ଗତ ୨୭.୦୧.୨୦୨୩ ରିଖ ରେ ଏକ ସର୍ଵ ଭାରତୀୟ ଜାତୀୟ ଦଳ “ଭାରତ ରାଷ୍ଟ୍ର ସମିତି” ବି ଆର ଏସ ର ଓଡିଶା ଶାଖା ର ଶୁଭ ଆରମ୍ଭ ହେଲା । ତେଲେଙ୍ଗାନା ର ରାଜଧାନୀ ହାଇଦ୍ରାବାଦ ଠାରେ ବି .ଆର .ଏସ ର ଓଡ଼ିଶା ଶାଖା ୩୦୦ ରୁ ୪୦୦ କୃଷକ ନେତା ଓ କେତେକ ପୂର୍ବତନ ବିଧାୟକ , ସାଂସଦ ଓ କିଛି ଅନୁଭବି ନେତା ମାନଙ୍କୁ ନେଇ ଏକ କ୍ଷୁଦ୍ର ବୃକ୍ଷ ର ଅଙ୍କୁରୋପଣ ହେଲା ।
ଏହି କ୍ଷଦ୍ର ବୃକ୍ଷ ଆଗାମୀ ଦିନରେ ଏକ ମହାନ ଦ୍ରୁମ ରେ ପରିଣତ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଏକ ଲମ୍ବା ପରିକଳ୍ପନା ଓ ସମ୍ଭାବନା କୁ ନେଇ ବି ଆର ଏସ ର ସୃଷ୍ଟି ଓଡ଼ିଶାରେ ହେବାକୁ ଯାଉଛି । ଓଡ଼ିଶାର ସମ୍ପ୍ରତିକ ରାଜନୈତିକ ପରିସ୍ଥିତି ରେ ରାଜ୍ୟ ବିରୋଧୀ ଶୂନ୍ୟ ହୋଇଥିବାରୁ ଏକ ଏକଛାତ୍ରବାଦ ଶାସନ ଦୀର୍ଘଦିନ ଧରି ଚାଲିଛି । କେନ୍ଦ୍ର ରେ ଥିବା ବି ଜେ ପି ନେତୃତ୍ୱରେ ଥିବା ଏନ ଡି ଏ ସରକାର ଓଡ଼ିଶାରେ କୌଣସି ନା କୌଣସି କାରଣ ରୁ ବିରୋଧୀ ଦଳ ର ଭୂମିକା ଲିଭେଇବାରେ ସକ୍ଷମ ହୋଇ ପାରୁନାହିଁ ।
ରାଜ୍ୟରେ ଦୀର୍ଘ ୨୩ବର୍ଷ ଧରି ଥିବା ବିଜେଡି ସରକାର କେନ୍ଦ୍ର ସରକାର ଙ୍କୁ ସଂସଦ ରେ ସମର୍ଥନ କରି ଆସୁଛନ୍ତି । ଏପରିକି ବିଜେପି ଦଳ ର ପ୍ରାର୍ଥୀ ବର୍ତମାନ ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ବିଜେଡି ଦଳ ରାଜ୍ୟସଭା କୁ ପଠାଇଛି । କେନ୍ଦ୍ର ସରକାର ଙ୍କ ଜନ ବିରୋଧୀ ନୀତି ଗୁଡିକୁ ରାଜ୍ୟରେ ବିଜେଡି ଦଳ ବିରୋଧ କରୁନାହିଁ । କେନ୍ଦ୍ର ସରକାର ଙ୍କ ଦରଦାମ ବୃଦ୍ଧି ରେ ରାଜ୍ୟ ର ସାଧାରଣ ଜନତା ପେଷି ହୋଇ ଗଲେଣି । ଆଉ ଏକ ସର୍ଵ ଭାରତୀୟ ଦଳ ଭାରତୀୟ ଜାତୀୟ କଂଗ୍ରେସ କଥା ନକହିବା ଭଲ । ରାଜ୍ୟରେ ସେହି ଶହେ ବର୍ଷ ର ଦଳ ଦିନ କୁ ଦିନ ତାର ସ୍ଥିତି ହରେଇବାକୁ ଯାଉଛି । ଗଣତନ୍ତ୍ର ରେ ବିରୋଧୀ ଦଳ ନରହିଲେ ଶାସନ ଏକଛତ୍ର ବାଦୀ ହୋଇଯାଏ ।ତାହା ଆଜି ଓଡିଶା ରାଜନୈତିକ ଦୃଶ୍ୟପଟ ରେ ପରିଲକ୍ଷିତ ହୋଇଛି ।
