ଢେଙ୍କାନାଳ : ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଜିଲ୍ଲାର ପ୍ରମୁଖ ୧୨ଟି ଶୈବପୀଠରେ ଜଳଲାଗି ପାଇଁ କାଉଡି ଯାତ୍ରାକୁ ଶୁଙ୍ଖଳିତ ଏବଂ ବ୍ୟବସ୍ଥିତ କରିବା ନିମନ୍ତେ ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳସରୋଜ କୁମାର ସେଠୀ କାଉଡିଆମାନେ ଯେପରି ଶୃଙ୍ଖଳିତ ଭାବେ ଜଳଲାଗି କରିପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରିଛନ୍ତି । ନଦୀପଠାରୁ ଜଳ ଆଣିବା ସମୟରେ ସମସ୍ତ ଶ୍ରଦ୍ଧାଳୁମାନେ ଅଧିକ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ନଦୀ ପାର ନିମନ୍ତେ ଡଙ୍ଗା ବ୍ୟବହାରକୁ ବାରଣ କରାଯାଇଛି । ପୀଠର ବାରବାଙ୍କ , ପାହାଚ ରାସ୍ତାରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରିବା ସହ ପାନୀୟ ଜଳର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ଚନ୍ଦ୍ରଶେଖରଙ୍କ କପିଳାସ ପୀଠ ଓ ସଂଲଗ୍ନ ଅଞ୍ଚଳ ଓ ରାସ୍ତା ଘାଟ ନିୟମିତ ପରିଷ୍କାର ପରିଚ୍ଛନ୍ନର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଦେଓଗାଁ ସରପଞ୍ଚ ବିଜୟ କୁମାର ଦେହୁରୀଙ୍କୁ ପରାମର୍ଶ ଦେଇଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ଓ ଯାନବାହାନ ନିୟନ୍ତ୍ରଣ ପାଇଁ ସ୍ୱେଚ୍ଛାସେବୀ, ଏନସିସି, ସ୍କାଉଟ,ଗାଇଡ ମାନଙ୍କ ସହଯୋଗ ନେବାକୁ ଜିଲ୍ଲାପାଳ ସରପଞ୍ଚଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକ ପ୍ରାରମ୍ଭରେ ସଦର ଉପଜିଲ୍ଲାପାଳ ତଥା ଦେବୋତର ଅଧିକାରୀ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ କାଉଡି ଯାତ୍ରାର ସୁପରିଚାଳନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
କପିଳାସ ସମେତ ସମସ୍ତ ଶୈବପୀଠରେ ରବିବାର ଅପରାହ୍ନ ଠାରୁ ସୋମବାର ପର୍ଯ୍ୟନ୍ତ ଜରୁରୀ ଔଷଧ ସହିତ ଆଶୁ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଶୋକ କୁମାର ଦାଶ କହିଛନ୍ତି । ଖାଦ୍ୟ ପଦାର୍ଥ ଯାଞ୍ଚ ସହିତ ସମସ୍ତ ମନ୍ଦିର ପରିସର ଓ ସଂଲଗ୍ନ ଅଞ୍ଚଳ ଓ ନିକଟସ୍ଥ କୂଅ, ପୋଖରୀ ଆଦିକୁ ବିଶୋଧନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । କାଉଡି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଟ୍ରାଫିକ ନିୟନ୍ତ୍ରଣ , ଗାଡି ପାର୍କିଂକୁ ବ୍ୟବସ୍ଥିତ କରାଯିବା ସହିତ ପୋଲିସ ପେଟ୍ରୋଲିଂର ବ୍ୟବସ୍ଥା କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୁରୁଷୋତମ ସେଠୀ ପ୍ରକାଶ କରିଥିଲେ ।
ମହିଳା କାଉଡିଆମାନଙ୍କ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ । ଆବଶ୍ୟକ ହେଲେ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହଯୋଗ ନିଆଯିବ ବୋଲି ସେ କହିଛନ୍ତି । ଚଳିତ ଜୁଲାଇ ମାସ ୧ ତାରିଖ ସୋମବାର ଠାରୁ ଏହି କାଉଡି ଯାତ୍ରା ଆରମ୍ଭ ହୋଇ ଆସନ୍ତା ଅଗଷ୍ଟମାସ ୮ ତାରିଖ (୪ର୍ଥ ସୋମବାର) ଦିନ ଶେଷ ହେବ । ଢେଙ୍କାନାଳରୁ କପିଳାସକୁ ଭକ୍ତମାନଙ୍କ ଯାତାୟତ ପାଇଁ ୪ଟି ବସର ବ୍ୟବସ୍ଥା କରାଯିବ । ସେହିପରି କପିଳାସ ପାଦ ଦେଶରୁ ପୀଠକୁ ଯିବା ପାଇଁ ସମୁଦାୟ ୩୦ଟି ଗାଡିର ବ୍ୟବସ୍ଥା କରାଯିବ ।
ଯାତ୍ରା ସମୟରେ ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା , ଅସ୍ଥାୟୀ ପରିଶ୍ରାଗାର ବ୍ୟବସ୍ଥା,ଦମକଳ ମୂତୟନ, ସ୍ନେକ ରେସକ୍ୟୁ ଟିମ ନିୟୋଜନ କରାଯିବ । କାଉଡିଆମାନଙ୍କ ଠାରୁ କୌଣସି ପ୍ରକାରର ମାହାସୁଲ ଆଦାୟ କରାଯିବ ନାହିଁ ବୋଲି ନିଷ୍ପତି ହୋଇଛି । ପୀଠର କୌଣସି ପ୍ରକାରର ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଦ୍ଧ କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର(ରାଜସ୍ୱ) ,କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ଡିଏସପି ବିକାଶ ଦେହୁରୀ, ଅଗ୍ନିଶମ ଅଧିକାରୀ, ଆରକ୍ଷୀ କର୍ମକର୍ତା, ଦେବୋତର କର୍ମଚାରୀ, ବିଭାଗୀୟ ଅଧିକାରୀ ଓ କପିଳାସ ପୀଠର ପ୍ରମୁଖ ସେବାୟତମାନେ ଯୋଗ ଦେଇଥିଲେ ।