୫୫ ନଂ.ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଧାପନ୍ତରା ଅଣନିଃଶ୍ୱାସୀ ସ୍ଥାନୀୟ ଲୋକେ କଲେ ରାସ୍ତା ଅବରୋଧ : ଦୀର୍ଘ ୩ ଘଣ୍ଟା ଧରି କଟକ ସମ୍ବଲପୁର ମଧ୍ୟରେ ଗାଡି ଚଳାଚଳ ଠପ୍‌ !

ଢେଙ୍କାନାଳ : ୫୫ ନଂ.ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଧାପନ୍ତରା । ଅଣନିଃଶ୍ୱାସୀ ସ୍ଥାନୀୟ ଲୋକେ ଆଜି କଲେଜ ବାଏପାସ ଛକ ଠାରେ ରାସ୍ତା ଅବରୋଧ ଯୋଗୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇପଡିଥିଲା ।

ମଙ୍ଗୁଳୀ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଲମ୍ବିଥିବା ୫୫ ନଂ.ଜାତୀୟ ରାଜପଥ ଓଡିଶା ଛତିଶଗଡର ଲାଇଫ ଲାଇନ ଭାବେ ପରିଚିତ । ଏହାକୁ ଦୃଷ୍ଟିରେ ରଖି ୨୦୧୬ ମସିହା ଠାରୁ ୪ ଲେନ୍ ବିଶିଷ୍ଟ ସଂପ୍ରସାର କାର୍ଯ୍ୟ ଚାଲୁରହିଛି । ସଂପ୍ରସାରଣ କାର୍ଯ୍ୟରେ ଅଗ୍ରଗତି ହେଉନଥିବା ବେଳେ ତାହା ଏବେ ମରଣଯନ୍ତା ପାଲଟିଛି । ମାତ୍ର ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ ଠିକାଦାର ଦୀର୍ଘ ମାସ ହେଲା ଅଧାରେ କାମ ଛାଡି ଛୁ ମାରିଛି । ଫଳରେ କଟକର ମଙ୍ଗୁଳି ଛକରୁ ଅନୁଗୁଳ ଯାଏ ରାଜପଥ ଏବେ ମରଣଯନ୍ତା ପାଲଟି ଯାଇଛି ।

ବିଶେଷ କରି ଢେଙ୍କାନାଳ ସହର ଉପକଣ୍ଠ ଗୋବିନ୍ଦପୁର ଠାରୁ ମହିଷାପାଟ ଛକ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି ।ଖରା ଦିନେ ପ୍ରବଳ ଧୂଳିରେ ଲୋକେ ଆକ୍ତାମାକ୍ତା ହୋଇ ପଡିଥିବା ବେଳେ ଏବେ ବର୍ଷା ଦିନ ଯୋଗୁ ରାସ୍ତାରେ ଖାଲଖମାକୁ ନେଇ ପଥଚାରୀ ଓ ସ୍ଥାନୀୟ ଲୋକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବର ପ୍ରଶାସନ ଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ଅଞ୍ଚଳବାସୀ ଗୁହାରି କରି ଆସୁଥିଲେ ମଧ୍ୟ ସମସ୍ତେ ଏଠାରେ ସମସ୍ତେ ସ୍ଥାଣୁ ପାଲଟି ଯାଇଛନ୍ତି । ଫଳରେ ଅଣନିଃଶ୍ୱାସୀ ହୋଇ ସ୍ଥାନୀୟ ଶ୍ୟାମାଚରଣପୁର, ଆନନ୍ଦ ନଗର, କାଠଗଡା, ଇଛାଦେଇପୁର,କଣ୍ଟେଇକୋଳିଆ ଓ କୁଞ୍ଜକାନ୍ତ ଆଦି ବାସିନ୍ଦାମାନେ ଆଜି ଏହାର ତୀବ୍ର ପ୍ରତିବାଦ କରିଛନ୍ତି ।

ଲୋକମାନେ ଏହି ଜାତୀୟ ରାଜପଥକୁ କଲେଜ ବାଏପାସ୍ ଠାରେ ଅବରୋଧ କରି ତୁରନ୍ତ ରାସ୍ତା ମରାମତି ଦାବୀ କରିଥିଲେ । ଫଳରେ ଏହି ଜାତୀୟ ରାଜପଥ ଯୋଗାଯୋଗ କରୁଥିବା ରାଜ୍ୟର ଦୁଇ ପ୍ରମୂଖ ବାଣିଜ୍ୟସ୍ଥଳୀ କଟକ ଓ ସମ୍ବଲପର ମଧ୍ୟରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା । ଏପରିକି ସୁଦୂର ଛତିଶଗଡରୁ ମାଲ ପରିବହନ କରି ଆସୁଥିବା ଗାଡିଗୁଡିକ ଅଟକି ରହିଥିଲା । ଆନ୍ଦୋଳନ ସ୍ଥଳର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ମଟର ଅଟକି ରହିଥିଲା । ଘଟଣା ସ୍ଥଳରେ ଚାପା ଉତେଜନା ଯୋଗୁ ଏସପି ଓ ପୋଲିସ ଅଧିକାରୀ ପୋଲିସ ଫୋର୍ସ ସହ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

ମାତ୍ର ରାସ୍ତା ମରାମତି ଆରମ୍ଭ ନହେବା ଯାଏଁ ରାସ୍ତା ଅବରୋଧରୁ ହଟିବେ ନାହିଁ ବୋଲି ଆନ୍ଦୋଳନକାରୀ ମାନେ ଜିଦରେ ଅଟଳ ରହିଥିଲେ । ପରେ ଘଟଣା ସ୍ଥଳକୁ ଢେଙ୍କାନାଳ ଏସପି ଲୋଗନ୍ୟାଗି ଦିବ୍ୟା ଭି ଓ ଉପଜିଲ୍ଲାପାଳ ସ୍ନିଗ୍ଧା ଧଳ ପହଞ୍ଚି ଠିକାଦାରଙ୍କ ଉପସ୍ଥିତିରେ ଲୋକଙ୍କ ସହ ଆଲୋଚନା କରିଥିଲେ । ପରେ ଠିକାଦାର କାମ ଆରମ୍ଭ କରିବାର ପ୍ରତିଶୃତି ପାଇ ଦୀର୍ଘ ୩ ଘଣ୍ଟା ପରେ ଅଞ୍ଚଳବାସୀ ଆନ୍ଦୋଳନରୁ ହଟିଯାଇଥିଲେ ।

Leave A Reply

Your email address will not be published.

11 − 4 =