ଏହି ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆଉ ଏକ ସର୍ବଭାରତୀୟ ଦଳ ବି ଆର ଏସ ଓଡ଼ିଶା ରାଜନୀତି ରେ ତାର ଗୃହ ପ୍ରବେଶ କରିଛି । ଏହି ଘଟଣା କୁ ରାଜ୍ୟ ରେ ଥିବା ସରକାରୀ ଦଳ ବିଜେଡି ଓ କେନ୍ଦ୍ରରେ ଥିବା ସରକାରୀ ଦଳ ବିଜେପି ଭଣ୍ଡୁର କରିବାକୁ ସେମାନଙ୍କର ସୁଚିତିନ୍ତ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ବି ଆର ଏସ ତାର କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଆରମ୍ଭ କରିନାହିଁ । ରାଜ୍ୟର ୧୪୭ନିର୍ବାଚନ ମଣ୍ଡଳୀ ରେ ତାର ସାଙ୍ଗଠନିକ ଶକ୍ତି ବୃଦ୍ଧି କରିବା ପାଇଁ ତାର ପ୍ରସ୍ତୁତି କେବଳ ଆରମ୍ଭ କରିଛି । ଓଡ଼ିଶା ରାଜନିତୀ ରେ ବହୁ ସାଙ୍ଗଠନିକ ଦକ୍ଷତା ଥିବା ନେତୃତ୍ୱ ବିଜେଡି ,ବିଜେପି ଓ କଂଗ୍ରେସ ଦଳ ରୁ ମୁହଁ ଫେରେଇ ନେଇ ଏକ ବିକଳ୍ପ ରାଜନୈତିକ ପ୍ଲାଟଫର୍ମ ଖୋଜୁଛନ୍ତି ।
ସ୍ୱତନ୍ତ୍ର ଭାବରେ କହିବାକୁ ଗଲେ ବହୁ ନେତା ଯେଉଁମାନେ ବିଜୁ ଜନତା ଦଳ କୁ ଲହୁ ଓ ଲୁହ ଦେଇ ବିଜୁ ବାବୁ ଙ୍କ ସୁପୁତ୍ର ନବୀନ ପଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଗାଦିସିନ କରାଇ ଥିଲେ ସେଥିରୁ ୭୫ଭାଗ ନେତା ଏବେ ଦଳ ବାହାରେ ଅଛନ୍ତି । ଅନେକ ନେତା ସେହି ଦଳ ରେ ଥାଇ ଅଣ ନିଶ୍ୱାସୀ ହୋଇ ପଡିଛନ୍ତି । କେତେକ ନିର୍ଦିଷ୍ଟ ଅଫିସର ଓ ତାଙ୍କର ଚମଚା ମାନଙ୍କୁ ନେଇ ରାଜ୍ୟ ଶାସନ ଚାଲିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ବର୍ତମାନ କିଛି ଅଫିସର ଙ୍କର କ୍ରୀଡା ପୁତଳିକା ହୋଇ ଯାଇଛନ୍ତି । ଏହି କଥା ବରିଷ୍ଠ ନେତା ପ୍ରଫୁଲ ଘଡେଇ କହିବା ଯୋଗୁ ତାଙ୍କୁ ରାତାରାତି ଦଳ ର ବାହାର ରାସ୍ତା ଗତ କିଛି ବର୍ଷ ତଳେ ଦେଖେଇ ଦିଆଗଲା ।
