ଅଲଟରନେଟିଭ ରିଦିମ ଥିଏଟର ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ : ସାମିଲ ହେଲେ ବିଭିନ୍ନ ଅନୁଷ୍ଠାନର କଳାକାର ଜନସାଧାରଣ ନାଟ୍ୟ ପଦଯାତ୍ରାରେ ସଚେତନତା ବାର୍ତ୍ତା !

ଢେଙ୍କାନାଳ : ଅଗ୍ରଣୀ ତଥା ଜାତୀୟ ସ୍ତରରେ ଜିଲ୍ଲା ଓ ରାଜ୍ୟ ପାଇଁ ବହୁବାର ସୁନାମ ଆଣିଥିବା ନାଟ୍ୟାନୁଷ୍ଠାନ ଅଲ୍‌ଟର୍‌ ନେଟିଭ୍ ରିଦମ୍ ଥିଏଟର୍ ପକ୍ଷରୁ ରବିବାର ବିଶ୍ୱ ନାଟ୍ୟଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ସକାଳ ସମୟରେ ସହରସ୍ଥିତ ବାଜିଚୌକ ଠାରେ ଆର୍ଟର ଆହ୍ୱାନ କ୍ରମେ ବିଭିନ୍ନ ଅନୁଷ୍ଠାନର କଳାକାର, ଶିକ୍ଷାର୍ଥୀ, ସମାଜସେବୀ, ବୁଦ୍ଧିଯିବୀ ଓ ଜନସାଧାରଣ ଏକତ୍ରିତ ହୋଇଥିଲେ । ମା ବ୍ରାହ୍ମଣୀଦେବୀଙ୍କ ମନ୍ଦିରରେ ଯଥାବିଧି ପୂଜା ଅନୁଷ୍ଠିତ ହେବା ପରେ ଏକ ପଥପ୍ରାନ୍ତ ସଭା ଅଲଟରନେଟିଭ ରିଦମ ଥିଏଟରର ଅଧ୍ୟକ୍ଷା ଡକ୍ଟର ପୁଷ୍ପଲତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏବର୍ଷ ପାଇଁ ବିଶ୍ୱ ନାଟ୍ୟବାର୍ତ୍ତା ପ୍ରଦାନ କରିଥିବା ଆମେରିକୀୟ ନାଟ୍ୟବିତ୍ ପିଟର ସେଲାର୍ସଙ୍କ ମୂଳ ଇଂରାଜୀ ବାର୍ତ୍ତାକୁୁ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଓଡିଆ ଭାବାନୁବାଦ କରିଥିବାବେଳେ ତାହାକୁ ନାଟ୍ୟକାର ତଥା ନିର୍ଦ୍ଦେଶକ ଦିନେଶ ଦାସ ପାଠ କରିଥିଲେ । ଏହା ପରେ ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ଦିଲ୍ଲୀଶ୍ୱର ମହାରଣା ସବୁଜ ପତାକା ଦେଖାଇ ନାଟ୍ୟ ପଦଯାତ୍ରାର ଶୁଭାରମ୍ଭ କରିଥିଲେ ।

ଏହି ପଦଯାତ୍ରାରେ କଳାପରିଷଦ, ଭାରତୀୟ ସଙ୍ଗୀତ ନିଳୟ, ଶିଳ୍ପୀ, ମାଇକ୍ରୋମିଡିଆ, ନବଦୂର୍ଗାପୂଜା ସାଂସ୍କୃତିକ ଅନୁଷ୍ଠାନ, ମୟୁର, ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଓ ଅଲଟର ନେଟିଭ ରିଦମ ଥିଏଟର ଆଦି ଅନୁଷ୍ଠାନର କଳାକାର ଏବଂ କର୍ମକର୍ତ୍ତାଙ୍କ ସମେତ, ଭାରତୀୟ ଜନସଞ୍ଚାର ସଂସ୍ଥାନର ଶିକ୍ଷାର୍ଥୀ, ସମାଜସେବୀ, ବୁଦ୍ଧିଜିବୀ ଓ ଜନସାଧାରଣ ସାମିଲ ହୋଇଥିଲେ ।

ପଦଯାତ୍ରାରେ ସାମିଲ କଳାକାର ମାନେ ବିଭିନ୍ନ ଚରିତ୍ରର ପୋଷାକରେ ରହି ପଥପ୍ରାନ୍ତରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମସ୍ତଙ୍କ ହାତରେ ରହିଥିବା ପ୍ଲାକାର୍ଡ ନାଟକର କଥା, ବିଶ୍ୱ ଶାନ୍ତିର କଥା, ବ୍ୟକ୍ତିତ୍ୱ ବିକାଶ ଓ ସୁସ୍ଥ ସମାଜର କଥା ଆଦି ବଖାଣୁଥିଲା । ନାଟକ କେବଳ ମନୋରଞ୍ଜନ ପାଇଁ ନୁହେଁ ଅଧିକନ୍ତୁ ବ୍ୟକ୍ତିତ୍ୱ ବିକାଶ ପାଇଁ ଏକ ସଫଳ ଚିକିତ୍ସା ପଦ୍ଧତ୍ତି ବୋଲି ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ଏହି ଅବସରରେ ମତବ୍ୟକ୍ତ କରିଥିଲେ ।

ଏହି ପଦଯାତ୍ରା ସହର ପରିକ୍ରମା କରି ଶେଷରେ ମିନିଷ୍ଟାଡିୟମ ଠାରେ ପହଞ୍ଚିଥିଲା । ସେଠାରେ ପାଥପ୍ରାନ୍ତ ନାଟ୍ୟ ଆଲୋଚନା କରାଯିବା ସହିତ କଳାକାର ମାନେ ନିଜ ନିଜର କଳା ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଲ୍‌ଟର୍‌ ନେଟିଭ୍ ରିଦମ୍ ଥିଏଟର୍ ର ସଦସ୍ୟ ଏବଂ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.

eleven + 1 =