ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ଠାରେ ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l
ଆସନ୍ତା ମାସରେ ସିଙ୍ଗାପୁର ଠାରେ ଶତାଧିକ ଦେଶର ନେତା ମାନଙ୍କର ହେବାକୁ ଥିବା କନଭେନ୍ସନରେ ଦିଲ୍ଲୀର ଶିକ୍ଷା ଓ ସ୍ୱାସ୍ଥ୍ୟ ମଡେଲକୁ ଉପସ୍ଥାପନା କରିବାପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କେନ୍ଦ୍ର ବିଜେପି ସରକାରଙ୍କ ବାରଣ କରିବା ବିରୁଦ୍ଧରେ ଏକ ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ l ସଦସ୍ୟ ବିଷ୍ଣୁପ୍ରସାଦ ପଣ୍ଡା ଦିଲ୍ଲୀର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ସମ୍ପର୍କରେ ସୂଚନା ଦେଇଥିଲେ l ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ପ୍ରଶାନ୍ତ ଜେନା କେନ୍ଦ୍ର ବିଜେପି ସରକାର ଦ୍ୱାରା ଅଳ୍ପ କେତୋଟି ଲୋକଙ୍କର ଏଗାର ଲକ୍ଷ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟାଙ୍କ ଋଣ ଛାଡ଼ କରି ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ଶୋଷଣ କରିବା ସମ୍ପର୍କରେ ସୂଚନା ଦେଇଥିଲେ l
ଜିଲ୍ଲା ଆବାହକ ଶ୍ରୀ ନାୟକ ଜିଲ୍ଲାରେ ସଂଗଠନକୁ ଆହୁରି ମଜବୁତ କରିବାପାଇଁ ଜୋନ୍ ଇନଚାର୍ଜ ଓ ପଞ୍ଚାୟତ ଇନଚାର୍ଜ ଚୟନ ଏବଂ ଦେୟ ମୁକ୍ତ ବିଜୁଳି ଆନ୍ଦୋଳନ ଫର୍ମ ଦସ୍ତଖତ ଅଭିଯାନକୁ ତ୍ୱରାନ୍ୱିତ କରିବାପାଇଁ ଆହ୍ୱାନ ଦେଇଥିଲେ l ସଂଗଠନକୁ ମଜବୁତ କରିବାପାଇଁ ବିଷ୍ଣୁପ୍ରସାଦ ପଣ୍ଡାଙ୍କୁ ଜିଲ୍ଲା ସମ୍ପାଦକ, ଶ୍ରୀମତୀ ସ୍ନେହଲତା ମହାନ୍ତିଙ୍କୁ ଜିଲ୍ଲା ମହିଳା ସଭାପତି, ରମେଶ ଚନ୍ଦ୍ର ପଣ୍ଡା ଓ ପର୍ଶୁରାମ ମହାଭୋଇଙ୍କୁ ଉପସଭାପତି, ଜିତେନ୍ଦ୍ର ବେହେରାଙ୍କୁ ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ, ବିଭୁତି ପ୍ରଧାନ ଓ ଅଜୟ ନାଏକଙ୍କୁ ଯୁବ ସଂଗଠନର ଉପସଭାପତି ଭାବେ ସର୍ବ ସମ୍ମତିକ୍ରମେ ଅସ୍ଥାୟୀ ଚୟନ କରାଗଲା l ପ୍ରତି ମାସରେ ଜିଲ୍ଲା ଏବଂ ବ୍ଲକ ସଭା କରାଯିବାପାଇଁ ନିଷ୍ପତ୍ତି ନିଆଗଲା l
ଉକ୍ତ ବୈଠକରେ ସଦସ୍ୟ ସୁଶାନ୍ତ କୁମାର ପାଣି, ବିଭୁରଞ୍ଜନ ସାହୁ, ଗଗନ ବିହାରୀ ପରିଡା, ପ୍ରଦୀପ ବେହେରା, ଗୋବିନ୍ଦ ନାଏକ, ଜନରଞ୍ଜନ ରାଉତ, ଦେବିଲାଲ ମହାଳିକ, ବିଶ୍ୱନାଥ ରାଉତ, ଅବନୀ ସାହୁ ପ୍ରମୁଖଙ୍କ ସହିତ ସମସ୍ତ ବ୍ଲକର ସଭାପତି ମାନେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ପରଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।