ସେ ଏବେ ନିଜ ପୁତ୍ର ମୋହ ଓ କ୍ଷମତାରେ ରହିବାକୁ ବିଜେଡ଼ି ର ଗୁଣ ଗାନ କରୁଛନ୍ତି । ଦଳ ରେ କିଛି ନେତା ନିଜ ପୁତ୍ର ମାନଙ୍କୁ ଥଇଥାନ କରିବା ପାଇଁ ସରକାରୀ ଦଳ କୁ ସମର୍ଥନ କରୁଛନ୍ତି । ତେଣୁ ସେହିଭଳି ଦକ୍ଷତା ସମ୍ପର୍ଣ୍ଣ ଉପେକ୍ଷିତ ନେତା ମାନଙ୍କୁ ୧୪୭ଟି ନିର୍ବାଚନ ମଣ୍ଡଳୀ ରେ ଦଳ ଖୋଜି ବାହାର କରିବାର ପ୍ରୟାସ ବି ଆର ଏସ ତାର ପ୍ରକ୍ରିୟା ଆରମ୍ଭ କରିଛି । ଏଭଳି ପରିସ୍ଥିତି ରେ ରାଜ୍ୟର କିଛି ଗଣ ମାଧ୍ୟମ ବି ଆର ଏସ ବିରୁଦ୍ଧରେ ଅପପ୍ରଚାର କରିବା ମଧ୍ୟ ଆରମ୍ଭ କରି ସାରିଲେଣି । ଯେଉଁ ନେତା ମାନେ ଦଳ ରେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କାହାକୁ ନା କାହାକୁ ଦଳ ର ମୁଖ୍ୟ ହେବେ ବୋଲି ଅପପ୍ରଚାର କରି ବି ଆର ଏସ ର ଆଭିମୁଖ୍ୟ କୁ ମଳିନ କରିବା ପାଇଁ ଉଦ୍ୟମ କରୁଛନ୍ତି ।
ଏହା ହେଉଛି ସରକାରୀ ଦଳ ର ଏକ ସୁଚିତିନ୍ତ ଯୋଜନା । ଦଳ ର ଆଗାମୀ ଦିନରେ କିଏ ଚେହେରା ହେବ ତାହା ଦଳ ର ମୁଖ୍ୟ ସ୍ଥିର କରିବେ । ଦଳ ରେ ଆଗାମୀ ଦିନରେ ବହୁ ନେତା ଯୋଗଦାନ କରିବେ । ତାର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଏହି ଦଳ କୁ ଓଡ଼ିଶାର ପ୍ରମୁଖ ଚାଷୀ ସଂଗଠନ “ନବ ନିର୍ମାଣ କୃଷକ ସଙ୍ଗଠନ ” ତାର ସମର୍ଥନ ଦେଇ ସରିଛି ।ଯେଉଁ ସଂଗଠନ ସାରା ରାଜ୍ୟରେ ତାର ସ୍ଥିତି ଜାହିର କରି ସାରିଛି । ଆହୁରି ମଧ୍ୟ ରାଜ୍ୟରେ ଥିବା ” ସୂଚନା ଅଧିକାର ସଙ୍ଗଠନ” ତାର ସମର୍ଥନ ଦଳ ପ୍ରତି ଘୋଷଣା କରି ସାରିଛି । ରାଜ୍ୟରେ ଆଗାମୀ ଦିନରେ ବି ଆର ଏସ ଦଳ ସମାଜ ର ବିଭିର୍ଣ୍ଣ ଵର୍ଗ ର ନେତା ଙ୍କୁ ସାମିଲ କରିବାର ଯୋଜନା ଅଛି ।
ଏହି ଦଳ ଆଗାମୀ ଦିନରେ ତାର କାୟା ବିସ୍ତାର କଲେ କିଏ ଓ କେଉଁ ଦଳ କ୍ଷତିଗ୍ରସ୍ତ ହେବ ତାହା ସମୟ କହିବ । ଏହି ନୂତନ ଦଳ ର ମଙ୍ଗ କିଏ ଧରିବ ତାହା ମଧ୍ୟ ବଡ଼ କଥା ନୁହେଁ । ଏକ ସମୂହ ନେତୃତ୍ୱ କୁ ନେଇ ଦଳ ତାର ଆଗାମୀ ଦିନରେ ରଣ ନୀତି ପ୍ରସ୍ତୁତ କରିବ । ଦଳ ର ଚେହେରା କିଏ ହେବ ତାହା ଦଳ ର ସର୍ବଭାରତୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସଭାପତି ସ୍ଥିର କରିବେ । କିନ୍ତୁ ଦଳ ତାର ଲକ୍ଷ ଓ ଆଭିମୁଖ୍ୟ କୁ ଖୁବ ଶୀଘ୍ର ଲୋକ ଙ୍କ ପାଖକୁ ନେବ ।