ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥିତ ସାଂଧ୍ୟ ମହାବିଦ୍ୟାଳୟରେ ୬୬୨ ବର୍ଗର ଅଧ୍ୟାପକ ଓ କର୍ମଚାରୀମାନଙ୍କର ଏକ ଜରୁରୀ ବୈଠକ କପିଳାସ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଡଃ ସମୀର କୁମାର ସାହୁ ଓ ଜିଲ୍ଲା ସଂପାଦକ ତଥା ଅଧ୍ୟକ୍ଷ ପ୍ରଭାତ କୁମାର ସାମଲ, ଜିଲ୍ଲା ଉପସଭାପତି ଡଃ କବିତା ମହାନ୍ତିଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କର ଏ ବର୍ଗର କଲେଜ୍ ପ୍ରତି ଥିବା ବୈମାତୃକ ମନୋଭାବ ସଂପର୍କରେ ବିଧିବଦ୍ଧ ଆଲୋଚନା ହୋଇଥିଲା । ସମାନ କାମକୁ ସମାନ ଦରମା, ପେନ୍ସନ୍ ସହ ଅବସରକାଳୀନ ସମସ୍ତ ସୁବିଧା ପ୍ରଦାନ, ୨୦୧୮ ଜିଓକୁ ସପ୍ତମ ବେତନ ପ୍ରଦାନ ଓ ବାଦ୍ ପଡିଥିବା କର୍ମଚାରୀମାନଙ୍କୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ଉଦ୍ଦେଶ୍ୟରେ ୬୬୨ ବର୍ଗର ଶିକ୍ଷକ ଓ କର୍ମଚାରୀମାନେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ୧୬୩ ଦିନ ହେବ ଅହୋରାତ୍ର ଧାରଣାରେ ବସିଛନ୍ତି । ସେମାନଙ୍କ ଦାବୀ ପ୍ରତି ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଓ ପଦାଧିକାରୀମାନେ ତିଳେହେଲେ କର୍ଣ୍ଣପାତ କରୁନଥିବାରୁ ଆସନ୍ତା ୨୬ ତାରିଖ ଠାରୁ ଏ ବର୍ଗର କଲେଜ୍ ସମୁହ ସମଗ୍ର ଓଡିଶାରେ ବନ୍ଦ ରହିବ । କଲେଜ୍ରେ ତାଲା ପକାଇ ସମୁହ ଛୁଟି ନେଇ ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ମହାସଂଗ୍ରାମରେ ସାମିଲ୍ ହେବା ପାଇଁ ଆଜିର ସଭାରେ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଗଲା । ଉକ୍ତ ବୈଠକରେ ଏ ବର୍ଗ କଲେଜ୍ର ସମସ୍ତ ଅଧ୍ୟକ୍ଷ, ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ନିଜର ମତ ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାଂଧ୍ୟ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ସହାୟତା କରିଥିଲେ ।
Prev Post