ଢେଙ୍କାନାଳ : ଭୁବନରେ ଐତିହାସିକ ଓ ପାରମ୍ପରିକ ବଳଦଯାତ୍ରା ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବା ବେଳେ ମା’ ଦୁର୍ଗା ଙ୍କୁ ଅଶ୍ରୁଳ ନୟନରେ ବିଦାୟ ଦେଇ ପୁଣି ଆର ବର୍ଷକୁ ଅପେକ୍ଷା କରିଛନ୍ତି ସମଗ୍ର ଭୁବନବାସୀ ।
ମହାମାରୀ କରୋନା ଯୋଗୁ ଦୀର୍ଘ ଦୁଇ ବର୍ଷ ହେଲା ଯାତ୍ରା ହୋଇନଥିବା ବେଳେ ଚଳିତ ବର୍ଷ ଧୁମଧାମରେ ପାଳନ ହୋଇଥିଲା ଦଶହରା ପର୍ବ । ବିଜୟା ଦଶମୀ ସଂଧ୍ୟାରେ ଜଗନ୍ନାଥ ମନ୍ଦିର ରୁ ଆରମ୍ଭ ହୋଇଥିଲା ଐତିହାସିକ ତଥା ପାରମ୍ପରିକ ବଳଦଯାତ୍ରା । ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଳଦଯାତ୍ରା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ବଳଦଯାତ୍ରାର ଅନ୍ୟତମ ସହଯୋଗୀ କାଚରା ସମାଜ ତରଫରୁ ସାଂସଦ ଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ଶାନ୍ତି କମିଟି ସଦସ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଳଦଯାତ୍ରାର ସ୍ରଷ୍ଟା ଥୋରିଆ ସମାଜ ପ୍ରଥା ,ପରମ୍ପରା ଓ ରୀତି ନୀତି ଅନୁଯାୟୀ ବଳଦଯାତ୍ରା ଅନୁକୂଳ କରିଥିଲା । ବଣିଆ ସଂପ୍ରଦାୟ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସମୁଦାୟ ୩୨ ଟି ସୁସଜ୍ଜିତ ବଳଦ ଗୁଜୁରୀହାଟରୁ ଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ଏକାଦଶୀ ସଂଧ୍ୟାରେ ପାଲାମଣ୍ଡପ ଠାରେ ଆରମ୍ଭ ହୋଇଥିଲା ଚିତାକର୍ଷକ ରାବଣପୋଡି ଓ ଆତସବାଜି ମହୋତ୍ସବ ।
ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିଥିଲେ । ରାତ୍ର ୧୦ ଘଟିକା ସମୟରେ ଆରମ୍ଭ ହୋଇଥିଲା ବଳଦଯାତ୍ରାର ଅନ୍ତିମ ପର୍ବ ତଥା ମା ଦୁର୍ଗା ଙ୍କ ଭସାଣି ଶୋଭାଯାତ୍ରା । ଭସାଣି ଯାତ୍ରାରେ ସମୁଦାୟ ୩୨ ଟି ବଳଦ ଓ ୧୩ ଟି ଦୁର୍ଗା ମେଢ ସାମିଲ ହୋଇଥିଲା । ତୁହାକୁ ତୁହା ବର୍ଷା ସତ୍ୱେ ପାରମ୍ପରିକ ବାଦ୍ୟ , ଲୋକନୃତ୍ୟ ସାଙ୍ଗକୁ ,ମ୍ୟୁଜିକ ଗ୍ରୁପ ଓ ଡିଜେ ସାଉଣ୍ଡର ତାଳେତାଳେ ଯୁବଗୋଷ୍ଠୀ ନୃତ୍ୟ କରି ଏକାଦିନକେ ୨ ବର୍ଷର ମଜା ନେଇଥିଲେ ।
ମଧ୍ୟାହ୍ନ ୧୨ ଘଟିକା ସମୟରେ ସମସ୍ତ ମେଢ ନୂଆବଜାର ( ବସଷ୍ଟାଣ୍ଡ) ଠାରେ ପହଁଚିବା ପରେ ଆରମ୍ଭ ହୋଇଥିଲା ମେଲଣ । ହରିବୋଲ , ହୁଳହୁଳି , ଶଙ୍ଖ ଧ୍ୱନି ସାଙ୍ଗକୁ ଘଣ୍ଟ , ଘଣ୍ଟା ରେ ପ୍ରକମ୍ପିତ ହୋଇପଡିଥିଲା ସମଗ୍ର ପରିବେଶ । ହଜାର ହଜାର ଦର୍ଶକ ଅଶ୍ରୁଳ ନୟନରେ ମା ଦୁର୍ଗା ଙ୍କୁ ବିଦାୟ ଜଣାଇ ପୁଣି ଅପେକ୍ଷା କରିଥିଲେ ଆର ବର୍ଷକୁ । ନଗରପାଳ ଶୁଭେନ୍ଦୁ କୁମାର ସାହୁ , ସହର ସଂଗଠନ ସଭାପତି ବାସୁଦେବ ବେହେରା ,ଶାନ୍ତି କମିଟି ବରିଷ୍ଠ ସଭ୍ୟ ଦିଲ୍ଲୀପ କୁମାର ଦାସ ଙ୍କ ସମେତ ଶାନ୍ତି କମିଟି ସଦସ୍ୟ ମାନେ ବଳଦ ଯାତ୍ରା କୁ ଶୃଙ୍ଖଳିତ କରିଥିବା ବେଳେ ଆଡିସିନାଲ ଏସପି ପୁରୁଷୋତମ ସେଠୀ ଙ୍କ ତତ୍ୱାବଧାନ , ଏସଡିପିଓ ରଞ୍ଜନ କୁମାର ଦେ, ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ୮୦ ରୁ ଉର୍ଦ୍ଧ୍ୱ ପୋଲିସ ଅଫିସର , ୩ ପ୍ଲାଟୁନ ଫୋର୍ସ , ପୋଲିସ କର୍ମଚାରୀ ଗୃହରକ୍ଷୀ ଶାନ୍ତି ଶୃଙ୍ଖଳାରେ ନିୟୋଜିତ ହୋଇଥିଲେ ।