ସେଥିପାଇଁ ବିସ୍ତୃତ ଯୋଜନା ତିଆରି ସରିଛି । ପ୍ରଥମେ ଓଡ଼ିଶାର ଅଗଣିତ ଜନତା ଙ୍କର ବିଶ୍ୱାସ ଭାଜନ ହେବାକୁ ପଡିବ । ବିଗତ ୮ବର୍ଷ ର ତେଲେଙ୍ଗାନା ରାଜ୍ୟ ଭାରତବର୍ଷ ର ବିକଶିତ ରାଜ୍ୟ ଗୁଡିକ ମଧ୍ୟରୁ ଯଦି ଦ୍ଵିତୀୟ ସ୍ଥାନ ହାସଲ କରି ପାରିଲା ତେବେ ୨୩ବର୍ଷ ର ଓଡ଼ିଶାରେ ଥିବା ରାଜ୍ୟ ସରକାର ଆଜିବି ଏକ ପଛୁଆ ରାଜ୍ୟ କାହିଁକି ହୋଇଛି ସେ ବିଷୟରେ ସଠିକ ତଥ୍ୟ ଦଳ ରାଜ୍ୟବାସୀ ଙ୍କ ପାଖରେ ଉପସ୍ଥାପିତ କରିବ । ଆମ ପାଖରେ ସବୁ ଅଛି । ରାଜ୍ୟରେ ପ୍ରଚୁର ମାତ୍ରାରେ ଜଳ,ଜମି,ଜଙ୍ଗଲ ଅଛି । ଅସମ୍ଭବ ଖଣିଜ ସମ୍ପଦ ରେ ଭରପୁର ଆମ ରାଜ୍ୟ । କିନ୍ତୁ ଆମେ ଭାରତ ବର୍ଷ ର ଏକ ଅନ୍ୟତମ ଦରିଦ୍ର ରାଜ୍ୟ ରେ ଗଣା ହେଉଛେ । ଏଥିପାଇଁ ଆମର ନେତୃତ୍ୱ ର ଇଛାଶକ୍ତି ର ଅଭାବ ।ଆମ ପାଖେ “ଧନ ର ଅଭାବ ନାହିଁ କେବଳ “ମନ”ର ଅଭାବ ଅଛି । ଆମ ର ଇଛାଶକ୍ତି କେତେକ ହାତଗଣତି ଅଫିସର ମାନଙ୍କ ଦ୍ୱାରା ପରିଚାଳିତ ।
୨୩ବର୍ଷ ର ଶାସନ ଗୋଟିଏ ରାଜ୍ୟ ପାଇଁ ବହୁତ ଲମ୍ବା ସମୟ । ଯଦି ୨୩ବର୍ଷ ଭିତରେ ଆମ ରାଜ୍ୟ ଏକ ବିକଶିତ ହୋଇ ପାରିଲା ନାହିଁ ତେବେ ଆଉ କେତେବର୍ଷ ଲାଗିବ ? ଆଜି ରାଜ୍ୟ ର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ।ଯେଉଁ ରାଜ୍ୟର ଗୃହ ମନ୍ତ୍ରୀ କହୁଛନ୍ତି “ପୋଲିସ ଲାଞ୍ଚ ନେଉଛି” ଓ ଯେଉଁ ରାଜ୍ୟରେ ଜଣେ ପୋଲିସ ଦ୍ୱାରା ଜଣେ କ୍ୟାବିନେଟ ମନ୍ତ୍ରୀ ଙ୍କର ହତ୍ୟା ହୋଇ ପାରୁଛି ସେଇ ରାଜ୍ୟ ରେ ଏକ ସୁ ଶାସନ ଚାଲିଛି ବୋଲି ଆମେ କିପରି କହିବା ? ଓଡ଼ିଶା ରାଜ୍ୟ ହେଉଛି ଏକ କୃଷି ପ୍ରଧାନ ରାଜ୍ୟ ।ଏଠି ରାଜ୍ୟର ୬୫ଭାଗ ରୁ ଅଧିକ ହେଉଛନ୍ତି କୃଷି ଉପରେ ନିର୍ଭର ଶୀଳ ।
