ଢେଙ୍କାନାଳ: ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକି କିଶୋର ଓ କିଶୋରୀ ମାନଙ୍କର ଦକ୍ଷତା ବୃଦ୍ଧି କରାଇବା ଲାଗି ଜିଲ୍ଲା ପ୍ରଶାସନ, ଢେଙ୍କାନାଳ, ଆକ୍ସନ ଏଡ ଆସୋସିଏସନ ଓ ୟୁନିସେଫର ମିଳିତ ସହଯୋଗରେ କିଶୋର ଓ କିଶୋରୀମାନଙ୍କୁ ନେଇ ଗଠିତ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ଜିଲ୍ଲା ସ୍ତରୀୟ ଅଧିବେଶନ ଗନ୍ଦିଆ ବ୍ଲକ ଅଫିସ ସଭା ଗୃହ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ସାହୁଙ୍କର ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ବୈଠକରେ ଗନ୍ଦିଆ ବ୍ଲକର ୧୨ ଗୋଟି ପଞ୍ଚାୟତରୁ ୫୫ ଜଣ କିଶୋର ଓ କିଶୋରୀ ଅଂଶଗ୍ରହଣ କରିଥିଲେ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ ତାଙ୍କର ଅଭିଭାଷଣ ରେ ବାଲ୍ୟ ବିବାହର କାରଣ, ଏହାର କୁ ପରିଣତି ବିଷୟରେ କିଶୋର ଓ କିଶୋରୀମାନଙ୍କୁ ବୁଝାଇଥିଲେ। ଶିକ୍ଷା ମଣିଷକୁ ଚକ୍ଷୁ ପ୍ରଦାନ କରେ ଓ କେବଳ ଶିକ୍ଷା ହିଁ ବାଲ୍ୟ ବିବାହକୁ ରୋକିପାରିବ ସେ ପ୍ରସଙ୍ଗ ରେ ଆଲୋକପାତ କରିଥିଲେ। ଅଙ୍ଗନବାଡି କର୍ମୀ, କିଶୋର କିଶୋରୀ ଓ ଗ୍ରାମାଞ୍ଚଳର ମୁଖିଆମାନେ କିପରି ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଗନ୍ଦିଆ ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ କିପରି ଆମେ କିଶୋର କିଶୋରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିବା ଓ ସେମାନଙ୍କର କୌଶଳ ବୃଦ୍ଧି କରାଇପାରିବା ସେ ବିଷୟରେ ଆଲୋକପାତ କରାଇଥିଲେ। ଜିଲ୍ଲା ନିଯୁକ୍ତି ଅଧିକାରୀ ଓ ଜିଲ୍ଲା ଶ୍ରମ ଅଧିକାରୀ କିଶୋର ଓ କିଶୋରୀମାନଙ୍କ ପାଇଁ ଥିବା ନିଯୁକ୍ତି ଯୋଜନା ଓ ପାଠ ପଢିବା ପାଇଁ ଉପଲବ୍ଧ ଥିବା ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁ ଅଧିକାର ଓ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ସଞ୍ଜୋଜିକା, ୟୁନିସେଫ୍ ଓ ଆକ୍ସନ ଏଡ ବାଲ୍ୟ ବିବାହର କାରଣ, ଏହାର ପ୍ରଭାବ, ସାମାଜିକ ଓ ଆଇନ ଗତ ବ୍ୟବସ୍ତା ଓ କିଶୋର କିଶୋରୀମାନଙ୍କ ପାଇଁ ଉପଲବ୍ଧ ଥିବା ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ ।
ଏହି ବୈଠକରେ ବାଲ୍ୟ ବିବାହକୁ ରୋକିବା ଲାଗି ଚେଷ୍ଟିତ ଥିବା ସମସ୍ତ କିଶୋର ଓ କିଶୋରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ନିଜର ଅଭିଜ୍ଞତା ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କରିଥିଲେ। ଅଂଶଗ୍ରହଣକାରିଙ୍କ ମଧ୍ୟରେ ବାଲ୍ୟ ବିବାହ ର କାରଣ, ଏହାର ପ୍ରଭାବ ଓ ଏହାକୁ ବନ୍ଦ କରିବାର ପଦକ୍ଷେପ ବିଷୟରେ ଦଳଗତ ଆଲୋଚନା କରାଯାଇଥିଲା ।
ଏଥିରେ ମୁଖ୍ୟ ଆଲୋଚନା ର ବିଷୟ ଥିଲା ଯେ ଗ୍ରାମ ଓ ପଞ୍ଚାୟତ ସ୍ତରରେ ବିବାହର ପଞ୍ଜିକରଣ, ବିବାହ ପୂର୍ବରୁ ଉଭୟ ପୁଅ ଓ ଝିଅଙ୍କର ବୟସ ପ୍ରମାଣ ପତ୍ର ସରପଞ୍ଚ ମାନଙ୍କ ଦ୍ଵାରା ଯାଞ୍ଚ କରାଯିବା, କିଶୋର ଓ କିଶୋରୀ ମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରାଇବା, ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ଓ ବାଲ୍ୟ ବିବାହ ଆଇନ କୁ କଡାକଡି ଭାବେ ଲାଗୁ କରାଇବା। ଶେଷରେ ସମସ୍ତ ଅଂଶଗ୍ରହଣକାରି ବାଲ୍ୟ ବିବାହକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ସହଯୋଗ ନ କରିବା ଲାଗି ଶପଥ ପାଠ କରିଥିଲେ ।