ଶତାୟୁ,ବି.ବି. ହାଇସ୍କୁଲ ଠିରେ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ରୀ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ଅପରାହ୍ଣ ସମୟରେ ବିଦ୍ୟାଳୟର ସଭାଗୃହରେ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରାକ୍ତନ ଛାତ୍ର ଓଡ଼ିଶାର ସ୍ଵନାମଧନ୍ୟ ପ୍ରଶାସକ, ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ସ୍ବର୍ଗତଃ ବିମଳ କିଶୋର ମିଶ୍ରଙ୍କ ସ୍ମୃତିରେ ତାଙ୍କ ପରିବାର ପକ୍ଷରୁ ପ୍ରଦତ୍ତ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର/ଛାତ୍ରୀ ସମ୍ମାନ ପ୍ରାକ୍ତନ ଛାତ୍ରୀ ସୁଶ୍ରୀ ବିଷ୍ଣୁ ପ୍ରିୟା ରଥଙ୍କୁ ପ୍ରଦାନ କରାଯାଇଛି ।

ସୁଶ୍ରୀ ରଥ ବିଗତ ବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୧ ରେ ବିଦ୍ୟାଳୟସ୍ତରରେ ସର୍ବାଧିକ ନମ୍ବର ରଖି ଏ-୧ ଗ୍ରେଡ଼ ହାସଲ କରି ଉକ୍ତ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିଥିଲେ ।

ଏହି ଅବସରରେ ନୂତନ ଭାବରେ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ କୋଭିଡ଼ -୧୯ ନିୟମ ସବୁକୁ ଅନୁପାଳନ କରି ବିଦ୍ୟାଳୟକୁ ଆସି ନିରାଡ଼ମ୍ବର ଭାବରେ ସ୍ବର୍ଗତଃ ମିଶ୍ରଙ୍କର କନିଷ୍ଠ ପୁତ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟଅତିଥି ଭାବରେ ସୁଶ୍ରୀ ବିଷ୍ଣୁ ପ୍ରିୟା ରଥଙ୍କୁ ସ୍ଵୀୟ ପରିବାର ସୌଜନ୍ୟରୁ ଏହି ସମ୍ମାନ ବାବଦରେ ଏକ ଟ୍ରଫି, ପାଞ୍ଚ ହଜାର ଟଙ୍କାର ଚେକ,ଏକ ମେଡାଲ ଏବଂ ସ୍ବର୍ଗତଃ ବିମଳ ମିଶ୍ରଙ୍କ ଜୀବନ ଚରିତ ‘ଅବିଚଳ ବିମଳ’ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ସେ ପୂର୍ବ ବର୍ଷ ପରି ବିଦ୍ୟାଳୟ ପାଠାଗାରକୁ ମଧ୍ୟ ସ୍ୱରଚିତ ଦୁଇଟି ବକ୍ସି ପୁସ୍ତକ ପ୍ରଦାନ କରିଥିଲେ।ସ୍ଵୀୟ ଅଭିଭାଷଣରେ ମୁଖ୍ୟ ଅତିଥି ଜଷ୍ଟିସ ମିଶ୍ର କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ, କର୍ମହିଁ ଉପାସନା ,ଗୁରୁଜନଙ୍କ ଉପଦେଶ ଅନୁପାଳନ ହିଁ ସମସ୍ତ ସଫଳତାର ଚାବିକାଠି ବୋଲି ଦୃଢ଼ ମତପୋଷଣ କରିଥିଲେ ।

ସମସ୍ତେ ଭଲ ମଣିଷ ହେବାକୁ ସଦା ଚେଷ୍ଟିତ ହେବାକୁ ସେ ଦୃଢ଼ ଆହ୍ୱାନ ଜଣାଇଥିଲେ।ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ନିଆଯାଇଥିବ ପଦକ୍ଷେପ ସବୁକୁ ଦେଖି ସେ ଆତ୍ମହରା ହୋଇଯାଇ ଏହା ତାଙ୍କର ହୃଦୟକୁ ଛୁଇଁ ପାରିଛି ବୋଲି ମତବ୍ୟକ୍ତ କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ) କାର୍ଯ୍ୟକ୍ରମରେ ଅଧକ୍ଷତା କରି ମୁଖ୍ୟଅତିଥି ଜଷ୍ଟିସ ମିଶ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ଛାତ୍ରୀ ଛାତ୍ର ମାନଙ୍କୁ ପାଠ ପଢ଼ା ସହିତ ବୌଦ୍ଧିକ, ଆତ୍ମିକ ଓ ଚାରିତ୍ରିକ ବିକାଶ ପାଇଁ ଶିକ୍ଷୟିତ୍ରୀ, ଶିକ୍ଷକ ତଥା ଅଭିଭାବିକା, ଅଭିଭାବିକ ମାନେ ଚେଷ୍ଟିତ ହେଲେ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତ ପୋଷଣ କରିଥିଲେ।

