କୁ ଖଟ ର ସୁବିଧା କରାଇ ଦେଲେ କିନ୍ତୁ ସେଇ ୧୬ଟି ବେଡ ର ପ୍ରାବଧାନ ଥାଏ । ସେହିଭଳି ମଧ୍ୟ ଅନ୍ୟ ୱାର୍ଡ ଗୁଡ଼ିକର ଅବସ୍ଥା ଥାଏ।ପ୍ରତି ବିଭାଗ ରେ ସିଟ ଅନୁସାରେ ବହୁ ଅଧିକ ପେସେଣ୍ଟ ଆସୁଥାନ୍ତି । ପ୍ରାୟ ପ୍ରତିଦିନ ୪୦୦ ରୁ ୫୦୦ ପେସେଣ୍ଟ ଢେ଼ଙ୍କାନାଳ ମେଡିକାଲ କୁ ଆସନ୍ତି । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ବାଟ ଖୋଜା ଗଲା । ମୁଁ ମଧ୍ୟ ଏହି ବିଷୟ କୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସେକ୍ରେଟାରୀ ଓ ମାନ୍ୟବରମୁଖ୍ୟମନ୍ତ୍ରୀ ଙ୍କ ସଙ୍ଗେ ଆଲୋଚନା କଲି । ଏକ ନୂଆ ମେଡିକାଲ ତିଆରି ହେବା ପାଇଁ ଅତି କମରେ ୧୦ଏକର ଜାଗା ର ଆବଶ୍ୟକତା ଅଛି ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଗଲା ପରେ ନୂଆ ମେଡିକାଲ ପାଇଁ ଜାଗା ଖୋଜା ଗଲା । ଜିଲ୍ଲା ସ୍ତର ରେ ସମୀକ୍ଷା ବୈଠକ ହେବା ସମୟରେ ରେ ଜଣାପଡ଼ିଲା ଯେ ଢେ଼ଙ୍କାନାଳ ଦକ୍ଷିଣ କାଳି ମନ୍ଦିର ପାଖରେ ୧୦ ଏକର ୩୭ଡେସିମିଲି ଜାଗା ଅଛି ବୋଲି ସି ଡି ଏମ ଓ କହିବା ପରେ ନୂଆ ମେଡିକାଲ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା । ଆଜି ଯଦି ଢେ଼ଙ୍କାନାଳ ରେ ନୂଆ ମେଡିକାଲ କୋଠା ତିଆରି ହେଲା ତେବେ ତାର ସମସ୍ତ ଶ୍ରେୟ ତତ୍କାଳୀନ ସି ଡି ଏମ ଓ ବିଷ୍ଣୁ ପ୍ରସାଦ ବେହେରା ଓ ଏନ୍ ଆର ଏଚ ଏମ ର ନିର୍ଦେଶକ ଶ୍ରୀଯୁକ୍ତ ପ୍ରମୋଦ ମେହେର୍ଦ୍ଦା ଙ୍କ ପାଖକୁ ଯିବ। ସେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ୩୦୦ ବେଡ ର ମେଡିକାଲ ନିର୍ମାଣ ପାଇଁ ଆବଶ୍ୟକୀୟ ଅର୍ଥ ର ବନ୍ଦୋବସ୍ତ ହେଲା । ଭାବିଶ୍ଵତ୍ ରେ ଯେପରି ଢେ଼ଙ୍କାନାଳ ମେଡିକାଲ ରେ ମେଡିକାଲ କଲେଜ ହେବାର ଲକ୍ଷ ରଖି ୭ମହଲା ବିଶିଷ୍ଟ ୩୦୦ ଟି କୋଠରୀ ପାଇଁ ଯୋଜନା ହୋଇଥିଲା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୩ମସିହାରେ ଢେ଼ଙ୍କାନାଳ ଆସି ତାର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଢେ଼ଙ୍କାନାଳ ରେ ହୋଇଥିବା ମେଡିକାଲ ବିଲ୍ଡିଙ୍ଗ ଟି ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ମେଡିକାଲ ତିଆରି ହେବା ପାଇଁ ପ୍ରସ୍ତୁତି ହୋଇଥିଲା ।ସେଥିପାଇଁ ଡିଜାଇନ୍ ଓ ପ୍ଲାନିଂ କୁ ହାଇଦ୍ରାବାଦ ର ଏକ ସଂସ୍ଥା ଦ୍ଵାରା କରାଯାଇଥିଲା ।
