ଢେଙ୍କାନାଳ : ଗୋପବନ୍ଧୁ ଟାଉନ୍ ହଲ୍ଠାରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ପାଳିତ ହୋଇଯାଇଅଛି ।
ଉକ୍ତ ଉତ୍ସବରେ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଡଃ ବିଜୟ କୁମାର ଶତପଥି ଯୋଗଦେଇ ଆଲୋଚ୍ୟ ବିଷୟ ଓଡିଆ ନାଟକର ସାଂପ୍ରତିକ ସ୍ଥିତି ଓ ଗତି ସଂପର୍କରେ ମତବ୍ୟକ୍ତ କରିଥିଲେ ଯେ, ନାଟକ ଦର୍ଶକର ହୃଦୟକୁ ଅନୁରଣିତ କରି ଯେତେ ବାରମ୍ବାର ପ୍ରଶ୍ନ କରେ ସେ ହିଁ ଗତିଶୀଳ ।
ସମ୍ମାନନୀୟ ଅତିଥି ନୂଆପଡା ସାହିତ୍ୟ ଏକାଡେମୀ ସଦସ୍ୟା ଡଃ ସୁରେଶ୍ୱରୀ ବାଘ ଓଡିଆ ନାଟକ ଗତି ଉପରେ ମତ ରଖି କହିଥିଲେ ଯେ ମୂଲ୍ୟବୋଧ ଭିତିକ ନାଟକ କାଳଜୟୀ । ଓଡିଶା ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀ ପୁରଷ୍କାରପ୍ରାପ୍ତ ନାଟ୍ୟକାର ଦିଲ୍ଲୀଶ୍ୱର ମହାରଣା ଓଡିଆ ନାଟକ ରଚନା କ୍ଷେତ୍ରରେ ସାଂପ୍ରତିକ ସ୍ଥିତି ଓ ଗତି ସଂପର୍କରେ ବକ୍ତବ୍ୟ ରଖିଥିଲେ ।
ନାଟ୍ୟକାର ମା’, ମା’ ବିକଳାଙ୍ଗ ହେଲେ ଯେଭଳି ଅସୁସ୍ଥ ସନ୍ତାନ ପରିବାର ସହ ସମଗ୍ର ସମାଜ ପାଇଁ ବୋଝ ହୋଇପଡେ ଠିକ୍ ସେହିପରି ନାଟ୍ୟକାର ସଚେତନ ହୋଇ ନାଟକ ରଚନା କରିବା ଉଚିତ । ଅନ୍ୟତମ ଆଲୋଚକ ନାଟ୍ୟଗ୍ରାମର ସୁବୋଧ ପଟ୍ଟନାୟକ ଜାତୀୟ ଆନ୍ତର୍ଜାତୀୟ ପ୍ରେକ୍ଷାପଟରେ ଓଡିଆ ନାଟକର ସ୍ଥିତି ଓ ଗତି ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।
ନାଟକ ଗୋଟେ ହୃଦୟରୁ ଆଉ ଗୋଟେ ହୃଦୟକୁ ସଞ୍ଚରି ଗଲେ ହିଁ ସଫଳତାର ଶୀର୍ଷରେ ପହଞ୍ଚେ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ନାଟ୍ୟକାର ନିର୍ଦ୍ଦେଶକ ଦିନେଶ ଦାସ ନିର୍ଦ୍ଦେଶନା କ୍ଷେତ୍ରରେ ଓଡିଆ ନାଟକର ସାଂପ୍ରତିକ ସ୍ଥିତି ଓ ଗତି ସଂପର୍କରେ ଆଲୋଚନା କହିଥିଲେ ଯେ, ଯାହାକି ପରସା ଯାଉ, ଯେମିତି ପରସା ଯାଉ ସୁନ୍ଦର ହେବା ଦରକାର, ନାଟକ ରଚନାରେ ନିର୍ଦ୍ଦେଶନାରେ କ୍ଲିଷ୍ଣତାରୁ ବୌଦ୍ଧିକତାରୁ ମୁକ୍ତ ହେବା ଉଚିତ ।
ସାହିତ୍ୟ ଏକାଡେମୀ ସଦସ୍ୟ ବାହାଦୁର ପାଟ୍ଟସାହାଣୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ କବି ବିଭୂତି ଭୂଷଣ ବେହେରା ଧନ୍ୟବାଦ ଦେଇଥିଲେ । ଓଡିଶା ସାହିତ୍ୟ ଏକାଡେମୀର ଢେଙ୍କାନାଳ ଜିଲ୍ଲା ସଭାପତି ଡଃ ପୁଷ୍ପଲତା ରଥ ସଭାପତିତ୍ୱ କରିଥିଲେ । ଉକ୍ତ ଉତ୍ସବରେ ଅଧ୍ୟାପକ ନିର୍ମଳ କୁମାର ମିଶ୍ରଙ୍କ ରଚିତ ଗୀତାଞ୍ଜଳିର ଓଡିଆ ଅନୁବାଦ ପୁସ୍ତକଟି ଲୋକାର୍ପିତ ହୋଇଥିଲା ।
ଦ୍ୱିତୀୟ ଅଧିବେଶନରେ ଶତାଧିକ କବି କବିତା ପାଠ କରିଥିଲେ । ଉକ୍ତ ଅଧିବେଶନକୁ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପଣ୍ଡିତ ମନୋଜ ରଂଜନ ନନ୍ଦ ସଭାପତିତ୍ୱ କରିଥିଲେ । କବି ମନୋଜ ମଞ୍ଜରୀ ନନ୍ଦ ଓ କବି ନିବେଦିତା ତ୍ରିପାଠୀ କବିତା ଗୁଡିକୁ ସଂଯୋଜନା କରିଥିଲେ । ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ସହ କବିତା ପାଠକୁ ସମାପନ କରାଯାଇଥିଲା ।