ଢେଙ୍କାନାଳ ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଭୂମି ପୂଜନ ଓ ଶୁଭ ଉଦ୍‌ଘାଟନ !

ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳରେ ସାଂସଦ ମହେଶ ସାହୁଙ୍କ ଅନୁଦାନ ପାଣ୍ଠିରୁ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଏବଂ ଭୂମିପୂଜନ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଅଛି । ଏହି ନୂତନ ପ୍ରକଳ୍ପଗୁଡିକ ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ତରଫରୁ ବୁଦ୍ଧିଜୀବୀମାନେ ସାଂସଦ ଶ୍ରୀ ସାହୁଙ୍କୁ ବିଭିନ୍ନ ସମୟରେ ଅନୁରୋଧ କରିବା ସହିତ ଦୃଷ୍ଟି ଆକର୍ଷଣ କରିଥିଲେ । ତଦନୁଯାୟୀ ସାଂସଦଙ୍କ କ୍ରିଟିକାଲ୍ ଗ୍ୟାପ୍ ଫଣ୍ଡ, ଜିଲ୍ଲା ଖଣିଜ ପାଣ୍ଠି ଏବଂ ସାଂସଦଙ୍କ ଅନୁଦାନ ପାଣ୍ଠିରୁ ନିର୍ମିତ ହେବାକୁ ଥିବା ଓ ନିର୍ମାଣ ହୋଇଥିବା କାର୍ଯ୍ୟଗୁଡିକୁ ସାଂସଦ ଶ୍ରୀ ସାହୁ, ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଓ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୂଅଁର ପ୍ରମୁଖ ମାରାଥନ ଦୌଡ କରି ଏହି ପ୍ରକଳ୍ପ କାର୍ଯ୍ୟଗୁଡିକୁ ସମ୍ପନ୍ନ କରିଥିଲେ । ପୂର୍ବାହ୍ନରେ ଢେଙ୍କାନାଳ ପୌରାଂଚଳର ୧୭ନଂ ୱାର୍ଡ ଅଧିନସ୍ଥ ବାପୁଜୀ ଉ.ପ୍ରା ସ୍କୁଲ୍‌ରେ ୨.୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମିତ ମୁଖ୍ୟ ଫାଟକର ଉଦ୍‌ଘାଟନ, ସେଠାରେ ୭୩ ହଜାର ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ ଓ ସ୍ଥାନୀୟ ଗୋପାଳ ସାଗର ନିକଟରେ ୫ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମିତ ହେବାକୁ ଥିବା ପାର୍କର ଭୂମିପୂଜନ କରାଯାଇଥିଲା । ପରେ ୱାର୍ଡ ନଂ-୨୦ ଟାଉନ୍‌ପ୍ଲାନିଂ ଛକର ଶନିମନ୍ଦିର ନିକଟରେ ସ୍ଥାପିତ ଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ କରାଯାଇଥିବା ବେଳେ ୧ନଂ ଓକ୍ୱାର୍ର ଶ୍ୟାମାଚରଣପୁରସ୍ଥିତ ସାଇ ଶ୍ରୀକ୍ଷେତ୍ର ପ୍ରାଙ୍ଗଣରେ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମିତ ହୋଇଥିବା ପ୍ରସାଦନସେବନ ମଣ୍ଡପର ଶୁଭ ଉଦ୍‌ଘାଟନ ହୋଇଥିଲା । ଅନୁରୂପ ଭାବେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆର ଉନ୍ନତିକରଣ ପାଇଁ ସାଂସଦଙ୍କ କ୍ରିଟିକାଲ୍ ଗ୍ୟାପ୍ ଫଣ୍ଡରୁ ପ୍ରଦତ ୫ଲକ୍ଷ ଟଙ୍କା ବ୍ୟୟ ବରାଦରେ ଶେଷ ହୋଇଥିବା କାର୍ଯ୍ୟର ଶୁଭ ଉଦ୍‌ଘାଟନ କରାଯାଇଥିଲା । ପରେ ୱାର୍ଡ ନଂ-୮ରେ ଅବସ୍ଥିତ ମଂଟ୍‌ଫର୍ଟ ସ୍କୁଲ୍ ଖେଳପଡିଆର ଉନ୍ନତିକରଣ ପାଇଁ ସାଂସଦଙ୍କ ଅନୁଦାନ ପାଣ୍ଠିରୁ ୫ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଉକ୍ତ କାର୍ଯ୍ୟକୁ ଉଭୟେ ସାଂସଦ ଓ ବିଧାୟକ ଉଦ୍‌ଘାଟନ କରିଥିଲେ । ଏହି ଏକଦିବସୀୟ କାର୍ଯ୍ୟକ୍ରମରେ ଢେଙ୍କାନାଳ ପୌରପରିଷଦର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, (ଓଏଏସ୍‌), ପୌର ଇଂଜିନିୟର ରଶ୍ମିତା ମିଶ୍ର, ସାଂସଦଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ସାଂସଦଙ୍କ ପୌରାଂଚଳ ପ୍ରତିନିଧି ରୁଦ୍ରାନ୍ତ ଦଳେଇ, ବିଧାୟକଙ୍କ ପୌରାଂଚଳ ପ୍ରତିନିଧି ଅଜୟ କୁମାର ଭଞ୍ଜ, କାଉନ୍‌ସିଲର ବଂଶୀଧର ଦଳେଇ, ଅଭିମନ୍ୟୁ ପଣ୍ଡା, ସନ୍ଦୀପ କୁମାର ଷଡଙ୍ଗୀ, ସାଗିର୍ ମହମ୍ମଦ, ଦୀପ୍ତିରଞ୍ଜନ ସେଠୀ ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟଗୁଡିକ ସମ୍ପନ୍ନ ହୋଇଥିବାବେଳେ ପ୍ରକଳ୍ପ ନିର୍ମିତ ହୋଇଥିବା ୱାର୍ଡର ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × four =