ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା : ମଙ୍କିପକ୍ସ ପାଇଁ ବିଦେଶ ଫେରନ୍ତାଙ୍କ ଉପରେ ମଧ୍ୟ ନଜର ରଖିବାକୁ ପରାମର୍ଶ !
ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟ ଓସୱାନ ଭିଡିଓ କନଫରେନ୍ସିଂ ହଲ ଠାରେ ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟରେ କୋଭିଡ ସଂକ୍ରମଣ ଓ ଡାଇରିଆର ଆଶଙ୍କା ବୃଦ୍ଧି ପାଉଥିବାରୁ ସେଥିପ୍ରତି ବିଶେଷ ନଜର ରଖିବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ସିଡିଏମଓଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଦେଶରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲାକୁ ବିଦେଶ ଫେରନ୍ତାଙ୍କ ଉପରେ ମଧ୍ୟ ନଜର ରଖିବାକୁ କହିଛନ୍ତି । ଡାଇରିଆ ପ୍ରବଣ ଅଞ୍ଚଳରେ ଆଶା, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀମାନଙ୍କ ପାଖରେ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ଏବଂ ପାନୀୟ ଜଳ ଉତ୍ସ ଗୁଡିକୁ ବିଶୋଧନ କରିବାକୁ କହିଛନ୍ତି ।
କଙ୍କଡାହାଡ,ପରଜଙ୍ଗ ଅଞ୍ଚଳରେ ସାପ କାମୁଡାରେ ଅଧିକ ଆକ୍ରାନ୍ତ ହେଉଥିବାରୁ ସେମାନଙ୍କୁ ସଚେତନ କରାଇ ବିହିତ ଚିକିତ୍ସାର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ସ୍କୁଲ, କଲେଜ ପିଲାମାନେ ମାସ୍କ ପରିଧାନକରି ଆସିବାକୁ ଓ ସେମାନଙ୍କର ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଟେଷ୍ଟିଙ୍ଗ କରିବା ସହିତ ଟୀକାକରଣ ବୃଦ୍ଧି ଓ ବିିହିତ ଚିକିତ୍ସା କରିବାକୁ ସେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ମଧ୍ୟ କହିଛନ୍ତି । ଜୀବନ ନିର୍ବାହ ପାଇଁ ବିଧବା, ବିକଳାଙ୍ଗ ଓ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଅଗ୍ରାଧିକାର ଭିତିରେ ଭତା ପ୍ରଦାନର ବ୍ୟବସ୍ଥା କରିବାକୁ ସେ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିର ପରିବାରକୁ ଆବଶ୍ୟକ ଆର୍ଥିକ ସହାୟତା ଯଥାଶୀଘ୍ର ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଯେଉଁ ଦୁର୍ଗମ ଅଞ୍ଚଳରେ ୩ରୁ ୬ ବର୍ଷର ଅଧିକ ପିଲା ଅଛନ୍ତି ସେହି ଅଞ୍ଚଳରେ ନୂତନ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ନିମନ୍ତେ ପ୍ରସ୍ତାବ ଦେବାକୁ କହିଛନ୍ତି । ବେଆଇନ ଖଣି ଖାଦାନ ଖନନ, ଚୋରା ଚାଲାଣ ରୋକିବାକୁ ନିୟମିତ ଯାଞ୍ଚ କରି ରାଜସ୍ୱ ହାନୀ ରୋକିବାକୁ ନିର୍ଦ୍ଦେଶ ଦେଇଛ୍ତି । ଜମିଜମା କେସର ସମାଧାନ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ସେ ତହସିଲଦାରମାନଙ୍କୁ ପରାମର୍ଶ ଦେବା ସହିତ ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟା ବୁଝି ପ୍ରତିକାର ବ୍ୟବସ୍ଥା କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନର ସୁପରିଚାଳନା ଓ ସମସ୍ତ ଡ୍ରପଆଉଟ ପିଲାମାନେ ଯେପରି ନିୟମିତ ସ୍କୁଲକୁ ଆସିବେ ସେଥିପ୍ରତି ଅଭିଭାବକ ମାନଙ୍କୁ ପ୍ରବର୍ତାଇବାକୁ ଜିଲ୍ଲାପାଳ ସମସ୍ତ ବିଇଓ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସ୍କୁଲ ଗୁଡିକର ଭିତିଭୂମି ଓ ଶ୍ରେଣୀ ଗୃହ ଗୁଡିକର ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ସେ କହିଛନ୍ତି । କୋଭିଡ ସଂକ୍ରମଣକୁ ଯୋଗୁ ସ୍କୁଲ, କଲେଜର ପିଲାଙ୍କୁ ଅଗ୍ରାଧିକାର ଭିତିରେ ଟୀକାକରଣ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ଡା.ଅଶୋକକୁମାର ଦାଶ ପ୍ରକାଶ କରିଛନ୍ତି ।
ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ହେଲେ ଚିକିତ୍ସା ନିମନ୍ତେ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରହିଛି ଏବଂ ରାପିଡ ରେସ୍ପନ୍ସ ଟୀମ ପ୍ରସ୍ତୁତ ରଖାଯିବ ବୋଲି ସେ ପ୍ରକାଶ କରିଛନ୍ତି । କୋଭିଡ ନିୟମ ଅନୁପାଳନ ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦେବା ସହିତ ସମସ୍ତେ ଥଣ୍ଡା, ଜ୍ୱର, ଡାଇରିଆ ଠାରୁ ଦୂରେଇ ରହିବା ପାଇଁ ବାସୀ ଖାଦ୍ୟ, ଦୂଷିତ ପାନୀୟ ଜଳ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର(ରାଜସ୍ୱ) ଏବଂ ରମେଶ ଚନ୍ଦ୍ର ସେଠୀ (ସାଧାରଣ) ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ଜ୍ୟୋତିଷ ଚନ୍ଦ୍ର ମହାପାତ୍ର,ଡିପିଏମ ଏନଏଚଏମ ସୋନାଲୀ ପ୍ରିୟଦର୍ଶିନୀ, ଆପାତକାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାଛାୟା ମହାପାତ୍ର , ଓସଡମାର ଡିଆରଆର କନସଲଟାଣ୍ଟ ସଙ୍ଗୀତା ଦାଶ ପ୍ରମୁଖ ଯୋଗ ଦେଇଥିଲେ ।