ବିଗତ ୨୦୦୦ମସିହାରେ ସରକାର ଲକ୍ଷ ରଖିଥିଲେ ରାଜ୍ୟର ୩୫ଭାଗ ଜମି କୁ ଜଳ ସେଚନ କରିବା ପାଇଁ ।୨୩ ବର୍ଷ ଭିତରେ ସେ ଲକ୍ଷ ହାସଲ ହୋଇ ପାରିଲା ନାହିଁ । ରାଜ୍ୟର ଉଠା ଜଳସେଚନ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ । ରାଜ୍ୟରେ ଜଳ ସମ୍ପଦ ଭରପୁର । ଏଠି ମହାନଦୀ, ବ୍ରାହ୍ମଣୀ , ସୁବର୍ଣ୍ଣରେଖା, ବୈତରଣୀ , ନାଗାବଳୀ ,ବୁଢ଼ାବଳଙ୍ଗ ପ୍ରଭୁତି ନଦୀ ବୋହି ଯାଉଛି । ରାଜ୍ୟର ଗୋଟିଏ ନଦୀ ମହାନଦୀ ଯାହାର ୨୫ଭାଗ ଜଳ ମାତ୍ର ବ୍ୟବହାର ହେଉଛି ବାକି ୭୫ ଭାଗ ଜଳ ସମୁଦ୍ରରେ ପଡୁଛି । ଏହି ଗୋଟିଏ ନଦୀ ର ଜଳ ସମଗ୍ର ରାଜ୍ୟ ର ଚାଷ ଜମି ର ଜଳ ସେଚନ ଓ ପିଇବା ପାଣି ର ଆବଶ୍ୟକତା କୁ ମେଂଟେଇ ପାରିବ । ଆମ ରାଜ୍ୟର ଉପର ମୁଣ୍ଡ ଛତିଶ ଗଡ଼ ରେ ଅନିକଟ କରି ଜମି କୁ ଜଳସେଚିତ କରୁଥିବା ବେଳେ ଆମେ ଆଵଶ୍ୟକତା ଅନୁସାରେ ଆନିକଟ କରି ଚାଷ ଜମି କୁ ଜଳ ସେଚନ କରିବାକୁ କିଏ ମନା କରୁଛି ? ଏବେ ପିଇବା ପାଣି ମଧ୍ୟ ସବୁ ଜାଗାରେ ପହଂଚି ପାରିନାହିଁ । ରାଜ୍ୟର ଡାକ୍ତର ଖାନା ଗୁଡିକରେ ୪୦ଭାଗ ଡାକ୍ତର ପଦବୀ ଖାଲି ଅଛି । ସ୍ବାସ୍ତ୍ୟ ସେବା ରାଜ୍ୟରେ ବିପର୍ଯ୍ୟସ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ ।ଆଜିବି ଆମେ ଉତ୍ତମ ସ୍ୱାସ୍ତ୍ୟସେବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛେ । ଆମ ରାଜ୍ୟ ବେରୋଜଗରୀ ରେ ମଧ୍ୟ ଆଗରେ ଅଛି । ରାଜ୍ୟର ୩୦ଲକ୍ଷ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରେ ଅଛନ୍ତି । ସମଗ୍ର ଭାରତ ବର୍ଷରେ ବେକାରୀ ହର ୬.୧ଥିବା ବେଳେ ରାଜ୍ୟର ବେକାରୀ ହର ୮.୪ଅଟେ ।
ରାଜ୍ୟରେ ଆଜିର ସମୟରେ ୨୨ଲକ୍ଷ ଶିକ୍ଷିତ ବେକାର ଅଛନ୍ତି ।ସେମାନଙ୍କ ନିଯୁକ୍ତି କି ଆତ୍ମନିଯୁକ୍ତି ପାଇଁ ନିର୍ଦିଷ୍ଟ ଯୋଜନା ନାହିଁ । ସରକାରୀ ଚାକିରୀ ରେ ସମୁଦାୟ ୫ଲକ୍ଷ ୮୩ହଜାର ମଞ୍ଜୁରୀପ୍ରାପ୍ତ ପଦବୀ ରୁ ୧ ଲକ୍ଷ ୩୧ହଜାର ୫୧୮ଟି ପଦବୀ ଖାଲି ଅଛି । ରାଜ୍ୟରେ ଗଢି ଉଠୁଥିବା ଶିଳ୍ପ ରେ ସ୍ତାନୀୟ ବେକାର ଙ୍କୁ ମଧ୍ୟ ନିଯୁକ୍ତି ସୁଯୋଗ ନାହିଁ । ଏବେ ରାଜ୍ୟରେ ସବୁଠୁ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି “ଚାଷୀ ସମାଜ” । ଚାଷୀ ତାର ପରିଶ୍ରମ ର ମୂଲ୍ୟ ପାଉନାହିଁ ।