ଢେଙ୍କାନାଳ : ସଦର ମହକୁମାରେ ଜନସାଧାରଣଙ୍କ ସଭାସମିତି ନିମନ୍ତେ “ଜନତା ମଇଦାନର” ଆବଶ୍ୟକତା ରହିଛି ଓ ସେଥି ନିମନ୍ତେ ଏକ ସରକାରୀ ଜମି ପ୍ରଦାନ ନିମନ୍ତେ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ ଦାବି କରାଯାଇଛି ।
ଏହି ବିଷୟରେ ପୂର୍ବତନ ଜିଲ୍ଲାପାଳ ଭୂମେଶ ବେହେରାଙ୍କ ନିକଟରେ ସଂଗଠନ ତରଫରୁ ଦାବି କରାଯାଇଥିଲା । ଏବେ ସଂଗଠନର ସଦସ୍ୟମାନେ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ଭେଟି ଦାବିପୁରଣ ନିମନ୍ତେ ଅନୁରୋଧ କରିବା ସହିତ ରାଜନୈତିକ ଦଳ ମାନଙ୍କୁ ଏହି କାର୍ଯ୍ୟକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଛନ୍ତି ।ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଢେଙ୍କାନାଳ ଜିଲ୍ଲାର ସଦର ମହକୁମାଠାରେ ଜନସାଧାରଣ ଏକତ୍ରିତ ହୋଇ ସଭାସମିତି କରିବା ନିମନ୍ତେ ଖୋଲାସ୍ଥାନ ଟିକିଏ ମିଳିନାହିଁ ।
ରାଜନୈତିକ ଦଳ , ସାମାଜିକ ସଂଗଠନ , କୃଷକ ଓ ଶ୍ରମିକ ସଂଗଠନ ଆଦି ଯେତେବେଳେ ସରକାରଙ୍କ ନିକଟରେ ବିଭିନ୍ନ ସମସ୍ୟାକୁ ନେଇ ଦାବି ଉପସ୍ଥାପନ ଉଦ୍ଦେଶ୍ୟରେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ସଭାସମିତି , ଧର୍ମଘଟ, ବିକ୍ଷୋଭ , ଧାରଣା ଆଦି ଆୟୋଜନ କରିଥାଆନ୍ତି ; ସେମାନେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଥିବା ଡ୍ରେନ୍ କଭର୍ ଉପରେ ଦରି ବିଛାଇ ଏହି କାର୍ଯ୍ୟକ୍ରମ କରିଥାଆନ୍ତି । ଏହା ଏକ ବିଡମ୍ବନା ଓ ଲଜ୍ଜାଜନକ ବିଷୟ । ବ୍ରିଟିଶ ଶାସନ ଓ ଗଡ଼ଜାତ ଅମଳରୁ ଅନେକ ସରକାରୀ ଅଫିସର ମାନଙ୍କର ବାସଭବନ ସ୍ଥାପନରେ ଏକ ଏକରରୁ ଅଧିକ ସ୍ଥାନ ବ୍ୟବହୃତ ହୋଇଅଛି । ସର୍କିଟ୍ ହାଉସ୍, ବିଭିନ୍ନ ଡାକବଙ୍ଗଳା, ମହାପୁରୁଷଙ୍କ ପ୍ରତିମୂର୍ତୀ ସ୍ଥାପନ ରେ ଅନେକ ଜାଗା ବ୍ୟବହୃତ ହୋଇଅଛି । କେବଳ ପୋଲିସ୍ ବିଭାଗ ଅଧିନରେ ସହରର ଗୁଡିଆନାଳୀ, ଅମଲାପଡା, ସିଭିଲ କୋର୍ଟ ସାମନା, ଷ୍ଟାଡିୟମ ସାମନା, ଜିଲ୍ଲାପାଳଙ୍କ ଅଫିସ୍ ସାମନା, ରଥଗଡା , ଦକ୍ଷିଣକାଳୀ ଆଦି ସ୍ଥାନରେ ଏକର ଏକର ଜାଗା ରହିଅଛି ।
ଏପରି ଅବସ୍ଥାରେ , ଯେଉଁ ଡ୍ରେନ୍ କଭର୍ ଉପରେ ସଭାସମିତିର ଆୟୋଜନ ହେଉଥିଲା , ତାହା ଉପରେ ଏବେ ଫୁଲକୁଣ୍ଡ ରଖାଯାଇ, ବାଡ଼ ପକାଇ ଦିଆଯାଇଛି । ସାଧାରଣ ଭାବରେ ଏହି ଡ୍ରେନ୍ କଭର୍ ଉପରକୁ ପଥଚାରୀ ମାନଙ୍କର ଫୁଟ୍ ପାଥ୍ ପାଇଁ ବ୍ୟବହାର କରାଯାଉଥିଲା । ଏହା ଉପରେ ଫୁଲ କୁଣ୍ଡ ରଖି, ବାଡ଼ ପକାଇ ଅବରୋଧ କରାଯିବା ଟ୍ରାଫିକ ନିୟମର ଉଲ୍ଲଂଘନ ଓ ଆଇନତଃ ଅପରାଧ ବୋଲି ସଂଗଠନ ତରଫରୁ ଗଣମାଧ୍ୟମକୁ କୁହାଯାଇଛି ।
ଦାବି ପତ୍ରରେ ଲେଖାଯାଇଅଛି ଯେ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ଥିବା ଭାରତରତ୍ନ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତୀକୁ ଲାଗି ୪୫ ହଜାର ବର୍ଗଫୁଟ୍ ର ଜାଗା ଚିହ୍ନଟ କରାଯାଇ ଏକ “ଜନତା ମଇଦାନ’ ପ୍ରତିଷ୍ଠା କରାଯାଉ । ଏଠାରେ ସଭାସମିତି କରିବା ନିମନ୍ତେ ଜନତା ଏକତ୍ରିତ ହେବା ସମୟରେ ଆନୁସଙ୍ଗିକ ବ୍ୟବସ୍ଥା ଯଥା ଶୈଚାଳୟ, ପାନୀୟଜଳ, ଆଲୋକିକରଣ ଆଦିର ବନ୍ଦୋବସ୍ତ କରାଯାଉ ।
ଏହି ଦାବିପତ୍ର ଢେଙ୍କାନାଳ ମାନ୍ୟବର ଲୋକସଭା ସାଂସଦ ମହେଶ ସାହୁ ଏବଂ ସଦର ବିଧାୟକ ସୁଧୀର ସାମଲଙ୍କୁ ସଂଗଠନର ସଦସ୍ୟ ପ୍ରଫେସର ଡାକ୍ତର ତୁଷାର କାନ୍ତି ନାୟକ, ରୁଦ୍ର ପ୍ରକାଶ ଶରଣ, ସରୋଜ ସତପଥି ପ୍ରମୁଖ ସ୍ଥାନୀୟ ସର୍କିଟ ହାଉସ ଠାରେ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଛନ୍ତି । ଏହି ଦାବି ପତ୍ର ଢେଙ୍କାନାଳ ଜିଲ୍ଲାପାଳ, ଢେଙ୍କାନାଳ ପୈାରପରିଷଦ ପୈାରାଧ୍ୟକ୍ଷା, ଢେଙ୍କାନାଳ ପୈାରପରିଷଦ ଉପ ପୈାରାଧ୍ୟକ୍ଷଙ୍କୁ ସଦସ୍ୟମାନେ ପ୍ରଦାନ କରି ଆଲୋଚନା କରିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।