ଢେଙ୍କାନାଳ : ଈ-ଟେକ୍ ଆବାସିକ ମହାବିଦ୍ୟାଳୟ ପରିସରରେ ସମ୍ବଲପୁର ଆର୍ମୀ ରିକ୍ୟୁର୍ଟମେଣ୍ଟ ଅଫିସ ଓ ଢେଙ୍କାନାଳ ଜିଲ୍ଲା ସ୍ଥିତ ରୋଜଗାର କାର୍ଯ୍ୟାଳୟ ମିଳିତ ସହଯୋଗରେ ସେନାବାହିନୀରେ ଅଗ୍ନିପଥ ଯୋଜନା ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ରସାୟନ ବିଭାଗର ମୁଖ୍ୟ ଜିତେନ୍ଦ୍ର ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ଆଶିଷ କୁମାର ବସନ୍ତିଆ, ଜିଲ୍ଲା ରୋଜଗାର କାର୍ଯ୍ୟାଳୟ ଅଧିକାରୀ ଶ୍ରୀମତୀ ସଙ୍ଗୀତା ଦାଶ, ମଡେଲ କ୍ୟାରିଅର ସେଣ୍ଟରର ଅଧିକାରୀ, ସମ୍ବଲପୁର ସେନା ନିଯୁକ୍ତି କାର୍ଯ୍ୟାଳୟର ମେଜର ଅଭିଷେକ ଶର୍ମା, ଏ.କେ ସିଂହ ଓ ଜି.ଆର ମନ୍ଦ୍ରିଭା ଯୋଗଦେଇ ଭାରତୀୟ ସେନାବାହିନୀରେ କିଭଳି ପିଲାମାନେ ଅଗ୍ନିପଥ ଯୋଜନା ମାଧ୍ୟମରେ ନିଯୁକ୍ତି ପାଇପାରିବେ ସେ ବିଷୟରେ ଆଲୋଚନା କରିବା ସହିତ ଉକ୍ତ ନିଯୁକ୍ତି କ୍ଷେତ୍ରରେ ଯୋଗ ଦେବାକୁ ହେଲେ କିଭଳି ଆବେଦନ କରିପାରିବେ ଓ କିଭଳି ପ୍ରସ୍ତୁତି କରିବାକୁ ହେବ ସେ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।
କେନ୍ଦ୍ର ସରକାରଙ୍କ ଉକ୍ତ ଯୋଜନାର ସୁଫଳ କିଭଳି ପିଲାମାନେ ପାଇପାରିବେ ଓ ପରବର୍ତୀ ସମୟରେ ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଈ-ଟେକ ଆବାସିକ ଡିଗ୍ରୀ ମହାବିଦ୍ୟାଳୟର ପରିସରରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପିକା ସଂଘମିତ୍ରା ଷଡଙ୍ଗୀ, ଅଧ୍ୟାପକ ସୁବ୍ରତ କୁମାର ସାହୁ,ଗୌତମ କୁମାର ବେହେରା ଓ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।