କରଜ ସୁଝି ନପାରି ଆତ୍ମହତ୍ୟା କରୁଛି । ଚାଷୀର ଉତ୍ପାଦ ର ଅଭାବୀ ବିକ୍ରି ହେଉଛି । ରାଜ୍ୟରେ ଶୀତଳ ଭଣ୍ଡାର ପର୍ଯ୍ୟାପ୍ତ ମାତ୍ରା ରେ ନଥିବାରୁ ଓଡିଶା ଆଜି ବି ଆଳୁ , ପିଆଜ, ଅଣ୍ଡା ,କଦଳୀ ,ମାଛ ଓ ପନି ପରିବା ବାହାର ରାଜ୍ୟରୁ ଆମଦାନୀ କରୁଛି । ରାଜ୍ୟ ସରକାର ଙ୍କ “ଇଛା ଶକ୍ତି”ର ଅଭାବ ଯୋଗୁଁ ଆମ ପାଖରେ ସବୁ ଥାଇ ବି କିଛି ନାହିଁ । ରାଜ୍ୟ ସରକାର କିଭଳି ରାଜ୍ୟ ରାଜକୋଷ କୁ ବ୍ୟବହାର କରି ଦୀର୍ଘଦିନ ଧରି କ୍ଷମତା ରେ ରହିବ ସେହି କାମରେ ବ୍ୟସ୍ତ ।
ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବି ରାଜ୍ୟ ସରକାର ସାଙ୍ଗରେ “ସଲାକୁସ୍ତି”କରି ସରକାର କୁ ଉପରଦେଖାଣିଆ ବିରୋଧ କରୁଛନ୍ତି । ରାଜ୍ୟ ର ଜନସାଧାରଣ ଙ୍କ ଏହି ଅସୁବିଧା କୁ ଆଖି ଆଗରେ ରଖି ଏକ ନୂତନ ରାଜନୈତିକ ସଂଗଠନ ର ଆବଶ୍ୟକତା କୁ ଉପଲବ୍ଧି କରି ରାଜ୍ୟରେ ଏକ ନୂତନ ବିକଳ୍ପ ଦଳ” ବି ଆର ଏସ ” ର ସୃଷ୍ଟି ର ପରିକଳ୍ପନା କରାଯାଇଛି । ଏହି ଦଳ ଓଡ଼ିଶାର ସାଧାରଣ ଜନତା ଙ୍କର ଆଶା ଓ ଆକାଂକ୍ଷା କୁ ପୂରଣ କରିବାକୁ ସଂକଳ୍ପବଦ୍ଧ । ଭାରତ ବର୍ଷ ର ଏକ ନୂତନ ରାଜ୍ୟ “ତେଲେଙ୍ଗାନା” ଜଦି ୮ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଙ୍କ ପ୍ରଚଣ୍ଡ ଇଛାଶକ୍ତି ବଳରେ ଦେଶ ର ଦ୍ଵିତୀୟ ଆର୍ଥିକ ସମୃଦ୍ଧି ଲାଭ କରି ପାରିଲା ତେବେ ଓଡ଼ିଶାରେ ସବୁ ଥାଇ କାହିଁକି ହେବନି ? ଆସନ୍ତୁ ସମସ୍ତେ ମିଳିମିଶି ଓଡ଼ିଶାର ସାମୁହିକ ସ୍ୱାର୍ଥ ପାଇଁ ଏକ ନୂତନ ସୂର୍ଯୋଦୟ ର ପରିକଳ୍ପନା କୁ ସାକାର କରିବା ପାଇଁ ଚେଷ୍ଟା କରିବା ଓ ତାହାର ଫଳ କଣ ହେବ ଆଗାମୀ ସମୟ କହିବ ।
ନବୀନ ନନ୍ଦ, ପୂର୍ବତନ ବିଧାୟକ , ଢେଙ୍କାନାଳ।