ଭିଜିଲାନ୍ସ ଦ୍ୱାରା ଗିରଫ ଡାକ୍ତରବାବୁ : ମୃତକଙ୍କ ଏଲଆଇସି କ୍ଲେମ ସାର୍ଟିଫିକେଟ ପାଇଁ ଲାଞ୍ଚ ନେବାବେଳେ ଡାକ୍ତରଙ୍କୁ ଉଠାଇନେଲା ଭିଜିଲାନ୍ସ !
ଢେଙ୍କାନାଳ : ଡାକ୍ତର ଭଗବାନ ସଦୃଶ ବୋଲି କଥାରେ ରହିଥିବା ବେଳେ ପ୍ରକୃତ ପକ୍ଷେ ଡାକ୍ତରମାନଙ୍କ ଲାଞ୍ଚ ଖୋର ମନୋବୃତି ଯୋଗୁ ସରକାର ନିନ୍ଦିତ ।
ଢେଙ୍କାନାଳ ଡାକ୍ତରଖାନାରେ ମୃତକଙ୍କୁ ସାର୍ଟିଫିକେଟ ପ୍ରଦାନ କରିବାରେ ଅର୍ଥ ଦାବୀକରିବା ଏକ ନିତିଦିନିଆ ଘଟଣାରେ ପରିଗଣିତ ହୋଇଥିବାର ଅଭିଯୋଗ ହୋଇଆସୁଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ଡାକ୍ତରବାବୁ ଭିଜିଲାନ୍ସରେ କାବୁ ହୋଇଥିବା ଜଣାପଡିଛି ।
ଏହି ଡାକ୍ତରଜଣଙ୍କ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଫୋରେନସିକ ମେଡିସିନ ଡାକ୍ତର ଡା.ଉମାକାନ୍ତ ଖଜେରିଆ । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ଥିବା ଏକ ଘରୋଇ କ୍ଲିନିକରେ ୧୧ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଏହି ଡାକ୍ତର ବାବୁଙ୍କୁ ଭିଜିଲାନ୍ସ କାବୁ କରିଛି । ସେ ଲାଂଚ ନେଇଥିବା ରାସାୟନିକ ବୋଳା ୧୧ ହଜାର ଟଙ୍କା ତାଙ୍କ ଠାରୁ ଭିଜିଲାନ୍ସ ଜବତ କରିଛି । ଏହି କ୍ଲିନିକରୁ ଡାକ୍ତର ବାବୁଙ୍କ ସମେତ ତାଙ୍କର ଏକ ଇକୋସ୍ପୋର୍ଟସ କାରକୁ ମଧ୍ୟ ଉଠାଇ ନେଇଛି ଭିଜିଲାନ୍ସ ।
ଏହି ଡାକ୍ତର ବାବୁ ଜଣଙ୍କ ଏଲସିଆଇ ଡେଥ କ୍ଲେମ ସେଟଲ ପାଇଁ ଆବଶ୍ୟକ ଡାକ୍ତରୀ ସାର୍ଟିଫିକେଟ ପାଇଁ ମୃତକ ପରିବାର ପାଇବାକୁ ଥିବା ମୋଟ ଟଙ୍କାର ଶତକଡା ୧୦ ପ୍ରତିଶତ ଲାଞ୍ଚ ନେଇଥାନ୍ତି ବୋଲି ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ତେବେ ସଦର ଥାନା ଚାଉଳିଆ ଗ୍ରାମର ନନ୍ଦିନୀ ନାୟକଙ୍କର ପରିବାର ଏଲଆଇସି ଡେଥ କ୍ଲେମ ବାବଦକୁ ପାଇବାକୁ ଥିବା ୧ଲକ୍ଷ ୧୦ ହଜାର ଟଙ୍କାର ୧୦ପ୍ରତିଶତ ଅର୍ଥାତ ୧୧ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ ଏହି ଲାଞ୍ଚୁଆ ଡାକ୍ତରବାବୁ । ଅଭିଯୋଗ ପାଇ କଟକ ଭିଜିଲାନ୍ସ ଏକ ଦଳ ଯୋଜନାବଦ୍ଧ ଭାବେ ଛକି ବସିଥିବା ବେଳେ ମୃତା ନନ୍ଦିନୀଙ୍କ ବୀମା କରିଥିବା ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ଠାରୁ ଏହି ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଥିଲା ଭିଜିଲାନ୍ସ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ବେଳେ ଡାକ୍ତରବାବୁ କାରରୁ ବାହାରିଲା ମଦ ବୋତଲ ସହିତ ୧୦ ହଜାର ଟଙ୍କା ।ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବାର ଜଣାପଡିଛି ।