ଢେଙ୍କାନାଳ : ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଆୟୋଜିତ ସଭାରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।
ଡାକ୍ତର ତୁଷାର କାନ୍ତି ନାୟକ, ଗାନ୍ଧୀ ଅଧ୍ୟୟନ ସଭାପତି ଡଃ. ଭବାନୀ ଶଙ୍କର ମିଶ୍ର, ରାଜ୍ୟ ସାହିତ୍ୟ ଏକାଡେମୀ ସଦସ୍ୟ ବାହାଦୁର ପାଟ୍ଟସାହାଣୀ ପ୍ରମୁଖ ମହାତ୍ମା ଗାନ୍ଧୀଙ୍କର ଜୀବନୀ, ଆଦର୍ଶ ଓ ସ୍ୱାଧୀନତା ସଂଗ୍ରାମରେ ନେତୃତ୍ୱ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଗାନ୍ଧୀଜୀଙ୍କ ଜୀବନରେ ରୁଷୀୟ ଲେଖକ କାଉଁଟ ଲିଓ ଟଲଷ୍ଟୟଙ୍କର ପୁସ୍ତକ “କିଙ୍ଗଡମ୍ ଅଫ୍ ଗଡ୍ ଉଇଦିନ୍ ଇୟୋରସେଲ୍ଫ୍ ” ଏବଂ ଟଲଷ୍ଟୟଙ୍କର ଲଣ୍ଡନରେ ରହୁଥିବା ଭାରତୀୟ ତାରକ ନାଥ ଦାସଙ୍କ ନିକଟକୁ ଲିଖିତ ପତ୍ର “ଲେଟର୍ ଟୁ ଏ ହିନ୍ଦୁ” ର ବିଷୟବସ୍ତୁ ଗଭୀର ପ୍ରଭାବ ପକାଇଥିଲା । ଏଥିରୁ ଅଂହିସା ମାର୍ଗରେ ଆନ୍ଦୋଳନ କରିବାର ସୂତ୍ର ଗାନ୍ଧୀଜୀ ଲାଭକରି, ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତର ସ୍ୱାଧୀନତା ସଂଗ୍ରାମ ନିମନ୍ତେ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ ଯାହାକୁ ଗାନ୍ଧୀଜୀ “ସତ୍ୟାଗ୍ରହ’ ନାମ ଦେଇଥିଲେ ।
ଗାନ୍ଧୀଜୀଙ୍କର ବିଭିନ୍ନ ବିଷୟରେ ଉପଦେଶ ଓ ଆଭିମୁଖ୍ୟ ଯଥା ଧର୍ମନିରପେକ୍ଷତା, ଜାତିଗତ ଅସ୍ପୃଶ୍ୟତା, ସାମାଜିକ ଅସମାନତା, ନାରୀ ସ୍ୱାଧୀନତା ଓ ସଶକ୍ତିକରଣ, ଶାରୀରିକ ପରିଶ୍ରମ ଦ୍ୱାରା ଉପାର୍ଜନ କରିବା, କୁଟୀର ଶିଳ୍ପ, କୁଟିଖାଅ ଓ କାଟି ପିନ୍ଧ ନୀତି, ସମାଜରେ ନିଶାନି୍ୱାରଣ ଆବଶ୍ୟକତା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ମିଳିତ ଓଡ଼ିଶା ନିଶାନି୍ୱାରଣ ଅଭିଯାନ (ମୋନା)ର ସଦସ୍ୟା ସ୍ମିତା ରାଣୀ ସାମଲ ସମାଜରେ ମଦ୍ୟପାନର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ ।
ସଦସ୍ୟମାନେ ଓଡିଶା ସରକାରଙ୍କୁ ବିହାର ପ୍ରଦେଶ ପରି ମଦକୁ ଆଇନ ପ୍ରଣୟନ କରି ନିଷିଦ୍ଧ କରିବା ପାଇଁ ଦାବୀ କରିଛନ୍ତି । ଶାସ୍ତ୍ରୀଜୀଙ୍କର ସରଳ ଜୀବନୀ ଓ ଦେଶରେ କୃଷକ ଏବଂ ସୈନିକ ମାନଙ୍କର ଅବଦାନ ପ୍ରତି ଗୁରୁତ୍ୱ ଦେଇ “ଜୟ ଜବାନ, ଜୟ କିଷାନ” ର ସ୍ଲୋଗାନ ଏକ ଅମର ବାଣୀ ହୋଇରହିଛି ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ ।
ଗାନ୍ଧୀପାର୍କ ରେ ପ୍ରତ୍ୟେକ ମାସ ଗୋଟିଏ ଶୁକ୍ରବାର ଗାନ୍ଧିଜୀଙ୍କର ଜୀବନୀ ଓ ଆଦର୍ଶ ବିଷୟରେ ଆଲୋଚନା କରି ନିଜକୁ ଅନୁପ୍ରାଣିତ କରିବା ସହିତ ଅଧୁନା ସମାଜରେ ଏହାର ପ୍ରଚାର ଓ ପ୍ରସାର କରିବାର ପ୍ରଚେଷ୍ଟା କରିବା ନିମନ୍ତେ “ଗାନ୍ଧୀ ଦର୍ଶନ ଆଲୋଚନା ମଞ୍ଚ ” ନାମରେ ଏକ ଅନୁଷ୍ଠାନ ଆଜିର ପବିତ୍ର ଦିବସରେ ଗଠନ କରାଯାଇଛି ।
ସଭାରେ ରୁଦ୍ର ପ୍ରକାଶ ଶରଣ, ଜିଲ୍ଲା କଂଗ୍ରେସ୍ ମହିଳା ସଭାନେତ୍ରୀ ସ୍ମିତାରାଣୀ ସାମଲ, ପୂର୍ବତନ କାଉନ୍ସିଲର ଗୋପାଳ ସାହୁ, ଶିକ୍ଷାବିତ୍ ବିଶ୍ୱନାଥ ମହାପାତ୍ର, ଯୁବନେତା ଶକ୍ତି ପଟ୍ଟନାୟକ, ନେଚରପାଥୀ ପରିଚାଳକ ପିତବାସ ସାହୁ, ଶିଳ୍ପିଶ୍ରୀ ହରିଚନ୍ଦନ, ରୁମିନା ବେଗମ, ମୀରା ମହାରଣା, ଦେବଯାନୀ ଲେଙ୍କା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଗାନ୍ଧୀ ଅଧ୍ୟୟନ କାର୍ଯ୍ୟକାରୀ ସଭାପତି ସରୋଜ ସତପଥି ସଭା ସଞ୍ଚାଳନ କରିବା ସହିତ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।