ନୂତନ ଵିଲ୍ଡିଂ ତିଆରି ହେଲା ବେଳେ ଆବଶ୍ୟକତା ଅନୁସାରେ କେଉଁ ଜାଗାରେ କେଉଁ କୋଠା ନିର୍ମାଣ ହେବ ସେଥିପାଇଁ ଜାଗା ସ୍ଥିରୀକୃତ ହୋଇଥିଲା । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ସରକାରୀ ଅନୁଦାନ ଆସିଲା ତାହା ଯିଏ ଯେଉଁଠି ପାଇଲା ଠିକାଦାର ଙ୍କ ହିସାବ ଅନୁସାରେ କୋଠା ନିର୍ମାଣ ହେଲା ।ଏବେ ଶୁଣା ଯାଉଛି ଯେଉଁ ଜାଗା ଟି ପାର୍କିଂ ସ୍ଥଳ ପାଇଁ ସ୍ଥିରୀକୃତ ହୋଇଥିଲା ସେହି ଜାଗାରେ ଏବେ ଆସିଥିବା ଅନୁଦାନ ରେ” ଟ୍ରମା କେୟାର ସେଣ୍ଟର୍” ଟି ନିର୍ମାଣ ହେବାକୁ ଯାଉଛି । ଏବେ ପ୍ରଶ୍ନ ଉଠୁଛି ଯଦି ସେହି ଜାଗାରେ ଏହି କୋଠା ନିର୍ମାଣ ହେବ ତେବେ ପାର୍କିଂ କେଉଁଠି ହେବ ? ଆମକୁ ଆଗାମୀ ୫୦ବର୍ଷ କୁ ଆଖି ଆଗରେ ରଖି ଯୋଜନା କରିବାକୁ ପଡ଼ିବ। ମେଡିକାଲ ନିକଟରେ ସରକାର ଙ୍କ ଗୃହ ବିଭାଗ ର ବହୁତ୍ ଜମି ଏବେବି ଖାଲି ଅଛି ।ସେହି ଜାଗାରେ ମଧ୍ୟ ଟ୍ରମା କେୟାର ସେଣ୍ଟର୍ ମଧ୍ୟ ହୋଇ ପାରିବ ।ଏଥିପାଇଁ ଜିଲ୍ଲାପ୍ରଶାସନ ର ଦୂରଦୃଷ୍ଟି ରହିବା ଦରକାର ।କିନ୍ତୁ ଏକଥା କିଏ କହିବ ? ଆମର ଲୋକ ପ୍ରତିନିଧି ଙ୍କୁ ସମୟ ନାହିଁ ଏସବୁ ଭିତରେ ମୁଣ୍ଡ ଖେଳାଇବା ପାଇଁ !
ଯଦି ଉଦ୍ୟାନ ବିଭାଗ ର ଜାଗା କୁ “ଚିନ୍ମୟ ମିଶନ “କୁ ଦିଆଯାଇ ପାରିବ ତେବେ ପୋଲିସ ବିଭାଗ ର ଅବ୍ୟବହୃତ ଜାଗା କୁ କାହିଁକି ମେଡିକାଲ ବିଲ୍ଦିଂ ପାଇଁ ଦିଆଯାଇ ପାରିବ ନାହିଁ ?ଗୃହ ବିଭାଗ ର ପୋଲିସ ବାଟାଲିୟନ କୁ ଢେ଼ଙ୍କାନାଳ କପିଳାସ ରାସ୍ତାର ମେଘା ପାହାଡ ପାଖରେ ଜାଗା ଦିଆଗଲା ।ବର୍ତ୍ତମାନ ପୋଲିସ ରିଜର୍ଭ ଲାଇନ୍ ରେ ମେଡିକାଲ ପାଖରେ ଥିବା ଜମି କୁ ମେଡିକାଲ ବିଲ୍ଡିଁ ପାଇଁ ଦିଆଗଲେ ଭବିଶ୍ଵତ୍ ରେ ଢେ଼ଙ୍କାନାଳ ରେ ମେଡିକାଲ କଲେଜ ହୋଇପାରିବ ।ଢେ଼ଙ୍କାନାଳ ରେ ନେତୃତ୍ଵ ର ଅପାରଗତା କାରଣ ରୁ ଢେ଼ଙ୍କାନାଳ ରେ ହେବାକୁ ଥିବା ପ୍ରସ୍ତାବିତ “ମେଡିକାଲ କଲେଜ” ଯାଜପୁର କୁ ଉଠି ଯାଇଥିବା କଥା ଶୁଣା ଯାଉଛି । ଏସବୁ ଘଟଣା କୁ ନେଇ ଢେ଼ଙ୍କାନାଳ ର ଗଣ ମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି । ଢେ଼ଙ୍କାନାଳ ର ଅଧିକାଂଶ ଗଣ ମାଧ୍ୟମ କେବଳ ପ୍ରଶାସନ ର ଗୁଣ ଗାନ କରିବାରେ ଲାଗି ପଡିଛନ୍ତି।ଗୋଟିଏ ଦୁଇଟି ଖବର କାଗଜ ଛାଡ଼ିଦେଲେ ଢେ଼ଙ୍କାନାଳ ର ସମସ୍ୟା ଉପରେ ଆଲୋକ ପାତ କେହି କରୁ ନାହାନ୍ତି । ଜିଲ୍ଲାର ଅନେକ ସମସ୍ୟା ଅଛି ତାହା ଲୋକ ଲୋଚନ କୁ ଆସିବା ଦରକାର ।
ମୁଁ ଢେଙ୍କାନାଳ ର ବୁଦ୍ଧିଜୀବୀ ଓ ଅନ୍ୟାନ୍ୟ ଛାମୁଆ ସଂଗଠନ ମାନଙ୍କୁ ଅନୁରୋଧ କରୁଛି ଏହି ଘଟଣା କୁ ନେଇ ଜିଲ୍ଲା ପ୍ରଶାସନ ଉପରେ ଚାପ ସୃଷ୍ଟି କରନ୍ତୁ ।
ମୁଁ ଆଗାମୀ ଦିନରେ ଆହୁରି ଅନେକ ସମସ୍ୟା କୁ ଲୋକ ଲୋଚନ କୁ ଆଣିବାରେ ଚେଷ୍ଟା କରିବି।

ନବୀନ ନନ୍ଦ,ପୂର୍ବତନ ବିଧାୟକ

Leave A Reply

Your email address will not be published.

4 × four =