ଢେଙ୍କାନାଳ : କାମାକ୍ଷାନଗର ଥାନା ଜିରାଳ ଗାଁ ସ୍ଥିତ ଇଣ୍ଡୋ ତିବେତାନ ବୋର୍ଡର ପୋଲିସ ଫୋର୍ସ ଯବାନ କେଶବ ଚନ୍ଦ୍ର ବେହେରାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।
ଗତ ୨୪ ତାରିଖ ଦିନ ଉତ୍ତରପ୍ରଦେଶର ବାରେଇଲି ଠାରେ ହୃଦଘାତରେ କେଶବଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । କେଶବ ଉତ୍ତରାଖଣ୍ଡର ପିଠୋରଗଡ଼ରେ ଇଣ୍ଡୋ ତିବେତାନ ବୋର୍ଡର ପୋଲିସ ଫୋର୍ସରେ କାର୍ଯ୍ୟ କରୁଥିଲେ । ସେ ୧୯୮୩ ମସିହାରେ ପ୍ରଥମେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ୨୦୦୫ ମସିହାରେ ସେନାରୁ ଅବସର ନେବା ପରେ ୨୦୧୨ ମସିହାରେ ଆଇଟିବିପି ରେ ଯୋଗ ଦେଇଥିଲେ ।
ତାଙ୍କ ମୃତ୍ୟୁରେ ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ,ଦୁଇ ପୁଅ ଓ ବୋହୂ ଏବଂ ଝିଅ ଉପସ୍ଥିତ ଥିଲେ । ଜିରାଳ ଗାଁରେ ଶୋକାକୁଳ ପରିସ୍ଥିତିରେ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।