୧୨ ଘଣ୍ଟିଆ ଢେଙ୍କାନାଳ ଶାନ୍ତି ପୂର୍ଣ୍ଣ ବନ୍ଦ : ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟାଳୟରେ ପଡିଲା ତାଲା !

ଢେଙ୍କାନାଳ : ୫୫ନଂ.ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଏନଏଚଆଇର ମନମାନି ନେଇ ରାଜପଥ ମରଣ ଯନ୍ତା ପାଲଟି ଯାଇଛି । ଏହାର ପ୍ରତିବାଦରେ ଢେଙ୍କାନାଳ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ଢେଙ୍କାନାଳବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଯୋଗୁ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି ।

ଏପରିକି ଆଇନଜୀବିମାନଙ୍କ ଅନୁରୋଧ କ୍ରମେ ସମସ୍ତ ଜଜ୍ କୋର୍ଟ ସମ୍ମୁଖରୁ ଫେରିଯିବା ଯୋଗୁ କୋର୍ଟ କାର୍ଯ୍ୟ ଅଚଳ ହୋଇପଡିଥିଲା । ୫୫ ନଂ.ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ ବା ଏନଏଚଆଇ କର୍ତୃପକ୍ଷଙ୍କ ମନମାନି ଚରମ ସୀମା ଲଙ୍ଘିଛି । ଫଳରେ ରାଜ୍ୟର ଦୁଇ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ କଟକ ଓ ସମ୍ବଲପୁରକୁ ଯୋଗାଯୋଗ କରୁଥିବା ଏହି ଏନଏଚ ୫୫ ମରଣ ଯନ୍ତା ପାଲଟି ଯାଇଛି । ଦୀର୍ଘ ମାସ ହେଲା ଏପରି ଦୁରାବସ୍ଥା ନେଇ ବାରମ୍ବାର ଗୁହାରୀ ସତ୍ୱେ କେହି ଶୁଣୁନାହାନ୍ତି ଉଭୟ ଢେଙ୍କାନାଳ ଓ ଅନୁଗୁଳ ବାସୀଙ୍କ ଦୁଃଖ ।

ଯାହା ଫଳରେ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ନେତୃତ୍ୱରେ ଏହି ୧୨ ଘଂଟିଆ ଢେଙ୍କାନାଳ ବନ୍ଦ ଆନ୍ଦୋଳନକୁ ଓହ୍ଲାଛନ୍ତି ବିଭିନ୍ନ ସଙ୍ଗଠନ । ଜିଲ୍ଲା ସାମ୍ବାଦିକ ସଂଘ,ବାଣିଜ୍ୟ ପ୍ରତିଷ୍ଠାନ, ଘରୋଇ ବସ ଓ ଟ୍ରକ ମାଲିକ ସଂଘ, ମିଳିତ ବଜାର କମିଟି ,ସଚେତନ ନାଗରିକ ଫୋରମ ଠାରୁ ସମସ୍ତ ରାଜନୈତିକ ଦଳଙ୍କ ସହିତ ସାଧାରଣ ଜନତା ସମସ୍ତେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସକାଳ ୬ଟାରୁ ଏନଏଚ-୫୫କୁ ଢେଙ୍କାନାଳ କଲେଜ ବାଏପାସ ଛକ, କୋରିଆଁ ଛକ ଓ ମହିଷାପାଟ ଛକ ସହିତ ଭାପୁର ଛକ ଠାରେ କରାଯାଇଥିଲା ଅବରୋଧ ।ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡିମଟର ଯାଇନପାରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା ।

ପୂର୍ବତଟ ରେଳପଥକୁ ଶ୍ୟାମାଚରଣପୁର ଷ୍ଟେସନ ନିକଟରେ ସକାଳ ୭ଟାରୁ ୯ ଘଟିକା ଦୁଇ ଘଣ୍ଟା ପାଇଁ ବନ୍ଦ ଯୋଗୁ ଟ୍ରେନ ଚଳାଚଳା ବାଧାପ୍ରାପ୍ତ ହୋଇଥିଲା । ସ୍କୁଲ କଲେଜ, ବ୍ୟାଙ୍କ, ପୋଷ୍ଟ ଅଫିସ, କୋର୍ଟ କଚେରୀ ଆଦି ଦୋକାନ ବଜାର ଓ ବିଭି୍‌ନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।

