ମହାବିଦ୍ୟାଳୟ ଗୁଡିକରେ ର‌୍ୟାଗିଙ୍ଗ ମୁକ୍ତି ନିମନ୍ତେ ବିହିତ ପଦକ୍ଷେପ !

ଢେଙ୍କାନାଳ : ମହା ବିଦ୍ୟାଳୟ ଗୁଡିକରେ ର‌୍ୟାଗିଙ୍ଗ ଯୋଗୁ ସମ୍ପ୍ରତି ରାଜ୍ୟରେ ଜୀବନ ହାନି ଭଳି ଅଭାବନୀୟ ଘଟଣା ଘଟି ଯାଇଥିବାରୁ ଏଥିରୁ ସମ୍ପୂର୍ଣ୍ଣ ମୁକ୍ତି ନିମନ୍ତେ ସମସ୍ତ ପ୍ରକାରର ପ୍ରୟାସ ଓ ପ୍ରସ୍ତୁତି କରାଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସେଠୀ ପ୍ରକାଶ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ବୈଠକ ଆୟୋଜିତ ହୋଇଯାଇଛି । ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ସଜାଗ ରହି ର‌୍ୟାଗିଙ୍ଗଏବଂ ଅନ୍ୟାନ୍ୟ ବିଶୃଙ୍ଖଳା କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖିବା ସହିତ ଆବଶ୍ୟକ ସ୍ଥଳେ ଅଭିଭାବକ ଏବଂ ପୋଲିସ ପ୍ରଶାସନଙ୍କୁ ଜଣାଇବାକୁ ଜିଲ୍ଲାପାଳ କହିଛନ୍ତି ।

ସମସ୍ତ ମହାବିଦ୍ୟାଳୟ ପରିସରକୁ ଅପରାଧ ମୁକ୍ତ ଓ ଶାନ୍ତିପୂର୍ଣ୍ଣ ରଖିବାକୁ ସମସ୍ତ ଅଧ୍ୟକ୍ଷମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ସମ୍ପୃକ୍ତ ଅଂଚଳର ଉପଜିଲ୍ଲାପାଳ , ବିଡିଓମାନେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଶିକ୍ଷାନୁଷ୍ଠାନ ଗୁଡିକରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରାଇ ଛାତ୍ରଛାତ୍ରୀମାନେ ଯେପରି ମାନସିକ ତଥା ଶାରୀରିକ ଭାବେ ସୁସ୍ଥ ରହିପାରିବେ ସେଥିପ୍ରତି ସମ୍ପୃକ୍ତ ଅନୁଷ୍ଠାନର ମୁଖ୍ୟ ଏବଂ ସମସ୍ତ କର୍ମକର୍ତାଗଣ ଗାଇଡ ଲାଇନ ଅନୁସରଣ କରି ବିହିତ ବ୍ୟବସ୍ଥା କରିବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି. ପରାମର୍ଶ ଦେଇଛନ୍ତି ।

ଜିଲ୍ଲାରେ ଥିବା ସମସ୍ତ ମହାବିଦ୍ୟାଳୟ ଗୁଡିକରେ ର‌୍ୟାଗିଙ୍ଗ ମୁକ୍ତ କରିବା ପାଇଁ ବିହିତ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ନିୟମିତ ଭାବେ ପିଲାମାନଙ୍କୁ ସଚେତନ, ଆବଶ୍ୟକ ସ୍ଥଳେ ଯାଂଚ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଅଧ୍ୟକ୍ଷା, ଅଧ୍ୟକ୍ଷମାନେ ପ୍ରକାଶ କରିଛନ୍ତି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲା୍‌ପାଳ ରମେଶ ଚନ୍ଦ୍ର ସେଠୀ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଶୋକ କୁମାର ଦାଶ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ସମସ୍ତ ବିଡିଓ, ତହସିଲଦାର, ସମସ୍ତ ମହାବିଦ୍ୟାଳୟର ମୁଖ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

19 − 7 =