ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତ ଏନ୍‌.ଏଚ୍‌. ୫୫ ? ସାଂସଦ ମହେଶ ସାହୁ !

ଢେଙ୍କାନାଳ : ୧୭ତମ ଲୋକସଭାର ଚଳିତ ଅଧିବେଶନରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସଂସଦର ପ୍ରଥମ ଦିନରେ ଅଣତାରକା ପ୍ରଶ୍ନର ଉତର ରଖିଛନ୍ତି ମାନ୍ୟବର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ସାଂସଦ ଶ୍ରୀ ସାହୁ ଦୀର୍ଘ ଚାରିବର୍ଷ ଧରି ଢେଙ୍କାନାଳ ଜିଲ୍ଲାର ଏହି ମୌଳିକ ସମସ୍ୟାକୁ ବିଭିନ୍ନ ଫୋରମ୍ ମଧ୍ୟମରେ ଉଠାଇବା ସଙ୍ଗେ ସଙ୍ଗେ ଲୋକସଭାର ଶୂନ୍ୟକାଳରେ ପ୍ରଶ୍ନୋତର ମାଧ୍ୟମରେ ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଗୁରୁତ୍ୱପୂର୍ଣ୍ଣ ୫୫ନଂ ଜାତୀୟ ରାଜପଥର ନିର୍ମାଣ ଜନିତ ସମସ୍ୟା ଉତ୍‌ଥାପନ କରିଥିଲେ । ସଂସଦର ପ୍ରଥମ ଦିନରେ ବିଳମ୍ବରେ ହେଲେ ମଧ୍ୟ ଅଣତାରକା ପ୍ରଶ୍ନ ଉତରରେ ମନ୍ତ୍ରୀ ଶ୍ରୀ ଗଡକରି ଉତର ରଖିଛନ୍ତି ଯେ, ଭୂମି ଅଧିଗ୍ରହଣ, ବିଭିନ୍ନ ଆଇନ୍ ଅନୁଯାୟୀ ଅନୁମତି, ରାସ୍ତାକଡ ବିଦ୍ୟୁତ୍ ଖୁଂଟର ସ୍ଥାନାନ୍ତରଣ, ଠିକା ସଂସ୍ଥା ଦ୍ୱାରା ନିର୍ମାଣ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନଥାଏ । ଢେଙ୍କାନାଳ ଜିଲ୍ଲାରେ ଭୂମି ଅଧିଗ୍ରହଣ ଏବଂ ଜଙ୍ଗଲ ମଞ୍ଜୁରୀରେ ବିଳମ୍ବ ସମେତ ଠିକା ସଂସ୍ଥା ଦ୍ୱାରା ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଯୋଗୁଁ ଜିଲ୍ଲାରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇଛି । ମନ୍ତ୍ରୀଙ୍କ ଏହିତ୍ତଉତରରେ ସାଂସଦ ଶ୍ରୀ ସାହୁ କ୍ଷୋଭ ଓ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କଟକରୁ ଢେଙ୍କାନାଳ ଅନୁଗୁଳ ଦେଇ ସମ୍ବଲପୁର ଯାଇଥିବା ୫୫ନଂ ଜାତୀୟ ରଜାପଥର ଜମି ଅଧିଗ୍ରହଣ କାର୍ଯ୍ୟ ବହୁ ପୂର୍ବରୁ ହୋଇସାରିଛି । ଯଦି ଜଙ୍ଗଲ ଜମି ଅଧିଗ୍ରହଣ କାର୍ଯ୍ୟ ଯୋଗୁଁ ବିଳମ୍ବ ହେଉଛି ତେବେ ସେଥିପାଇଁ କେନ୍ଦ୍ର ସରକାର ହିଁ ଦାୟୀ । ରାଜ୍ୟ ସରକାର ଜାତୀୟ ରାଜପଥ ପାଇଁ ସଂପୂର୍ଣ୍ଣ ସହଯୋଗ କରିସାରିଛନ୍ତି । ୨୦୨୪ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଲାଗି ମନ୍ତ୍ରୀ ଗଡକରି ସଂସଦରେ ପ୍ରତିଶ୍ରୁତି ଦେଉଥିବା ବେଳେ ବାସ୍ତବିକ ସ୍ଥିତି ଭିନ୍ନ ରହିଛି । ଦେଶର ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ଜାତୀୟ ରାଜପଥରେ କେବଳ ତାଳଚେରରୁ ଦୈନିକ ୧୦ ହଜାରରୁ ଉର୍ଦ୍ଧ୍ୱ ଟ୍ରକ୍ କୋଇଲା ପରିବହନ କରୁଛନ୍ତି । ଏହି ରାଜପଥ ପାଶ୍ୱର୍ରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାକୁ ପ୍ରତିଦିନ ୧୮ ରୁ ୨୨ ଚକିଆ ପର୍ଯ୍ୟନ୍ତ ଭାରିଯାନ ଚଳାଚଳ କରୁଛି । ଏଥିରୁ ଏହାର ଗୁରୁତ୍ୱ ଏବଂ ସୁରକ୍ଷା ବେଶ୍ ଅନୁମେୟ ବୋଲି ସାଂସଦ ଶ୍ରୀ ସାହୁ କହିଛନ୍ତି । ଅଦ୍ୟାବଧି ଗୁରୁତ୍ୱପୂର୍ଣ୍ଣ ଢେଙ୍କାନାଳ କଲେଜ୍ ବାଇପାସ୍ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଗତ ଦୁଇବର୍ଷ ଧରି ସ୍ଥାଣୁ ହୋଇ ରହିଛି ଏବଂ ଅଦ୍ୟାବଧି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏତଦ୍‌ବ୍ୟତୀତ ମେରାମୁଣ୍ଡଳୀସ୍ଥିତ ଲିଙ୍ଗରା ନଦୀ ଉପରେ ମଧ୍ୟ ବ୍ରିଜ୍ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏଥିସହ ଜଙ୍ଗଲ ବିଭାଗ ଅନୁମୋଦନ କରିଥିବା ହାତୀ ଚଲାପଥର ଅଣ୍ଡରପାସ୍ କାର୍ଯ୍ୟ ବି ଆରମ୍ଭ ହୋଇନାହିଁ । ଏହିସବୁ ପରିପ୍ରେକ୍ଷୀରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଶ୍ରୀ ଗଡକରୀଙ୍କ ପ୍ରତିଶ୍ରୁତି କେତେଦୂର ୨୦୨୪ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିବ ସେ ନେଇ ସାଂସଦ ଶ୍ରୀ ସାହୁ ସନ୍ଦେହ ପ୍ରକଟ କରିଛନ୍ତି ।

Leave A Reply

Your email address will not be published.

2 × 3 =