କପିଳାସ ରେ କାକୁଡି ଦୋକାନ ନିଲାମ କରିବ ଢ଼େଙ୍କାନାଳ ଜିଲ୍ଲା ପ୍ରଶାସନ !

ଢେଙ୍କାନାଳ : ଗତ ୨୪ତାରିଖ ରେ ଢ଼େଙ୍କାନାଳ ଦେବୋତର ବିଭାଗ ର ବିଭିନ୍ନ ପୀଠ ରେ ଥିବା ଭୋଗ ଦୋକାନ ଓ ଅନ୍ୟାନ୍ୟ ସଇରାତ ଗୁଡ଼ିକର ନିଲାମ ନୋଟିସ ବାହାରିଛି ।

ସବୁ ବର୍ଷ ଭଳି ନିଲାମ ନୋଟିସ ରେ ଚଳିତ ବର୍ଷ କପିଳାସ ପୀଠ ରେ ଏକ ନୂଆ ସଇରାତ ର ନିଲାମ ତାଲିକାରେ ବାହାରିଛି ।ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ସେଗୁଡିକ ହେଉଛି କପିଳାସ ଆସୁଥିବା ଯାତ୍ରୀ ମାନେ ରାସ୍ତା କଡ଼ରୁ ବୁଲା ବିକାଳୀ ଙ୍କ ଠାରୁ “କାକୁଡି” କିଣିବା ଓ କିଛି ବୁଲା ବିକାଳୀ ସ୍ଥାନୀୟ କାଷ୍ଠ ର ହସ୍ତଶିଳ୍ପ ବୁଲେଇ ବିକିବା ଓ ଚାବି ରିଙ୍ଗ ରେ ଯାତ୍ରୀ ଙ୍କ ନାମ ଲେଖିବା କାମ କରି ନିଜର ଗୁଜୁରାଣ ଚଳାଉ ଥିବା ବୁଲା ବିକାଳୀ ଙ୍କୁ ନିଲାମ ପରିସର ଭୁକ୍ତ କରିବା ।

ଏହି ନିଲାମ ନୋଟିସ ଯୋଗୁ ସ୍ଥାନୀୟ ଅଂଚଳ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କପିଳାସ ପୀଠ ରେ ଯେଉଁ ଦୋକାନ ଗୁଡ଼ିକୁ ବିଭାଗ ନିଲାମ କରୁଛି ସେଥିରୁ କେବଳ ଭୋଗ ଦୋକାନ କୁ ଛାଡ଼ିଦେଲେ ଆଉ କୌଣସି ଦୋକାନ ର ସ୍ଥାୟୀ ଗୃହ ନାହିଁ ।ଦେବୋତର ବିଭାଗ ବର୍ଷ କୁ ଥରେ ନିଲାମ କରି ଟଙ୍କା ନେଇଗଲା ପରେ କିଏ କେଉଁଠି ଦୋକାନ କଲା ତାର ଦାୟୀତ୍ୱ ନିଅନ୍ତି ନାହିଁ । ଫଳରେ ଯିଏ ଯେଉଁଠି ପାଇଲା ଦୋକାନ କରି ମନ୍ଦିର ର ପରିବେଶ କୁ ନଷ୍ଟ କରନ୍ତି । କିଏ ମନ୍ଦିର ମୁଖଶାଳା ପାଖରେ ଗୁଟକା ବିକିଲାଣୀ ତ ଆଉ କିଏ ଯାତ୍ରୀ ବିଶ୍ରାମ ଗୃହ ରେ ଅବଢ଼ା ଅନ୍ନ ବିକ୍ରି କଲାଣି । ଏ ସବୁ ର କିଛି ବ୍ୟବସ୍ଥା ନାହିଁ । ଠାକୁର ଙ୍କ ର ଏହି ଦୋକାନ ନିଲାମ ରେ ଲକ୍ଷ ଲକ୍ଷ ଟଙ୍କା ଆୟ ହେଉଥିଲେବି ସେହି ଦୋକାନ ଗୁଡିକ ବ୍ୟବସ୍ଥିତ ନୁହେଁ ।

ଏବେ ଏଥିରେ କାକୁଡି ଦୋକାନ , କାଠ ହସ୍ତ ଶିଳ୍ପ ଦୋକାନ , ଚାବି ରିଙ୍ଗ ଦୋକାନ ନିଲାମ କରି ବୁଲା ବିକାଳୀ ଙ୍କୁ ଅନୁମତି ଦେଲେ ସେ ଯାଇ ଠାକୁର ଙ୍କ ବେଢ଼ା ଭିତରେ ଯେ ବିକ୍ରି ନକରିବେ ତାହା କହି ହେବ ନାହିଁ । ଏଠି ପ୍ରଶ୍ନ ଉଠୁଛି ଯେ କପିଳାସ ଠାକୁର ଙ୍କ ର କଣ ଏତେ ଅଭାବ ଯେ କାକୁଡି ଦୋକାନ ନିଲାମ ହେବ ? କପିଳାସ ପାଦ ଦେଶ ରେ ଏବେ ଠାକୁର ଙ୍କ ଜମି ବେଦଖଲ ହୋଇ ବିରାଟ ବିରାଟ କୋଠା ତିଆରି ହେଉଛି । ରାଜ୍ୟ ବାହାର ର ଲୋକ ଆସି ଠାକୁର ଙ୍କ ଜାଗା ମାଡ଼ି ବସି କୁକୁଡ଼ା ଫାର୍ମ କଲେଣି । ତାହା ଦେବୋତର ବିଭାଗ କର୍ମଚାରୀ ଙ୍କ ଦୃଷ୍ଟିରେ ପଡୁ ନାହିଁ ।

କିନ୍ତୁ କାକୁଡି ଦୋକାନୀ ଓ ବୁଲା ବିକାଳୀ କେଉଁଠି ଦୁଇ ପଇସା ରୋଜଗାର କରୁଛନ୍ତି ତାହା ଉପରେ ନଜର ପଡୁଛି । ଦେବୋତର ଅଧିକାରୀ ଓ ଜିଲ୍ଲାପାଳ କପିଳାସ ରେ ହେଉଥିବା ଏହି ଅବ୍ୟବସ୍ଥା ସମ୍ବନ୍ଧ ରେ ଜାଣି ନାହାନ୍ତି ତାହା କହିବା ଠିକ୍ ନୁହେଁ ।ସବୁ ଜାଣି ଶୁଣି ଅଜଣା ହେଉଛନ୍ତି । ତେଣୁ ଜିଲ୍ଲାପାଳ ତୁରନ୍ତ ଏହି ଅବ୍ୟବସ୍ଥା ର ପ୍ରତିକାର ନକଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଯେ ମୁଣ୍ଡ ନ ଟେକିବ ତାହା କହି ହେବ ନାହିଁ ।

Leave A Reply

Your email address will not be published.

three × three =