ହିନ୍ଦୋଳ ଖଜୁରିଆକଟା ମହାବିଦ୍ୟାଳୟର ୪୫ ତମ ବାର୍ଷିକୋତ୍ସବ : ମୋ କଲେଜ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପରାମର୍ଶ ଦେଲେ ଢେଙ୍କାନାଳ ସାଂସଦ ମହେଶ ସାହୁ !

ଢ଼େଙ୍କାନାଳ : ହିନ୍ଦୋଳ ଉପଖଣ୍ଡର ଅନ୍ୟତମ ଶ୍ରେଷ୍ଠ ମହାବିଦ୍ୟାଳୟର ମାନ୍ୟତା ପାଇଥିବା ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟର ୪୫ ତମ ବାର୍ଷିକୋତ୍ସବ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ସଭାପତିତ୍ବରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେଅନୁଷ୍ଠିତ ହୋଇଯାଇଛି ।

ଛାତ୍ରୀମାନଙ୍କଦ୍ୱାରା ଆବାହ ସଂଗୀତର ତାଳେ ତାଳେ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରଦୀପ ପ୍ରଜ୍ବଳନକରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଛାତ୍ର ସଂସଦର ଉପଦେଷ୍ଟା ଦିଲ୍ଲୀପ କୁମାର ଗଡ଼ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ଡ଼. ନିବେଦିତା ଦାସ ବାର୍ଷିକ ବିବରଣୀ ପାଠକରି ମହାବିଦ୍ୟାଳୟର ଗୌରବମୟ ଇତିହାସକୁ ଚୁମ୍ବକରେ ବର୍ଣ୍ଣନା କରିବା ସହ ଛାତ୍ର, ଛାତ୍ରୀଙ୍କ ମୌଳିକ ସମସ୍ୟା ଉପରେ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ମୁଖ୍ୟ ଅତିଥି ସାଂସଦ ମହେଶ ସାହୁ ତାଙ୍କ ପ୍ରେରଣାଦାୟକ ଅଭିଭାଷଣ ପ୍ରସଙ୍ଗରେ ଛାତ୍ର ଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ମୂଲ୍ୟବାନ ପରାମର୍ଶ ଦେବା ସହ ମୋ କଲେଜ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବାପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୁରାତନ ଛାତ୍ର ସଂସଦର ସଭାପତି ପ୍ରିୟରଞ୍ଜନ ମାହୁନ୍ତ ମହାବିଦ୍ୟାଳୟର ରୂପରେଖ ତଥା ସମ୍ମାନକୁ ଯେଉଁମାନେ ସୁଦୂର ପ୍ରସାରି କରିଛନ୍ତି ସେମାନଙ୍କୁ ମହାବିଦ୍ୟାଳୟ କେବେ ଭୁଲି ପାରିବ ନାହିଁ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ମାର୍ଗଦର୍ଶକ ଅଦିତ୍ୟ ବାହିନୀ ଗୋବର୍ଦ୍ଧନ ମଠ, ପୁରୀ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ମାତୃପ୍ରସାଦ ମିଶ୍ର ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଶିକ୍ଷାଉପରେ ଆଲୋକପାତ କରିବା ସହ ପିତାମାତା ଭଗବାନଙ୍କ ଠାରୁ ଉଚ୍ଚରେ ବୋଲି ମାର୍ଗଦର୍ଶନ ଦେଇଥିଲେ । ଛାତ୍ରସଂସଦର ସହ ଉପଦେଷ୍ଟା ଜୟନ୍ତ ନାରାୟଣ ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସଭାପତିଙ୍କ ଦ୍ୱାରା ସଭା ସାଙ୍ଗ ପରେ କଟକର ସର୍ଗମ , ଅରକେଷ୍ଟ୍ରା କଳାକାର ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିବା ବେଳେ ଅଞ୍ଚଳର ବହୁ ଜନସାଧାରଣ ସାସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.

fifteen + two =