ଢେଙ୍କାନାଳ : କାମାକ୍ଷାନଗରରେ କାର୍ଯ୍ୟରତ ପ୍ରତିଭାବାନ ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କର ଏକ ସଡକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି ।
ସେ ଭୁବନ ଅଞ୍ଚଳକୁ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ହଠାତ୍ ଦୁଷ୍ମନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ଖବର ଶୁଣି ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକପ୍ରକଟ କରିଛନ୍ତି । ପାର୍ଲାମେଂଟ୍ ଅଧିବେଶନରେ ଯୋଗଦେବାକୁ ଯାଇଥିବା ସାଂସଦ ଶ୍ରୀ ସାହୁ ଏହି ଦୁଃଖଦ ଖବର ଶୁଣି ହତବାକ୍ ହୋଇଯାଇଥିଲେ ।
ଯୁବ ପ୍ରତିଭା ଥିବା ଦୁଷ୍ମନ୍ତ କଳିଙ୍ଗ ଟିଭିରେ କାର୍ଯ୍ୟରତ ଥାଇ ସ୍ଥାନୀୟ ଅଂଚଳର ବିଭିନ୍ନ ସମାସ୍ୟାକୁ ଲୋକଲୋଚନକୁ ଆଣିବା ସହିତ ପ୍ରଶାସନର ଦୃଷ୍ଟିକୁ ଆଣିପାରିଥିଲେ । ସେ ଜଣେ ବିଚକ୍ଷଣବାନ୍, ପରୋପକାରୀ, ସ୍ନେହି, ବନ୍ଧୁବତ୍ସଳ ଏବଂ ସମସ୍ତଙ୍କୁ ଆପଣେଇ ନେବାର ପ୍ରତିଭା ତାଙ୍କ ପାଖରେ ଥିଲା । ସାମ୍ବାଦିକ ଦୁଷ୍ମନ୍ତଙ୍କ ହଠାତ୍ ମୃତ୍ୟୁ ଖବର ସମସ୍ତ ସାମ୍ବାଦିକ ଜଗତକୁ ସ୍ତବ୍ଧ ଓ ମର୍ମାହତ କରିଦେଇଛି ।
ତାଙ୍କ କର୍ତବ୍ୟ ପରାୟଣତା ପାଇଁ ସେ ସବୁଠାରେ ପରିଚିତ ଥିଲେ । ତାଙ୍କ ଶୂନ୍ୟସ୍ଥାନ ଆଉ କେହି ପୂରଣ କରିପାରିବେ ନାହିଁ ବୋଲି ସାଂସଦ ଶ୍ରୀ ସାହୁ ତାଙ୍କ ଶୋକବାର୍ତାରେ ପ୍ରକାଶ କରିଛନ୍ତି । ଏପରି ଦୁଃଖଦ ପରିସ୍ଥିତିରେ ପ୍ରଭୁ ଜଗନ୍ନାଥ ସ୍ୱର୍ଗତ ଦୁଷ୍ମନ୍ତଙ୍କ ପରିବାରକୁ ଧର୍ଯ୍ୟ ଓ ସାହସ ଯୋଗାଇ ଦିଅନ୍ତୁ ଏହାହିଁ କାମନା ।ସେହିପରି ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଗଠବନ୍ଧିତ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦୁଷ୍ମ୍ନ୍ତଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକଟ କରାଯାଇଛି । ସଂଘ ପକ୍ଷରୁ ସଭାପତି କୃଷ୍ଣକୁମାର ମିଶ୍ର, ସମ୍ପାଦକ ପ୍ରତାପ ବରାଳ, ସହସମ୍ପାଦକ ଜିତେନ୍ଦ୍ର ପଟ୍ଟନାୟକ ,ବରିଷ୍ଠ ସାମ୍ବାଦିକ ସଦାଶିବ ମହାପାତ୍ର,ମନମୋହନ ସାହୁ, ସରୋଜ କର,ଆଭାସ ବରାଳ, ରଞ୍ଜନ କୁମାର ସାହୁ,ଶକ୍ତିପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଶୋକବାର୍ତାରେ ଯୁବ ସାମ୍ବାଦିକ ସ୍ୱର୍ଗତ ମହାନ୍ତି ଜଣେ ସମାଜସେବୀ, ପରୋପକାରୀ ବ୍ୟକ୍ତି ଥିଲେ ବୋଲି କହିଥିବା ସହିତ ଅମର ଆତ୍ମାର ସଦଗତି ହେବା ସହିତ ପ୍ରଭୂ ଜଗନ୍ନାଥ ତାଙ୍କର ପରିବାରକୁ ଧୈର୍ଯ୍ୟ ଆଶିର୍ବାଦ ଦିଅନ୍ତୁ ବୋଲି କହିବା ସହିତ ତାଙ୍କର ଅକାଳ ବିୟୋଗ ସାମ୍ବାଦିକ ଜଗତ ତଥା ସମସ୍ତେ ମର୍ମାହତ ବୋଲି କହିଥିଲେ ।