ଢେଙ୍କାନାଳ : ସ୍ୱେଚ୍ଛାକୃତ ରକ୍ତଦାନ ନିମନ୍ତେ ଜନସାଧାରଣ ଙ୍କୁ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଢେଙ୍କାନାଳ ରକ୍ତ ଭଣ୍ଡାର ଠାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଛି ।
ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜିଲ୍ଲା ରକ୍ତଦାତା ଓ ଅନୁପ୍ରେରକ ସଂଘ ଓ ରେଡ୍କ୍ରସ୍ ରାପିଡ୍ ରେସ୍ପନ୍ସ ଗ୍ରୁପ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ସହିତ ନୂତନ ଭାବେ ରକ୍ତଦାନ ପାଇଁ ଆଗେଇ ଆସୁଥିବା ସ୍ୱେଚ୍ଛାକୃତ ଯୁବ ରକ୍ତଦାତାମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
ରକ୍ତ ଭଣ୍ଡାରର କର୍ମଚାରୀ ଓ ଟେକ୍ନିସିଆନ୍ମାନଙ୍କୁ ସେମାନଙ୍କ ନିରବଚ୍ଛିନ୍ନ ସେବା ପ୍ରଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ଜୟନାରାୟଣ ପାଢୀ, ଜିଲ୍ଲା ରକ୍ତଦାତା ଅନୁପ୍ରେରକ ସଂଘ ସଭାପତି ବିରଂଚି ନାରାୟଣ ପାଣି, ଭାରତୀୟ ରେଡ୍କ୍ରସ୍ ଶାଖା ଆଜୀବନ ସଭ୍ୟ ତଥା ପାଟ୍ରନ୍ ରୋଟାରିଆନ୍ ରାଜକିଶୋର ବେହେରା ପ୍ରମୁଖ ରକ୍ତଦାତାଙ୍କୁ ଉତରୀୟ ଦେଇ ଉତ୍ସାହିତ କରିଥିଲେ ।
ରକ୍ତ ସଞ୍ଚାରଣ କ୍ଷେତ୍ରରେ ସ୍ୱେଚ୍ଛାକୃତ ରକ୍ତଦାତାମାନେ ରକ୍ତଦାନ କରି ବହୁମୂଲ୍ୟ ଜୀବନ ରକ୍ଷା କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥାନ୍ତି । ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଓ ରକ୍ତଦାତାମାନଙ୍କୁ ଅଧିକରୁ ଅଧିକ ଅନୁପ୍ରାଣିତ କରିବା ପାଇଁ ଓ ସର୍ବୋପରି ରକ୍ତଦାନ ଶିବିର ଆୟୋଜକମାନଙ୍କୁ ପ୍ରୋତ୍ସାହିତ କରିବାକୁ ଅତିଥିମାନେ ଏହି ଦିବସ ପାଳନର ଯଥାର୍ଥତା ରହିଥିବାର ପ୍ରକାଶ କରିଥିଲେ । ବିଜ୍ଞାନର ଦ୍ରୁତ ଉନ୍ନତି ସତ୍ୱେ ଏଯାବତ୍ ରକ୍ତର କୌଣସି ବିକଳ୍ପ ନାହିଁ । ତେଣୁ ଜରୁରୀ ଚିକିତ୍ସା, ଅସ୍ତ୍ରୋପଚାର ଓ ରାସ୍ତା ଦୁର୍ଘଟଣାରେ ଆହତପ୍ରାପ୍ତ ରୋଗୀଙ୍କ ଆବଶ୍ୟକତା ପୂରଣ ନିମନ୍ତେ, ସ୍ୱେଚ୍ଛାକୃତ ରକ୍ତଦାତାମାନେ ନିୟମିତ ବ୍ୟବଧାନରେ ରକ୍ତଦାନ ପାଇଁ ଆଗେଇ ଆସିବାର ଆବଶ୍ୟକତା ରହିଛି ।
ସ୍ୱେଚ୍ଛାକୃତ ରକ୍ତଦାତା ରୋଟାରିଆନ୍ ରାଜ କିଶୋର ବେହେରା ପ୍ରାରମ୍ଭରେ ରକ୍ତଦାନ କରି ଏହି ଶିବିରର ଶୁଭାରମ୍ଭ କରିଥିଲେ ଓ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ୨୧ ୟୁନିଟି ରକ୍ତ ସଂଗୃହୀତ ହୋଇଥିଲା । ଶିବ ପ୍ରସାଦ ପଣ୍ଡା, ଚିନ୍ମୟ ଜେନା, କାଦମ୍ବରୀ ମହାଖୁଡ, କବିତା ବେହେରା, ରଶ୍ମିତା ରଥ ପ୍ରମୁଖ ସହଯୋଗ କରିଥିଲେ ।