ଏହି ଆନ୍ଦୋଳନକୁ ଜନ ସାଧାରଣ ସ୍ୱତଃପ୍ରୋତ ଭାବେ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ଯୋଗୁ ସାଧାରଣ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଥିଲା । ପରେ କୋର୍ଟ ଛକ ଠାରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ସହର ପରିକ୍ରମା କରି ଏନଏଚଆଇର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଫିସକୁ ଘେରାଉ କରିବା ସହ ତାଲା ପକାଇ ଦେଇଛନ୍ତି ଆନ୍ଦୋଳନକାରୀ । କୌଣସି ଅପ୍ରୀତିକର ପରିସ୍ଥିତି ଜିଲ୍ଲା ଆଶଙ୍କାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୂତୟନ ସାଙ୍ଗକୁ ବରିଷ୍ଠ ପୋଲିସ ଅଧିକାରୀ ମାନେ କଡା ନଜର ରଖିଥିଲେ ।

ପରିଶେଷରେ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଲିଖିତ ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏପରିକି ଏନଏଚର ଦୁରାବସ୍ଥାକୁ ନେଇ ବିଧାନସଭାରେ ପ୍ରସଙ୍ଗ ଉଠିଥିବା ଏନଏଚଆଇ କର୍ତୃପକ୍ଷ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କର ଏକ ତ୍ରିପାକ୍ଷିକ ବୈଠକ ତୁରନ୍ତ ହେଉଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।

ଏହି ଆନ୍ଦୋଳନରେ ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ ଟଙ୍କଧର ବେହେରା,ପୂର୍ବତନ ସଭାପତି ନବକିଶୋର ଗୁରୁ, ଦୀପକ ପ୍ରସାଦ ପଟ୍ଟନାୟକ, ଗୋପାଳ ଚନ୍ଦ୍ର ପାତ୍ର, ଭାବଗ୍ରାହୀ ପଣ୍ଡା, ପ୍ରତାପ ନାରାୟଣ ତ୍ରିପାଠୀ,ଓମ ପ୍ରକାଶ ଶରଣ ,କୃଷ୍ଣଚନ୍ଦ୍ର ସାହୁ, ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ପ୍ରତାପ ବରାଳ, ସହସମ୍ପାଦକ ଜିତେନ୍ଦ୍ର ପଟ୍ଟନାୟକ, ସମାଜସେବୀ ରାମଚନ୍ଦ୍ର ପାତ୍ର, ଆମପ୍ରତିଭା ଆମସମ୍ମାନର ସଭାପତି ପ୍ରିୟରଞ୍ଜନ ମାହୁନ୍ତ, ସମ୍ପାଦକ ରୁଦ୍ରାନ୍ତ ଦଳେଇ, ସଦାଶିବ ମହାପାତ୍ର, ଶ୍ୟାମସୁନ୍ଦର ସାହୁ, ମହେନ୍ଦ୍ର ସାହୁ, ଜିଲ୍ଲା ବସ୍ ଆସୋସିଏସନ ସଂଘ ସଭାପତି ପ୍ରଭାକର ବେହେରା, ସମ୍ପାଦକ ରୁଦ୍ରନାରାୟଣ ତ୍ରିପାଠୀ,କାଉନସିଲର ବଳରାମ ସେଠୀ, ପ୍ରତାପ ନାଏକ, ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ଲକ୍ଷ୍ମୀଧର ଦଳେଇ ,ଭରତ ଚନ୍ଦ୍ର ଦାସ, ପ୍ରକାଶ ଚନ୍ଦ୍ର ରାଉତ ପ୍ରମୁଖଙ୍କ ସମେତ କଂଗ୍ରେସର କର୍ମକର୍ତ୍ତା ଓ ଶତାଧିକ ଜନସାଧାରଣ ସାମିଲ ଥିଲେ ।

Leave A Reply

Your email address will not be published.

1 × 2 =