ଆମ ଗାଁ ଆମ ସାହିତ୍ୟ, ବହ୍ନି କନ୍ୟା ନନ୍ଦିନୀ !

ଢେଙ୍କାନାଳ : ଅଦ୍ୟ ପର୍ଜଙ୍ଗ ମହାବିଦ୍ୟାଳୟ ପରିସରରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ “ଆମ ଗାଁ ଆମ ସାହିତ୍ୟ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଅଗ୍ନୀ କନ୍ୟା ନନ୍ଦିନୀ ଶୀର୍ଷକ ଆଲୋଚନା ଚକ୍ର ହୋଇଯାଇଅଛି । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅଧ୍ୟକ୍ଷ, ପର୍ଜଙ୍ଗ ମହାବିଦ୍ୟାଳୟର ନିହାର ରଞ୍ଜନ ସାହୁ ନନ୍ଦିନୀଙ୍କ ସାହିତ୍ୟ ରାଜନୀତିର ସମନ୍ୱୟାତ୍ମକ ବ୍ୟକ୍ତିତ୍ୱ ପ୍ରତି ଦୃଷ୍ଟିପାତ କରିଥିଲେ । ମୁଖ୍ୟ ଅତିଥି ସାହିତ୍ୟ ଏକାଡେମୀ ସଦସ୍ୟ ବାହାଦୂର ପାଟ୍ଟସାହାଣୀ ନନ୍ଦିନୀଙ୍କ ବହୁମୁଖୀ ପ୍ରତିଭା ପ୍ରତି ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଡ. ସୁନିଲ୍ କୁମାର ରଥ ଅବସରପ୍ରାପ୍ତ ପ୍ରାଧ୍ୟାପକ ଓଡିଆ ବିଭାଗ ନନ୍ଦିନୀଙ୍କୁ ଓଡିଆ ନାରୀ ସମାଜ ରୂପକ କମଳର କେଶର ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ବକ୍ତା ପ୍ରଫେସର ସନାତନ ସାମଲ ନନ୍ଦିନୀଙ୍କ ଜୀବନୀ ଆଲୋଚନା ସହ ତାଙ୍କୁ ସମ୍ମାନ ଦେଇ ନାରୀମାନଙ୍କୁ ନିର୍ଯ୍ୟାତନା ନୁହେଁ ସମ୍ମାନ ଦେବାର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ବକ୍ତା ଇଂରାଜୀ ଅଧ୍ୟାପକ ପ୍ରବୋଧ କୁମାର ରଥ ନନ୍ଦିନୀ ଯେ, ବାସ୍ତବ ଜୀବନରେ ଅଗ୍ନୀ ସଦୃଶା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସଭାକୁ ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟା ଡ. ପୁଷ୍ପଲତା ରଥ ନାରୀର ଦାହିକା ଶକ୍ତି କିଭଳି ସମାଜରୁ ଅସତ୍ୟ, ଅନ୍ୟାୟ, ଅଧର୍ମ ବିରୋଧରେ ସ୍ୱର ଉତୋଳନ କରେ ତାହା ନନ୍ଦିନୀଙ୍କ ଜୀବନୀ ଓ ସାହିତ୍ୟ ମାଧ୍ୟମରେ ଆଲୋଚନା କରିଥିଲେ । ପ୍ରଥମ ଅଧିବେଶନକୁ ପର୍ଜଙ୍ଗ ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ପ୍ରସନ୍ନ ସାହୁ ପରିଚାଳନା କରିଥିଲାବେଳେ ଅଧ୍ୟାପକ ଅଞ୍ଜନ କୁମାର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ ।

ଦ୍ୱିତୀୟ ଅଧିବେଶନରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଈଶ୍ୱର ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଶତାଧିକ କବିତା ପାଠ କରାଯାଇଥିଲା । ଉକ୍ତ ଅଧିବେଶନରେ ବାଙ୍କବିହାରୀ ମଠର ବଡବାବା ସମ୍ମାନିତ ଅତିଥି ଥିବାବେଳେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଯୁଗଳ କିଶୋର ନାୟକ ସଂଯୋଜନା ଓ ସମୀକ୍ଷା କରିଥିଲେ । ଅଞ୍ଜନ କୁମାର ମହାରଣା ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.

four × four =