ଢ଼େଙ୍କାନାଳ : ନିର୍ବାଚନ ସରିବାର ଦିନ କେଇଟା ହୋଇଛି କିନ୍ତୁ ପ୍ରତିଶ୍ରୁତି ପୂରଣ ପାଇଁ ଅଣ୍ଟା ଭିଡିଛନ୍ତି ସରପଞ୍ଚ । ଆଖିରେ ନିଦ ନାହିଁ ମନରେ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବାର ସ୍ୱପ୍ନ । କେବେ ଘର ଘର ବୁଲି ଲୋକଙ୍କ ସମସ୍ୟ ବୁଝୁଛନ୍ତି ତ କେତେବେଳେ ଶିକ୍ଷାକୁ ଗୁରୁତ୍ୱ ଦେଇ ସ୍କୁଲ ବୁଲୁଛନ୍ତି।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମ ପଞ୍ଚାୟତରେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନବ ନିର୍ବାଚିତ ସରପଞ୍ଚ ନିରୁପମା ହାତୀ ତାଙ୍କର ସହଯୋଗୀ ଏବଂ ଉପଦେଷ୍ଟା ମଣ୍ଡଳୀଙ୍କୁ ସାଙ୍ଗରେ ଧରି ଆଦର୍ଶ ପଞ୍ଚାୟତ ଗଢିବାରେ ଲାଗି ପଡିଛନ୍ତି ।
ତେବେ ଶ୍ରୀମତୀ ହାତୀ ନିଜ ପଞ୍ଚାୟତରେ ଥିବା ୫ ଟି ବିଦ୍ୟାଳୟକୁ ହଠାତ ପରିଦର୍ଶନ କରି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ପିଲା କିଭଳି ଉତ୍ତମ ପାଠ ପଢିବେ ଓ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କହିଥିଲେ ।
ପ୍ରଥମେ ପରିଷ୍କାର ପରିଚ୍ଛନ୍ନ, ଉପସ୍ଥାପନ, ଶୌଚାଳୟ, ଖେଳ ପଡ଼ିଆ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ କିଭଳି ପଞ୍ଚାୟତର ସମସ୍ତ ଛାତ୍ରଛାତ୍ରୀ ଘରୋଇ ସ୍କୁଲ ନଯାଇ ସରକାରୀ ସ୍କୁଲକୁ ଆସିବେ ତାର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚ ନିରୁପମା ହାତୀ କହିଥିଲେ ।