ଢେଙ୍କାନାଳ : ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିବିନ୍ନ ବ୍ଳକରୁ ୨୧ ଜଣ ଜଟିଳ ହୃଦରୋଗ ପିଡିତ ଶିଶୁ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଜଟିଳ ହୃଦ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି ।
ଏମାନଙ୍କ ମଧ୍ୟରୁ ୬ ଜଣ ଶିଶୁଙ୍କୁ ସତ୍ୟସାଇ ହୃଦୟ ଚିକିତ୍ସାଳୟ, ଅହମ୍ମଦାବାଦ, ୧୫ ଜଣ ଶିଶୁଙ୍କୁ ନାରାୟଣ ସୁପର ସ୍ପେଶାଲିଟି ହସ୍ପିଚାଲ, କଲିକତା ଠାରେ ସଫଳ ଅସ୍ତ୍ରୋପଚାର କରାଯାଇଅଛି । ଏମାନଙ୍କ ମଧ୍ୟରୁ ପରଜଙ୍ଗରୁ ୪ ଜଣ, କଙ୍କଡାହାଡରୁ ୭ ଜଣ, ସଦର ବ୍ଲକରୁ ୨ ଜଣ, ହିନ୍ଦୋଳ ବ୍ଳକରୁପ ୫ ଜଣ, ଓଡାପଡା ବ୍ଲକରୁ ୨ ଜଣ ଏବଂ ଗଁଦିଆ ବ୍ଳକରୁ ଜଣେ ଗତ ୩ ମାସ ମଧ୍ୟରେ ସଫଳତାର ସହିତ ଅପରେସନ ହୋଇଛନ୍ତି ।
ଏହି ଶିଶୁମାନଙ୍କୁ ବିଭିନ୍ନ ବ୍ଳକର ମୋବାଇଲ ହେଲ୍ଥ ଟିମ ଚିହ୍ନଟ କରି ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏହାପରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା.ଜ୍ୟୋତିଷ ଚନ୍ଦ୍ର ମହାପାତ୍ରଙ୍କ ପରାମର୍ଶ କ୍ରମେ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅଶୋକ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉପରୋକ୍ତ ଶିଶୁମାନଙ୍କୁ ଯଥାକ୍ରମେ ଅହମ୍ମଦାବାଦ ଏବଂ କଲିକତାକୁ ପଠା ଯାଇଥିଲା ।
ସମସ୍ତ ଶିଶୁମାନେ ସଫଳତାର ସହିତ ଅସ୍ତ୍ରୋପଚାର କରି ଘରକୁ ଫେରିଛନ୍ତି । ଏହି ଶିଶୁମାନଙ୍କ ସହ ଡ.ପ୍ରଶାନ୍ତ କର, ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଡା.ଦୀପକ କୁମାର ନାୟକ, ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସାଥିରେ ଯାଇଥିଲେ । ସମସ୍ତଙ୍କର ଯିବା ଆସିବା,ରହିବା ଏବଂ ସମସ୍ତ ଚିକିତ୍ସା ଅର୍ଥ ସରକାରଙ୍କ କରଫରୁ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଇଥିଲା ।
ସମସ୍ତ ଅଭିଭାବକ ଉତମ ସେବା ନିମନ୍ତେ ଜିଲ୍ଲା ପ୍ରଶାସନ ଢେଙ୍କାନାଳକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ସଫଳତା ପଛରେ ଜିଲ୍ଲା ଚିକିତ୍ସାଧିକାରୀ , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକ୍ରମ ପରିଚାଳନା ସୋନାଲୀ ପ୍ରିୟଦର୍ଶିନୀଙ୍କର ଭୂମିକା ଉଲ୍ଲେଖନୀୟ ଯୋଗ୍ୟ ।