ଢ଼େଙ୍କାନାଳ : ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀଙ୍କ ଜମିକୁ ଜଳ ସେଚନ କରିବା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ ବାସ୍ତବରେ ତାହା ସଠିକ୍ ଭାବେ କାର୍ଯ୍ୟ ନହୋଇ ଦୁର୍ନୀତିଗ୍ରସ୍ତ ଠିକାଦାର ଏବଂ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ପାଇଁ ସବୁ ପ୍ରକଳ୍ପ ଅକାମି ହୋଇ ପଡ଼ିରହୁଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରାସୋଳ ସାପୁଆ ପାଣିପଞ୍ଚାୟତ ଅଂଚଳରେ । ସାପୁଆ ପାଣି ପଞ୍ଚାୟତ ଅଧୀନରେ ଆଠ ରୁ ଦଶଟି ପଞ୍ଚାୟତ ଜଳସେଚନ ପାଇଁ ନିର୍ଭର କରି ଥାଆନ୍ତି । ବଡ଼ କେନାଲ ମାଧ୍ୟମରେ ଜଳ ସେଚନ ଠିକ୍ ରେ ହୋଇପାରୁନଥିବାରୁ କାଢ଼ା ଯୋଜନା ମାଧ୍ୟମରେ ଜଳସେଚନ ପାଇଁ ଛୋଟ ଜଳସେଚନ ଡ୍ରେନ ଅନୁମୋଦନ ହୋଇଥିଲା । କିନ୍ତୁ ବଡ଼ ଦୁଃଖର ବିଷୟ କି କୌଣସି ଗ୍ରାମରେ ଚାଷୀଙ୍କୁ ନ ଡାକି ଏବଂ କୌଣସି ବୈଠକ ନକରି ମନ ଇଛା ଜଳସେଚନ ଡ୍ରେନ୍ ନିର୍ମାଣ କରାଯାଇଛି । ଯାହାକି କୌଣସି କାର୍ଯ୍ୟରେ ଆସୁନଥିବା ଦେଖିବାକୁ ମିଳୁଛି I କିଛି ସ୍ଥାନରେ ସବମାଇନର କେନାଲ ସହ ଉଭୟ ପାର୍ଶ୍ଵରେ ସମାନ୍ତରଳ ଭାବରେ କାଢା ଡ୍ରେନ୍ ଯାଇଥିବା ଦେଖିବାକୁ ମିଳୁଛି ତ କେଉଁଠି ଗୋଟିଏ ଜମିରେ ବୃତ୍ତ ଆକାରରେ ଜଳସେଚନ ଡ୍ରେନ୍ ଦେଖିବାକୁ ମିଳୁଛି । ତେବେ ଲୋକଙ୍କ ଅଭିଯୋଗ ଏହି ଯୋଜନା ଜଳ ସେଚନ ପାଇଁ ହୋଇଥିଲା ନା ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ପକେଟ୍ ଗରମ ପାଇଁ ହୋଇଥିଲା ।ଆଉ ଶୁଣିବାକୁ ମିଳୁଛି ଯେ କାମ ହେଉଥିବା ସମୟରେ ଲୋକ ମାନଙ୍କ ଅଭିଯୋଗ ଭୟରେ କନିଷ୍ଠ ଯନ୍ତ୍ରୀ ଆଦୌ ଉପସ୍ଥିତ ନଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା କି ଏହି କାର୍ଯ୍ୟ ପାଇଁ ଟଙ୍କା ପାଣିପଞ୍ଚାୟତ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିବା ବେଳେ ପାଣିପଞ୍ଚାୟତର ସଦସ୍ୟ ମାନେ ଏହି କାର୍ଯ୍ୟରେ ଠିକାଦାରୀ କରୁଛନ୍ତି । ତେବେ ଦୁଇ ମାସ ପୂର୍ବରୁ କାମ ସାରିଥିଲେ ମଧ୍ୟ ଏବେ କିପରି ମନରେଗା ଯୋଜନାରେ ଲେବର ଡିମାଣ୍ଡ ଦିଆଯାଉଛି ତାହା ତଦନ୍ତ ସାପେକ୍ଷ । ଏହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ଦୀପକ କୁମାର ନାଏକ, ହିନ୍ଦୋଳ