ପ୍ରାକ୍ତନ ସମ୍ବର୍ଦ୍ଧିତ ଛାତ୍ରୀ ପ୍ରତିଭା ବିଷ୍ଣୁପ୍ରିୟା ରଥ,ଦଶମ ଶ୍ରେଣୀ ଛାତ୍ର ରାଜେନ୍ଦ୍ର ପ୍ରସାଦ ସାହୁ ଓ ନବମ ଶ୍ରେଣୀର ଛାତ୍ରୀ ଶୁଭସ୍ମିତା ସାହୁ ପ୍ରମୁଖ ବିଦ୍ୟାଳୟର ଉନ୍ନତ ମାନର ଶିକ୍ଷାବ୍ୟବସ୍ଥା, ନିଜ ଜୀବନର ଲକ୍ଷ ଓ ଆଦର୍ଶ,ଏହାକୁ ସାକାର କରି ଜୀବନରେ ସଫଳତା ହାସଲର ମାର୍ଗ ଓ ଭବିଷ୍ୟତରେ ଜଣେ ଆଲୁମିନି ଭାବରେ ବିଦ୍ୟାଳୟ ପ୍ରତି ନିଜର ଦାୟିତ୍ୱ ତଥା କର୍ତ୍ତବ୍ୟ ସମ୍ପର୍କରେ ସ୍ଵୀୟ ବକ୍ତବ୍ୟମଧ୍ୟମରେ ନିଜର ମନୋଭାବ ପ୍ରକାଶ କରିଥିଲେ।

ସଭା ପ୍ରାରମ୍ଭରେ ପଞ୍ଚସଖା, ବ୍ରଜନାଥ, ନୃସିଂହ କାନୁନଗୋ, ନେତାଜୀ,ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଓ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରିଥିଲେ।ବିଦ୍ୟାଳୟର ‘ମୋ ସ୍କୁଲ ଅଭିଯାନ’ ଦାୟିତ୍ୱରେ ଥିବା ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ, କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ, ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକ୍ରମ ସଂଯୋଜନା ଓ ପ୍ରାକ୍ତନ ଛାତ୍ର,ଆଲୁମିନି ଆସୋସିଏସନର ଅନ୍ୟତମ ସ୍ବେଚ୍ଛାସେବୀ ତଥା ଓଡ଼ିଶା ରାଜ୍ୟ କଳା ଓ ସଂସ୍କୃତି ସଂଘର ଉପସଭାପତି କବି ଅବନୀ ମିଶ୍ର ବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ ସମ୍ୟକ ସୂଚନା ଦେବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଳୟର ସମସ୍ତ ଛାତ୍ରୀ, ଛାତ୍ର,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ଛୋଟରାୟ,ସଭ୍ୟା, ସଭ୍ୟ,ଅଭିଭାବକ,ଅଭିଭାବିକା,ଶ୍ରୀକାନ୍ତ କୁମାର ରଥ,ମିନାକ୍ଷୀ ରଥ,ଆଲୁମିନି ଆସୋସିଏସନର ଅନ୍ୟତମ ସ୍ବେଚ୍ଛାସେବୀ ଶିବସାଇ ମହାପାତ୍ର,ସରକାରୀ ଆଡଭୋକେଟ ପ୍ରଦ୍ୟୁମ୍ନ ଦାଶ,ବିଶେଶ୍ୱର ମିଶ୍ର,ଟଙ୍କଧର ବେହେରା,ଶ୍ରୀଦୀପ ପାଣି, ସମସ୍ତ ଶିକ୍ଷକ ,ଶିକ୍ଷିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.

twelve − twelve =