ଢ଼େଙ୍କାନାଳ ସହର ଦେଇ ଯାଇଥିବା ଅଧାପନ୍ତରିଆ ୫୫ନଂ .ଜାତୀୟରାଜପଥ ମରଣଯନ୍ତା ସାଜିଥିବା ଏହି ବ୍ୟସ୍ତବହୁଳ ସଡ଼କରେ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଥିବାବେଳେ ଆଉ ଏକ ବିଭତ୍ସ ହୃଦୟବିଦାରକ ଦୃଶ୍ୟକୁ ପୁନରାବୃତ୍ତି ହୋଇଛି। ସଦର ଥାନା ଗୋବିନ୍ଦପୁର ଫାଣ୍ଡି ନିକଟରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୦ରେ ଏକ ୧୨ ଚକିଆ ମାଲବୋଝେଇ ଟ୍ରକ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଛନ୍ତି ଅଁଳାବେରେଣୀ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା କର୍ମଚାରୀ ଅଁଳାବେରେଣୀ ଗ୍ରାମର ଭରତ ଚନ୍ଦ୍ର ଦେହୁରୀ (୪୫) ଏବଂ ତୁମୁସିଙ୍ଗା ଥାନା ନୂଆମହୁଲି ଗ୍ରାମର ମୁରଲୀ ବିଶ୍ୱାଳ (୪୬)। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ସଡ଼କରେ ଯାନବାହନ ଚଳାଚଳ ବ୍ୟାଘାତ ଥିଲା ।
ପ୍ରତ୍ୟକ୍ଷ ଦର୍ଶୀ ଙ୍କ ସୂଚନା ମୁତାବକ , ଭରତ ଏକ ବାଇକ ( ନଂ .ଓଡ଼ି୦୬ ଏଚ ୭୪୪୫)ରେ ମୁରଲୀଙ୍କୁ ସାଙ୍ଗରେ ଧରି କୌଣସି ଏକ କାମରେ କଟକ ଆଡ଼କୁ ଯାଉଥିଲେ। ଏହି ସମୟରେ ଗୋବିନ୍ଦପୁର ଫାଣ୍ଡି ନିକଟ ଛକରେ ତାଳଚେର ବାଘୁଆବୋଲ ଅଞ୍ଚଳରୁ ଆସୁଥିବା ଟ୍ରକ ( ନଂ .ଓଡ଼ି ୨୩ ଏଚ୍ ୪୫୭୯) ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଭରତ ଏବଂ ମୁରଲୀ ବାଇକ୍ରୁ ଛିଟିକି ଟ୍ରକ୍ ପଛ ଚକା ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା।
ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଡ୍ରାଇଭର ଗାଡ଼ି ଧରି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବାବେଳେ ଦୁର୍ଘଟଣାସ୍ଥଳରୁ ପ୍ରାୟ କେଇ କିଲୋମିଟର ଦୂର ବଳଦିଆବନ୍ଧ ଅଞ୍ଚଳରୁ ପୋଲିସ ଟ୍ରକ୍କୁ ଜବତ ସହ ଚାଳକ କୁ ଗିରଫ କରିଛି ।
ଏହିଘଟଣାକୁ ନେଇ ଉତେ୍ତଜନା ପ୍ରକାଶ ପାଇଥିଲା। ୫୫ନଂ .ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଅଧାପନ୍ତରିଆ ହୋଇପଡ଼ିଛି। ତେଣୁ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ ସହ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ।ସଦର ଥାନାଅଧିକାରୀ ପ୍ରଦୀପ କୁମାର ପ୍ରଧାନ ଫାଣ୍ଡି ପୋଲିସ ସହ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ।ଏହାପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରି ପରିବାରକୁ ଦେଇଛି । ଦୁର୍ଘଟଣାରେ ଏ ସଂକ୍ରାନ୍ତରେ ନଂ .୫୪୭/୨୨ରେ ଏକ ମାମଲା ରୁଜୁ କରାଯାଇଛି ।