ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗ କେଳେଙ୍କାରୀରେ ସଂପୃକ୍ତ ନେତାଙ୍କୁ ତଦନ୍ତ ପରିସରଭୁକ୍ତ ଦାବୀରେ ବିଜେପି ଗର୍ଜିଲା !
ଢେଙ୍କାନାଳ : ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗ ଯୌନକେଳେଙ୍କାରୀରେ ବିଜେଡି ନେତାଙ୍କୁ ତଦନ୍ତ ପରିସରଭୁକ୍ତ ଦାବୀରେ ଓ ଉଭୟ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ବିରୋଧରେ ଢେଙ୍କାନାଳ ବିଜେପିର ଏକ ଧାରଣା ଓ ପ୍ରତିବାଦ ସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦଙ୍କ ସଂଯୋଜନାରେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟ ବିଜେଡି ସରକାର ସର୍ବଦା ମା’ଙ୍କୁ ସମ୍ମାନର ଡିଣ୍ଡିମ ପିଟୁଥିବା ସ୍ଥଳେ ବାସ୍ତବରେ ଦଳର ନେତା, ବିଧାୟକ ଓ ମନ୍ତ୍ରୀମାନେ ଦୁଷ୍କର୍ମ, ଯୌନକେଳେଙ୍କାରୀ, ହତ୍ୟା ଓ ଅପହରଣରେ ସଂପୃକ୍ତ ରହୁଛନ୍ତି । ଅର୍ଚ୍ଚନା ନାଗ ଯୌନ ନାଗଫାସରେ ୩୦ରୁ ଅଧିକ ବିଧାୟକ, ୧୨ଜଣ ମନ୍ତ୍ରୀ ଓ ବହୁ ବିଜେଡି ନେତାଙ୍କ ସଂପୃକ୍ତ ଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଚାଲିଛି । ଅର୍ଚ୍ଚନା ୫ବର୍ଷ ଭିତରେ ଏମାନଙ୍କୁ ନିଜ ନାଗଫାଶରେ ଫସାଇ, ବ୍ଲାକ୍ମେଲ୍ କରି କୋଟି କୋଟି ସମ୍ପତିର ଅଧିକାରିଣୀ ହୋଇପାରିଛି । ତାଙ୍କ ଘରେ ଟ୍ରାନ୍ସଫର୍, ପୋଷ୍ଟିଂ, ଟେଣ୍ଡର ଫିକ୍ସି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଉଥିଲା ।
ଢେଙ୍କାନାଳ ଜିଲ୍ଲାର ଜନୈକ ବିଧାୟକ ଅର୍ଚ୍ଚନା ନାଗଫାସରେ ପଡି ତାଙ୍କୁ ଏକ ଦାମୀ ଗାଡି ଦେବା ସହ କୋଟି କୋଟି ଟଙ୍କା ଦେଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ଯାହାକି ଢେଙ୍କାନାଳ ମାଟିର ସମ୍ମାନକୁ କଳୁଶିତ କରିଛି । ଆଗାମୀ ଦିନରେ ଜନସାଧାରଣ ତାହାର ଉଚିତ୍ ଯବାବ୍ ଦେବେ ବୋଲି ନେତୃବୃନ୍ଦ ଆହ୍ୱାନ ଦେଇଥିଲେ ।
ସେହିଭଳି ବିଜେଡି ଜିଲ୍ଲାପରିଷଦ ସଦସ୍ୟ ସ୍ୱର୍ଗତ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପୂର୍ବରୁ ଜଣେ ବନ୍ଧୁଙ୍କୁ ଫୋନ୍ ଯୋଗେ କହିଥିଲେ କି, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ, ଯାହାକି ଓଡିଓ ଭାଇରାଲ୍ ହୋଇଥିଲା । ଉଭୟ ସମ୍ବେଦନଶୀଳ ଘଟଣା ହୋଇଥିବା ସତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀରବତା ଅବଲମ୍ବନ କରିଥିବାରୁ ନେତୃବୃନ୍ଦ ତୀବ୍ର ସମାଲୋଚନା କରିଥିଲେ । ଅବିଳମ୍ବେ ଉଭୟ ମାମଲାରେ ସଂପୃକ୍ତ ବିଜେଡି ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ବିରୋଧରେ ଯଦି ଦୃଢ କାର୍ଯ୍ୟାନୁଷ୍ଠାନ ନନିଆଯାଏ, ଆଗାମୀ ଦିନରେ ଏହି ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ ।
ଉପରୋକ୍ତ ପ୍ରତିବାଦ ସଭାରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଢେଙ୍କାନାଳ ପୌରପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ପୂର୍ବତନ ଅଧ୍ୟକ୍ଷ ସୁନିଲ୍ ଶର୍ମା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ସନାତନ ବେହେରା, ଭାରତୀ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ରତିକାନ୍ତ ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ଜିଲ୍ଲା ସଭାପତି ମହାଦୀପ୍ ଯଶୋବନ୍ତ ମହିମା ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, କାଉନ୍ସିଲର ବଳରାମ ସେଠୀ, ନିରୋଦ କୁମାର ସାହୁ, ସୂର୍ଯ୍ୟପ୍ରତାପ ରାଉତ, ଅନିତା ମଲ୍ଲିକ, ଲକ୍ଷ୍ମୀପ୍ରିୟା ଦଳେଇ, ସସ୍ମିତା ମଲ୍ଲିକ, ସସ୍ମିତା ସାହୁ, ମଣ୍ଡଳ ସଭାପତି ପ୍ରତ୍ୟୁଶହରି ପ୍ରଧାନ, ଧୃବଚରଣ ରାଉତ, ମଧୁସୂଦନ ଜେନା, ଲିଲି ନାୟକ, ମଧୁସ୍ମିତା ପୁହାଣ, ଦୀପୁ ପଟ୍ଟନାୟକ, ନିର୍ମଳ ବିହାରୀ, ଅବିନାଶ ଜେନା, ପପୁ ପାଣି, ରାକେଶ ମଲ୍ଲିକ, ନାଗାର୍ଜୁନ ପାତ୍ରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଶେଷରେ ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।